୧୦ରୁ ଫାଇଲେରିଆ ଔଷଧ ବିତରଣ

ଚିନ୍ତା ବଢ଼ାଇଲାଣି ଜଳବନ୍ଦୀ ସମସ୍ୟା

ଭୁବନେଶ୍ବର: ଫାଇଲେରିଆ ନିରାକରଣ ଓ ସାମୁହିକ ଔଷଧ ସେବନ ନେଇ ବିଏମ୍‌ସି ରଣନୀତି ପ୍ରସ୍ତୁତ କରିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ସାମୁହିକ ଔଷଧ ସେବନ ପ୍ରକ୍ରିୟାକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ରୁ ୧୯ ତାରିଖ ମଧ୍ୟରେ କରାଯିବ। ଏଥିପାଇଁ ପ୍ରାୟ ୨ ହଜାର ୫ ଶହ ଔଷଧ ବିତରକ ରହିବେ। ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ଓ ଅତିଶୟ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଏହା ଦିଆଯିବ ନାହିଁ। ସମସ୍ତ ୱାର୍ଡରେ ଔଷଧ ବିତରକ ଓ ସହଯୋଗୀ ସାମାଜିକ ଅନୁଷ୍ଠାନର କର୍ମୀମାନେ ଏହି କାର୍ଯ୍ୟ ସଂପାଦନ କରିବେ। ଔଷଧ ବିତରକ ଭାବେ ଆଶା, ଅଙ୍ଗନବାଡ଼ି କର୍ମୀ, ସାମାଜିକ ସଂଗଠନ କର୍ମୀ, ଏସ୍‌ଏଚ୍‌ଜି, ମହିଳା ଆରୋଗ୍ୟ ସମିତିର କର୍ମୀମାନେ କାର୍ଯ୍ୟ କରିବେ।

ଏଥିପାଇଁ ଭୁବନେଶ୍ୱରରେ ୨୫୦ ଜଣ ସୁପରଭାଇଜର ୨୨ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରିବେ। ପ୍ରତ୍ୟେକ ବିଦ୍ୟାର୍ଥୀ ଯେଭଳି ଔଷଧ ସେବନ କରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ବିଇଓଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ଥିବା ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ଓ ୩ଟି ଭିକ୍ଷୁକ ଥଇଥାନ କେନ୍ଦ୍ରରେ ମଧ୍ୟ ଏହି ଔଷଧ ସେବନ ପାଇଁ ଯୋଜନା ହୋଇଛି। ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଜେଡ୍‌ଡିସି ରବିନାରାୟଣ ଜେଠୀ, ପ୍ରିୟବ୍ରତ ପାଢ଼ୀ, ପୁରନ୍ଦର ନନ୍ଦ, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ ଓ ସିଟି ହେଲ୍‌ଥ ମ୍ୟାନେଜର ନେହା ରାଜପୁତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe