ଉତ୍ପାତ କରୁଛନ୍ତି ମଦୁଆ: ମଦ ଦୋକାନ ପାଖରେ ଖୋଲିଛି ବାର୍‌

Advertisment
ଉତ୍ପାତ କରୁଛନ୍ତି ମଦୁଆ: ମଦ ଦୋକାନ ପାଖରେ ଖୋଲିଛି ବାର୍‌

ଭୁବନେଶ୍ୱର: ମଦ ଦୋକାନ ପାଖରେ ଖୋଲିଛି ଓପନ ବାର୍‌। ଦୋକାନ ନାଁ ଠିପି ବନ୍ଦ ମଦ ଦୋକାନ ହେଲେ ଦୋକାନ ଦୁଆର ମୁହଁରେ ଠିପି ଖୋଲୁଛି। ଡିସ୍‌ପୋଜେବଲ ଗ୍ଲାସ୍‌ ଠାରୁ ଆରମ୍ଭ କରି ଚାଖଣା ପର୍ଯ୍ୟନ୍ତ ସବୁ ମିଳୁଛି। ଦୋକାନ ପାଖରେ ଆସର ଜମୁଛି। ଅଶ୍ଳୀଳ ଭାଷାରେ ସମଗ୍ର ଅଞ୍ଚଳ କମ୍ପୁଛି। ବେଳେ ବେଳେ‌ ନିଜ ନିଜ ଭିତରେ ଗୋଷ୍ଠୀ ସଂଘର୍ଷ ହେଉଛି ତ’ କେତେବେଳେ ପଥଚାରୀକୁ ଗାଳି ଓ ଆକ୍ରମଣ ମଧ୍ୟ ହେଉଛି। କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍‌ ଭୁବନେଶ୍ବରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି କାରବାର ସମ୍ପୂର୍ଣ୍ଣ ବେଆଇନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଖୋଲାଖୋଲି ଭାବରେ ଏହା ଚାଲିଥିଲେ ମଧ୍ୟ ସମସ୍ତେ ଯେମିତି ଅନ୍ଧ ହୋଇ ଯାଇଛନ୍ତି। ମଦ ବିକ୍ରି ହୋଇଯିବା ପରେ ଅବକାରୀ ବିଭାଗ ଏହା ପୁଲିସର କାମ କହି ହାତ ଝାଡ଼ି ଦେଉଛି। ପୁଲିସ ମଧ୍ୟ ଦେଖି ନଦେଖିବା ଭଳି ଚାଲି ଯାଉଛି। ଭୋଗୁଛନ୍ତି ରାଜଧାନୀବାସୀ। ପ୍ରତ୍ୟେକ ଦିନ କେହି ନା କେହି ଏହି ମଦ୍ୟପଙ୍କ ଅତ୍ୟାଚାରର ଶିକାର ହେଉଛି। ମହିଳାମାନେ ଅଶ୍ଳୀଳ ଇଙ୍ଗିତର ଶିକାର ହେଉଥିବା‌ ବେଳେ ଅନ୍ୟମାନେ ଗାଳିଗୁଲଜର ଶିକାର ହେଉଛନ୍ତି। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମଦୁଆମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହି ରାସ୍ତା ଦେଇ ଯିବା ଆସିବା ଅସମ୍ଭବ ହୋଇ ପଡ଼ୁଛି। ଅବକାରୀ ଓ ପୁଲିସ ଅଧିକାରୀମାନେ ହାତଗୁଞ୍ଜା ନେଇ ଏହି ବେଆଇନ କାରବାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଏହି ବେଆଇନ ବାର୍‌ରେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହେଉଥିବା ନଜିର ରହିଛି।

ପୂର୍ବରୁ ଏଭଳି ଅଭିଯୋଗକୁ ନେଇ ସରକାର ନୂଆ ବ୍ୟବସ୍ଥା କରିଥିଲେ। ସରକାରଙ୍କର ନିଜର ରାଜସ୍ବ ବୃଦ୍ଧି ସହ ମଦୁଆଙ୍କୁ ରାସ୍ତା କଡ଼ରେ ଛିଡ଼ା ହୋଇ ପିଇବା ବନ୍ଦ କରିବାକୁ ସ୍ବତନ୍ତ୍ର ଯୋଜନା କରିଥିଲେ। ପ୍ରତ୍ୟେକ ଠିପି ବନ୍ଦ ମଦଦୋକାନୀଙ୍କ ପାଇଁ ‘ପରମିଟ୍‌ ରୁମ୍‌’ ବ୍ୟବସ୍ଥା କରିଥିଲେ। ବାର୍ଷିକ କିଛି ଟଙ୍କା ଦାଖଲ କରି ମଦ ଦୋକାନୀ ଏହି ପରମିଟ୍‌ ରୁମ୍‌ ଖୋଲି ପାରିବେ। ଏଥିରେ ଗ୍ରାହକଙ୍କୁ ମଦ ପିଇବା ପାଇଁ ସୁଯୋଗ ଦେ‌ବେ। ଟଙ୍କା ଜମା କରିବା ପରେ ଅବକାରୀ ବିଭାଗ ଏଥିପାଇଁ ସ୍ବୀକୃତି ଦେଉଥିଲା। ହେଲେ କୌଣସି ମଦ ଦୋକାନୀ ପରମିଟ୍‌ ରୁମ୍‌ ପାଇଁ ସ୍ବୀକୃତି ନେଲେ ନାହିଁ। ଫଳରେ ଏହି ଯୋଜନା ସରକାର ବନ୍ଦ କରିଦେଲେ। କିନ୍ତୁ ଦୋକାନ ପାଖରେ ମଦ୍ୟପାନ ବନ୍ଦ ହେଲା ନାହିଁ। ବରଂ ମଦ ଦୋକାନ ପାଖରେ ପାନ ଦୋକାନ ଗଢ଼ି ଉଠିଲା। ପାନ ଦୋକାନରେ ମଦ ପିଇବା ପାଇଁ ଏଭଳି ବ୍ୟବସ୍ଥା ରହିଲା। ଏବଂ ସାଧାରଣ ଲୋକଙ୍କ ପାଇଁ କାଳ ହେଲା।

ଏ ନେଇ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମଦ ବିକ୍ରି ହୋଇଯିବା ପରେ ବିଭାଗର ଆଉ କୌଣସି ଦାୟିତ୍ବ ନଥାଏ। ତେବେ ଦୋକାନ ସାମ୍ନାରେ ଛିଡ଼ା ହୋଇ ପିଇବା ପାଇଁ ବାରଣ କରାଯାଇଛି। ସମସ୍ତ ଦୋକାନୀଙ୍କୁ ଏ ବାବଦରେ ସତର୍କ କରାଯାଇଛି। ଏଭଳି ଅଭିଯୋଗ ଆସିଲେ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏ ନେଇ ଜଣେ ବରି‌ଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପାଟ୍ରୋଲିଂ ବେଳେ ଏଭଳି ନଜରକୁ ଆସିଲେ କିମ୍ବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe