ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳ ପ୍ରାୟ ୮ଟାରୁ ୧୧ଟା ପର୍ଯ୍ୟନ୍ତ ପାଖାପାଖି ୩ ଘଣ୍ଟା ଧରି ଡାକ୍ତରଖାନାରେ କେହି ଡାକ୍ତର ନଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ବହୁ ଲୋକ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ପରେ ବିରକ୍ତ ହୋଇ ପ୍ରାୟ ୭୦ରୁ ୮୦ଜଣ ରୋଗୀ ଫେରି ଯାଇଥିଲେ। ଆଉ କିଛି ବାଧ୍ୟବାଧକତାରେ ଫାର୍ମାସିଷ୍ଟଙ୍କ ଦ୍ବାରା ଚିକିତ୍ସିତ ହୋଇଥିଲେ। ତେବେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦୁଇଜଣ ମହିଳା ଡାକ୍ତର ଡାକ୍ତରଖାନାରେ ପହଞ୍ଚି ରୋଗୀ ସେବା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଆଜି ସ୍ଥାନୀୟ ଅଞ୍ଚଳରେ ରୋଗୀ ଓ ଅଭିଭାବକମହଲରେ ଘୋର୍ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୋଟ ୬ଜଣ ଡାକ୍ତର ନିଯୁକ୍ତ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଦିଆଯାଇଥିବା କ୍ବାର୍ଟର୍ରେ ରହୁନାହାନ୍ତି। ସେହିପରି ମନଇଚ୍ଛା ନିଜନିଜ ଭିତରେ ଭାବେ ଡ୍ୟୁଟି-ଚାର୍ଟ ବଣ୍ଟନ କରିଛନ୍ତି। ଆଜି ୨ଜଣ ଡାକ୍ତରଙ୍କ ଛୁଟି ଥିବା ବେଳେ ଆଉ ୩ ଡାକ୍ତର ଆସି ନଥିଲେ। ସେମାନେ ପୂର୍ବରୁ ଓଭର୍ଟାଇମ୍ କରିଥିବାରୁ ଆଜି କାର୍ଯ୍ୟରେ ଯୋଗ ଦେଇ ନଥିଲେ। ତେଣୁ ଗତକାଲି ସଂଧ୍ୟାରୁ ଆଜି ସଂଧ୍ୟା୫ଟା ପର୍ଯ୍ୟନ୍ତ ପାଖାପାଖି ୨୪ ଘଣ୍ଟିଆ ଡ୍ୟୁଟି ଡାକ୍ତର ଶ୍ରୀମୟ ମିଶ୍ରଙ୍କ ଭାଗ୍ୟରେ ପଡ଼ିଥିଲା। କିନ୍ତୁ ଦୁର୍ଭାଗ୍ୟକୁ ସକାଳ ପ୍ରାୟ ୮ଟା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ରକ୍ତଚାପ ବଢ଼ିଯିବାରୁ ସେ ବିଶ୍ରାମ ନେଇଥିଲେ। ଫଳରେ ସେତେବେଳେ ମେଡିକାଲକୁ ଆସିଥିବା ପାଖାପାଖି ୧୦୦ ରୋଗୀ ଧାଡ଼ି ବାନ୍ଧି ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ। ପାଖାପାଖି ୩ଘଣ୍ଟା ଧରି ଡାକ୍ତରଙ୍କ ଦେଖା ନ ମିଳିବାରୁ ବାଧ୍ୟ ହୋଇ ୭୦ରୁ ୮୦ଜଣ ରୋଗୀ ନିରାଶ ହୋଇ ଡାକ୍ତରଖାନାରୁ ଫେରି ଯାଇଥିଲେ। କାର୍ଯ୍ୟରତ ଫାର୍ମାସିଷ୍ଟ ବଳକା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଲେଖିଥିଲେ।
ଏ ଅବ୍ୟବସ୍ଥା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ସୂଚନା ଦିଆଯିବାରୁ ସେ ତ୍ବରିତ ପଦକ୍ଷେପ ନେଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଛୁଟିରେ ଥିବା ୨ ମହିଳା ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେଇଥିଲେ। ପରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହୋଇଥିଲା। ଏ ସଂପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ସନ୍ତୋଷଜନକ ଉତ୍ତର ଦେଇନଥିଲେ।
Follow Us