ଭୁବନେଶ୍ବର: କଟକ ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବର ଗଣେଶ ପୂଜାରେ ଡିଜେ ବାଜିବ ନାହିଁ। ମଣ୍ଡପ କର୍ମକର୍ତ୍ତାଙ୍କ ସହମତିରେ କମିସନରେଟ୍ ପୁଲିସ ଡିଜେ ବାଜିବା ଉପରେ ରୋକ୍ ଲଗାଇଛି। ଭସାଣି ଶୋଭାଯାତ୍ରାରେ କୌଣସି ମଣ୍ଡପ ପକ୍ଷରୁ ଡିଜେ ବାଜିବ ନାହିଁ ବୋଲି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ପାରମ୍ପରିକ ବାଦ୍ୟ ଉପରେ କଟକଣା ନାହିଁ। ମଣ୍ଡପ କର୍ମକର୍ତ୍ତା ଓ କମିସନରେଟ୍ ପୁଲିସର ଏଭଳି ନିଷ୍ପତ୍ତିକୁ ଆଜି ରାଜଧାନୀର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଶବ୍ଦ ପ୍ରଦୂଷଣରେ ଛଟପଟ ରାଜଧାନୀବାସୀ ଏଭଳି ମହାନ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।
ଆଜି ଟ୍ରାଫିକ୍ ଥାନା ପରିସରରେ ଗଣେଶ ପୂଜା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜଧାନୀର ପ୍ରାୟ ସମସ୍ତ ପ୍ରମୁଖ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ। ଡିସିପି ପ୍ରତୀକ ସିଂ ବୈଠକରେ ପୌରୋହିତ୍ୟ କରିଥିଲେ। ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସମଗ୍ର ସହରରେ ପ୍ରାୟ ୪୦୦ରୁ ଅଧିକ ମଣ୍ଡପରେ ଗଣେଶ ପୂଜା ହେଉଥିବାରୁ ଭିଡ଼ ପରିଚାଳନାକୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଏମିତିରେ ସବୁବେଳେ ଟ୍ରାଫିକ୍ ଜାମ୍ ରାଜଧାନୀବାସୀଙ୍କୁ ହନ୍ତସନ୍ତ କରୁଛି। ତେଣୁ ପୂଜା ବେଳେ ଏହା ଆହୁରି କଲବଲ କରିବ। ଏଥିରୁ ମୁକ୍ତି ପାଇବାକୁ ପୁଲିସ କିଛି କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମତଃ ଭସାଣି ଶୋଭାଯାତ୍ରା ବେଳେ ଡିଜେ ନ ବଜାଇବାକୁ ସମସ୍ତେ ସହମତ ହୋଇଥିଲେ। ସେହିଭଳି ଭସାଣି ଶୋଭାଯାତ୍ରାକୁ କୌଣସି ମୁଖ୍ୟ ରାସ୍ତାରେ ନ ନେବାକୁ ପ୍ରସ୍ତାବ ଦିଆଯାଇଛି। ମଣ୍ଡପର ସ୍ଥାନୀୟ ଅଞ୍ଚଳରେ ବାଜା, ବାଣ, ରୋଶଣି କରି ଶୋଭାଯାତ୍ରା କରାଯିବ ଏବଂ ପରେ ପୁଲିସର ରୁଟ୍ ଚାର୍ଟ ଅନୁସାରେ ଠାକୁରଙ୍କୁ ନେଇ ବିସର୍ଜନ କରାଯିବ। ଭସାଣି କାର୍ଯ୍ୟକ୍ରମ ୩ଦିନିଆ ହେବ। ୭ ତାରିଖରେ ଗଣେଶ ପୂଜା ପଡ଼ୁଛି। ତେଣୁ ୮, ୧୧, ୧୫ ତାରିଖରେ ଭସାଣି ପର୍ବ ସମାହିତ ହେବ। ଭସାଣି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ ଉପରେ କଟକଣା ନାହିଁ।
ପୂଜା ମଣ୍ଡପ ନିକଟରେ ମୀନାବଜାର ପଡ଼ିବା ସହ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ତେଣୁ ସବୁ ମଣ୍ଡପ ପକ୍ଷରୁ ପାର୍କିଂ ବ୍ୟବସ୍ଥା ନିଶ୍ଚିତ କରାଯିବ। ସେହିଭଳି ଭିଡ଼ ଭିତରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସବୁ ମଣ୍ଡପ କର୍ମକର୍ତ୍ତା ସିସିଟିଭି ଲଗାଇବେ। ଚୋରି, ଛିନ୍ତାଇରେ ଅଙ୍କୁଶ ଲଗାଇବାକୁ ଉଭୟ ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ନଜର ରଖିବେ ବୋଲି ସ୍ଥିର କରାଯାଇଛି। ପୂଜା ମଣ୍ଡପରେ ପୁଲିସ କର୍ମଚାରୀ ଜଗି ରହିଲେ ମଧ୍ୟ ସବୁ ମଣ୍ଡପ ପକ୍ଷରୁ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମଣ୍ଡପ କର୍ମକର୍ତ୍ତାମାନେ ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରି ପୁଲିସକୁ ଜଣାଇବେ। ସେହିଭଳି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ମୂର୍ତ୍ତି ନିର୍ମାଣ। ପୁଲିସ କଣ୍ଟ୍ରୋଲ୍ ବୋର୍ଡର ମାର୍ଗଦର୍ଶିକା ଆଧାରରେ ମଣ୍ଡପ ପକ୍ଷରୁ ପ୍ରଦୂଷଣବିହୀନ ମୂର୍ତ୍ତି ଗଢ଼ାଯିବ। ମୂର୍ତ୍ତିରେ କୌଣସି ରସାୟନ ରଙ୍ଗ ବ୍ୟବହାର ହେବ ନାହିଁ। ଅର୍ଗାନିକ୍ କଲର୍ ବ୍ୟବହାର ଉପରେ କଡ଼ା ନିର୍ଦ୍ଦେଶ ରହିଛି। କମିସନରେଟ୍ ପୁଲିସର ସମସ୍ତ ଥାନା ନିଜ ନିଜ ଅଞ୍ଚଳର ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ନିୟମିତ ବ୍ୟବଧାନରେ ଯୋଗାଯୋଗରେ ରହିବାକୁ ଡିସିପି ଥାନାଗୁଡ଼ିକର ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us