The Statesman
ଭୁବନେଶ୍ବର: ରାତି ପ୍ରାୟ ୧୨ଟା। ଶାନ୍ତିରେ ଶୋଇଯାଇଥିଲା ସହିଦନଗର ଶାନ୍ତିପଲ୍ଲୀ ବସ୍ତି। କିନ୍ତୁ ହଠାତ୍ ୩ ବାଇକ୍ରେ ବସ୍ତି ଭିତରକୁ ପଶି ଆସିଲେ ପ୍ରାୟ ୫ରୁ ୬ ଜଣ ଦୁର୍ବୃତ୍ତ। ଅଚାନକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଓ ବସ୍ତିବାସିନ୍ଦାଙ୍କୁ ଗାଳିମନ୍ଦ କରି ଫେରାର୍ ହୋଇଗଲେ। ଆହତ ଯୁବକ ହେଲେ ଚନ୍ଦନ ଜେନା। ଖଣ୍ଡା ଚୋଟରେ ତାଙ୍କ ହାତ ପାପୁଲି ଦୁଇ ଫାଳ ହୋଇଯାଇଛି। ଖବର ପାଇ ପୁଲିସ ବସ୍ତିରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇ ସାରିଥିଲେ। ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି।
ସୂଚନା ମୁତବାକ, ବସ୍ତିରେ ପ୍ରାୟ ସମସ୍ତେ ଶୋଇପଡ଼ିଥିବା ବେଳେ ଚନ୍ଦନ ତାଙ୍କ ଘର ପାଖରେ ବାହାରେ ବୁଲୁଥିଲେ। ପ୍ରବଳ ଗରମ ଯୋଗୁଁ ସେ ବାହାରେ ପବନରେ ବୁଲୁଥିଲେ। ଏହି ସମୟରେ ୩ଟି ବାଇକ୍ରେ ଆସିଥିବା ଯୁବକମାନେ ବସ୍ତିରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନଙ୍କ ଗାଡ଼ି ଗର୍ଜନରେ ବସ୍ତି ଥରିଉଠିଥିଲା। ଚନ୍ଦନଙ୍କୁ ଦେଖି ସେମାନେ ତାଙ୍କ ପାଖକୁ ଆସି ଅଧିକ ଗାଳିଗୁଲଜ କରିଥିଲେ। କିଛି ସମୟ ନିରବ ରହିବା ପରେ ଚନ୍ଦନ ସେମାନଙ୍କୁ ପ୍ରତିବାଦ କରିଥିଲେ। ହଠାତ୍ ଯୁବକମାନେ ତାଙ୍କୁ ଖଣ୍ଡାରେ ଆକମ୍ରଣ କରିଥିଲେ।
ଖଣ୍ଡା ଚୋଟରେ ଚନ୍ଦନଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀମାନେ ଉଠିପଡ଼ି ଘଟଣାସ୍ଥଳକୁ ଆସିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଖଣ୍ଡା ବୁଲାଇ ସମସ୍ତଙ୍କୁ ଧମକ ଦେଇଥିଲେ। ପାଖକୁ ଆସିଲେ ମୁଣ୍ଡ ଗଡ଼ିବ ବୋଲି ବଡ଼ ପାଟିରେ କହିଥିଲେ। ଖଣ୍ଡା ଭୟରେ ସମସ୍ତେ ପୁଣି ଘର ଭିତରକୁ ପଶିଯାଇ କବାଟ କିଳି ପକାଇଥିଲେ। ଦୁର୍ବୃତ୍ତମାନେ ପଳାଇବା ପରେ ଲୋକେ ଚନ୍ଦନକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଚନ୍ଦନ ଦୁର୍ବୃତ୍ତମାନଙ୍କୁ ଜାଣିନଥିବା ବେଳେ ସେମାନେ କ’ଣ ପାଇଁ ଶାନ୍ତିପଲ୍ଲୀ ବସ୍ତିରେ ରାତିରେ ପଶି ଏଭଳି କାଣ୍ଡ ଭିଆଇଲେ, ତାହା ଅସ୍ପଷ୍ଟ ରହିଛି।
Follow Us