ବିଧିରେ ସରିଲା ଦୋପଟି ମେଳଣ, ଅବିର ଓ ଲଉଡ଼ି ଖେଳ ଜମିଲା

Advertisment
ବିଧିରେ ସରିଲା ଦୋପଟି ମେଳଣ, ଅବିର ଓ ଲଉଡ଼ି ଖେଳ ଜମିଲା

ବାଲିପାଟଣା: ବ୍ରିଟିଶ ଶାସନ କାଳ(ପ୍ରାୟ ୧୮୬୫ ମସିହା)ରୁ ଚାଲି ଆସିଥିବା ସ୍ଥାନୀୟ ଅଞ୍ଚଳର ସର୍ବପୁରାତନ ଦୋପଟି ମେଳଣ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। କରୋନା କଟକଣା ଯୋଗୁଁ ଏଥର କେବଳ ବିଧି ଅନୁସାରେ ମେଳଣ ସମାହିତ ହୋଇଛି। ଭିଡ଼ କମାଇବା ଲକ୍ଷ୍ୟରେ ମେଳଣରେ ହାଟ ବଜାରକୁ ଅନୁମତି ମିଳିନଥିବା ବେଳେ ବାଜା, ବାଣ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହୋଇଥିଲା। ତେବେ ଠାକୁର ଜମାଣ ଓ ହରିହର ଭେଟ ବେଳେ ଅବିର ଖେଳ ଓ ଲଉଡ଼ି ଖେଳ ବେଶ୍ ଜମିଥିଲା।

ଗତ ରାତିରୁ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୨୦ ଗାଁରୁ ହରିହରଙ୍କ ଚଳନ୍ତି ବିଗ୍ରହ ସୁସଜ୍ଜିତ ବିମାନରେ ଆସି ମେଳଣ ପଡ଼ିଆରେ ଏକାଠି ହୋଇଥିଲେ। ଏହି ମେଳଣର ଥାନପତି ଗାରେଡ଼ିପାଞ୍ଚଣର ଆରାଧ୍ୟ ଦେବତା ବୁଦ୍ଧନାଥ ମହାଦେବ ସବୁ ଅତିଥି ଠାକୁରମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ସରାଟ ନୀଳକଣ୍ଠେଶ୍ୱର ମହାଦେବ (ଚନ୍ଦ୍ରଶେଖର) ଏବଂ ଗୋପୀନାଥ ଦେବ, ସଠିଲୋ ଚମ୍ପେଶ୍ୱର ମହାଦେବ, ଚଣାହଟ୍ଟା ରାଧାଗୋବିନ୍ଦ, ଶିଶୁମଠସାହିର ମଦନ ମୋହନ ଦେବ, କୁଳନ୍ତିରା ଶାସନ, ବାରିଲୋ, ବ୍ରାହ୍ମଣ ଷଡ଼ଙ୍ଗୀ, ଗିରିଙ୍ଗ, ଆଣ୍ଠୁଆରୀ, ବେଣ୍ଟପୁର, ତରଡ଼ପଡାର ଗୋପୀନାଥ ଦେବ, ବାରିଲୋ ରାଧାମାଧବ ଦେବ, ବାଲିପାଟଣା, ଫକୀରପଡାର ରାଧାମୋହନ ଦେବ, କାକରୁଦ୍ରପୁରର ପତିତପାବନ ଦେବ, ଗଣ୍ଡିଲୋ ଜଟେଶ୍ୱର ମହାଦେବ, ସାହେବନଗର ହରିଦାସ ଦେବଙ୍କୁ ମେଳଣ ପଡ଼ିଆରେ ସ୍ବାଗତ କରାଯାଇଥିଲା। ଆଜି ଦିନ ତମାମ୍ ମେଳଣ ପଡ଼ିଆରେ ସବୁ ବିମାନ ନିକଟରେ ଠାକୁରମାନଙ୍କୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ହରିହର ଭେଟ। ଥାନପତି ବୁଦ୍ଧନାଥ ମହାଦେବଙ୍କ ବିମାନ ସହ ସବୁ ଠାକୁରଙ୍କ ବିମାନ ଲଢ଼େଇ ଥିଲା ବେଶ୍ ଦର୍ଶନୀୟ। ତେବେ ପୂର୍ବ ବର୍ଷ ଭଳି ଏଥର କୌଣସି ଶୋଭାଯାତ୍ରା ବା ହାଟ ବଜାର ନଥିବାରୁ ମେଳଣରେ ସେମିତି ଭିଡ଼ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe