୫୦ ଲକ୍ଷ ବଟି ମାଗି ଡାକ୍ତରଙ୍କୁ ଅପହରଣ, ହତ୍ୟା ଧମକ: ଝାଡ଼ଖଣ୍ଡ ଡନ୍‌ ଏମ୍‌ରଜ୍‌ ଗିରଫ

Advertisment

ନକ୍ସଲ ପରିଚୟରେ ଧମକାଉଥିଲା, କରଞ୍ଜିଆ ସ୍କୁଲକୁ ନଜରରେ ରଖି ଡାକ୍ତର ସଲିମ୍‌ଙ୍କୁ ଟାର୍ଗେଟ୍ କରିଥିଲା

ନକ୍ସଲ ପରିଚୟରେ ଧମକାଉଥିଲା, କରଞ୍ଜିଆ ସ୍କୁଲକୁ ନଜରରେ ରଖି ଡାକ୍ତର ସଲିମ୍‌ଙ୍କୁ ଟାର୍ଗେଟ୍ କରିଥିଲା

୫୦ ଲକ୍ଷ ବଟି ମାଗି ଡାକ୍ତରଙ୍କୁ ଅପହରଣ, ହତ୍ୟା ଧମକ: ଝାଡ଼ଖଣ୍ଡ ଡନ୍‌ ଏମ୍‌ରଜ୍‌ ଗିରଫ

କଟକ: ଓଡ଼ିଶାରେ ଡାକ୍ତର, ଖଣି ବ୍ୟବସାୟୀଙ୍କୁ ବଟି ମାଗି ହତ୍ୟା ଧମକ ଦେଉଥିବା ଝାଡ଼ଖଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ଏମରଜ୍‌ ଆନସାରୀ ଓରଫ ଇମ୍ରାନ୍ ଓରଫ ବାବୁକୁ ଗିରଫ କରିଛି କଟକ କମିସନରେଟ୍ ପୁଲିସ। ଝାଡ଼ଖଣ୍ଡ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ବାବୁ କଟକ ସିଫା ହସପିଟାଲ୍ ମାଲିକ ଡାକ୍ତର ସାମି ସଲିମଙ୍କୁ ୫୦ ଲକ୍ଷ ଟଙ୍କା ବଟି ମାଗିବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଝାଡ଼ଖଣ୍ଡ ମଝିଗାଁର ବିଧାୟକଙ୍କ ସମେତ କେନ୍ଦୁଝରର ଏକାଧିକ ଖଣି ବ୍ୟବସାୟୀଙ୍କୁ ବି ନକ୍ସଲ୍ ପରିଚୟରେ ସେ ବଟି ମାଗି ଧମକ ଦେଇଥିଲା। ଝାଡ଼ଖଣ୍ଡ ଚାଇଁବୋସା ଜିଲ୍ଲା ମଝିଗାଁ ମେଡିକାଲ୍ ଅଞ୍ଚଳର ଏହି ୨୯ ବର୍ଷୀୟ ଏମରଜ୍‌ ଓରଫ୍‌ ବାବୁ ଦୁଇଟି ରାଜ୍ୟ ପୁଲିସର ନିଦ ହଜାଇ ଦେଇଥିଲା। ଏବେ ତାକୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ସକ୍ରିୟ ଥିବା ନକ୍ସଲ୍ ଲିଙ୍କ୍ ସାମ୍‌ନାକୁ ଆସିଛି। ମଝିଗାଁ ନକ୍ସଲ୍ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏମରଜ୍‌ର ଏ ପ୍ରକାର ବଟି ଆଦାୟ ପଛରେ ନକ୍ସଲ୍ ସଂଗଠନର ହାତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ବିଡ଼ାନାସୀ ମଠସାହିର ସିଫା ହସ୍‌ପିଟାଲ ମାଲିକ ଡାକ୍ତର ସମି ସଲିମ ନିର୍ଦ୍ଦିଷ୍ଟ ଏକ ମୋବାଇଲ୍ ନମ୍ବରରୁ ଜାନୁଆରି ୫ ତାରିଖରେ ହତ୍ୟା ଧମକ ପାଇଥିଲେ। ଫୋନ୍‌ କରିଥିବା ଲୋକଟି ନିଜକୁ ନକ୍ସଲ ବୋଲି ପରିଚୟ ଦେବାସହିତ ୫୦ ଲକ୍ଷ ଟଙ୍କା ବଟି ମାଗିଥିଲା। ପରେ ପରେ ହ୍ବାଟସ୍‌ଆପ୍‌ରେ ଧମକପୂର୍ଣ୍ଣ ମେସେଜ୍‌ ଦେଇଥିଲା। ଟଙ୍କା ନଦେଲେ ଡାକ୍ତରଙ୍କ ଝିଅକୁ ଅପହରଣ କରିନେବାକୁ ବି ଧମକ ଆସିଥିଲା। ଏ ସମ୍ପର୍କରେ ଡାକ୍ତର ସଲିମ୍‌ ଗଲା ୧୦ ତାରିଖରେ ବିଡ଼ାନାସୀ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାକୁ ଗୁରୁତ୍ବର ସହିତ ନେଇ ବିଡ଼ାନାସୀ ଥାନା ଏସ୍‌ଆଇ ନିରଞ୍ଜନ ଭୋଇଙ୍କୁ ତଦନ୍ତ ଭାର ଦେଇଥିଲା। ଉକ୍ତ ଫୋନ୍ ନମ୍ବରକୁ ଟ୍ରାକ୍ କରିବା ପରେ ପୁଲିସ ଝାଡ଼ଖଣ୍ଡର ମଝିଗାଁ ଓ ନୂଆଁମୁଣ୍ଡି ସମେତ କେନ୍ଦୁଝରର ଯୋଡ଼ା, ବଡ଼ବିଲ, କେନ୍ଦୁଝର ଟାଉନ ଓ ଢେଙ୍କାନାଳରେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ତାକୁ ଠାବ କରିପାରି ନଥିଲା। ନିୟମିତ ବ୍ୟବଧାନରେ ମୋବାଇଲ୍ ଲୋକେସନ୍ ବଦଳାଉଥିବାରୁ ଅଭିଯୁକ୍ତ ନିକଟରେ ପହଞ୍ଚିବା ପୁଲିସ ପାଇଁ ସହଜ ହୋଇନଥିଲା।

ତେବେ ମାମଲାର ତଦନ୍ତ କରୁ କରୁ ପୁଲିସ ନଜରକୁ ଝା‌ଡ଼ଖଣ୍ଡ ମଝିଗାଁର ବିଧାୟକ ନିରଲ ପୃଷ୍ଟିଙ୍କ ଅଭିଯୋଗ ସାମ୍‌ନାକୁ ଆସିଥିଲା। ତାଙ୍କୁ ବି ଏହି ଅଭିଯୁକ୍ତ ୫୦ ଲକ୍ଷ ଟଙ୍କା ବଟି ମାଗିଥିଲା। ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିବା ସଂକ୍ରାନ୍ତରେ ମଁଝରୀ ଥାନାରେ ୨୦୨୧ ଡିସେମ୍ବର ୨୨ ତାରିଖରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଥିଲା। ଏମରଜ୍‌ ପୁଣି କଟକ ଆସୁଥିବା ନେଇ ପୁଲିସ ଟିମ୍ ଖବର ପାଇ ତାକୁ ଗଲା ୧ ତାରିଖ ରାତିରେ ଗିରଫ କରିଥିଲା। ତା’ ନିକଟରୁ ଏକ ସାମସଙ୍ଗ୍‌ ମୋବାଇଲ୍ ଫୋନ୍ ଏବଂ ଦୁଇଟି ସିମ୍ କାର୍ଡ ଜବତ ହୋଇଛି। ତାକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି। ଡିସିପି ପ୍ରତୀକ ସିଂହ ଏହି ଅନ୍ତରାଜ୍ୟ ଡନ୍‌କୁ ଧରିବାକୁ ଏକ ମାଷ୍ଟର୍‌ପ୍ଲାନ୍ କରିଥିଲେ। ଏସିପି ତାପସ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ସେଥିରେ ବିଡ଼ାନାସୀ ଥାନା ଏସ୍‌ଆଇ ନିରଞ୍ଜନ ଭୋଇଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଜାନୁଆରି ୧୫ ତାରିଖରୁ ଝାଡ଼ଖଣ୍ଡରେ ଡେରା ପକାଇଥିଲେ। ଏମରଜ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ପୁଲିସକୁ ପାଖାପାଖି ୧୫ ଦିନ ସମୟ ଲାଗିଥିବା ସୂଚନା ମିଳିଛି।

ଦୁଇ ବନ୍ଧୁଙ୍କ ପାଇଁ ଫସିଲା

ଝଡ଼ଖଣ୍ଡ ଚାଇଁବୋସା ଜିଲ୍ଲା ସମେତ କେନ୍ଦୁଝର, ଢେଙ୍କାନାଳ, ମୟୁରଭ଼ଞ୍ଜ ଜିଲ୍ଲାକୁ ସେ ଫୋନ୍ କରିବାକୁ ସାଧାରଣତଃ ଆସୁଥିଲା। ତେବେ ପୁଲିସ ତାକୁ ଧରିବା ସହଜ ନହେବାରୁ ତାର ଦୁଇ ବନ୍ଧୁଙ୍କୁ ପ୍ରଥମେ ପୁଲିସ ଉଠାଇ ଥିଲା। ଏମରଜର ସିଡିଆରରୁ ଏହି ଦୁଇ ବନ୍ଧୁଙ୍କ ନମ୍ବର ସଂଗ୍ରହ  କରି ପୁଲିସ ସେମାନଙ୍କୁ ଉଠାଇବା ପରେ ଏମରଜର୍‌ ଠିକଣା ଠାବ କରିବାରେ ସହଜ ହୋଇଥିଲା।

କରଞ୍ଜିଆ ସ୍କୁଲକୁ ନଜରରେ ରଖି ଡାକ୍ତର ସଲିମ୍‌ଙ୍କୁ ଟାର୍ଗେଟ୍ କରିଥିଲା

ଡାକ୍ତର ସଲିମ୍ ୨୦୧୯ରେ ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ ସେଣ୍ଟ ଜାଭିଅର୍ ସ୍କୁଲ ଖୋଲିଥିଲେ। ସେଠୁ ମଝିଗାଓଁ ପାଖାପାଖି ୨୦ରୁ ୩୦ କିମି। ମଝିଗାଓଁ ସଂଖ୍ୟାଲଘୁ ବହୁଳ ଅଞ୍ଚଳ ହୋଇଥିବାରୁ ସେଠାକାର ଅଧିକାଂଶ ପିଲା ଏହି ସ୍କୁଲରେ ପଢ଼ନ୍ତି। ପ୍ରଥମେ ଏମରଜ୍ ସ୍କୁଲ ସଂସ୍ପର୍ଶରେ ଆସିଥିଲା। ପରେ ମାଲିକଙ୍କୁ ବଟି ମାଗିବାକୁ ଯୋଜନା କରିଥିଲା। ସେ ସିଫା ହସପିଟାଲ୍ ମାଲିକ ଜାଣିବାପରେ ଗଲା ଏକ ବର୍ଷ ତଳେ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା କରିବାକୁ ସେ ସିଫା ହସ୍‌ପିଟାଲ ଆସିଥିଲା। ରୋଗୀଙ୍କୁ ମିଳିଥିବା ଡିସ୍‌ଚାର୍ଜ ସାର୍ଟିଫିକେଟରେ ହସ୍‌ପିଟାଲରେ ଅଭିଯୋଗ ଦେବାକୁ ଏକ ହ୍ବାଟସ୍‌ଆପ ନମ୍ବର ଦିଆଯାଇଥିଲା। ସେଇଟା ଥିଲା ହସ୍‌ପିଟାଲ ମାଲିକଙ୍କ ନମ୍ବର। କିନ୍ତୁ ତାକୁ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ ଉଠାଉଥିଲେ। ତାଙ୍କୁ ଫୋନ୍ କରି ଡାକ୍ତରଙ୍କୁ ଫୋନ୍ ଦେବାକୁ ବାରମ୍ବାର କହୁଥିଲା। ନିୟମିତ ହ୍ବାଟସଆପ୍ କରିବା ପରେ ହସପିଟାଲ୍ ମାଲିକ ବିଡାନାସୀ ଥାନାରେ ଏତଲା ଦେଇଥିଲେ।

ବେନାମି ସିମ୍ କାର୍ଡର ଠିକଣା ଢେଙ୍କାନାଳ
ଯେଉଁ ଦୁଇଟି ବିଏସଏନଏଲ୍ ସିମ୍ କାର୍ଡ ପୁଲିସ ଜବତ କରିଛି, ଏହି ସିମ୍ କାର୍ଡ ପଛରେ ଏକ ବଡ଼ଧରଣର କେଳେଙ୍କାରୀ ଏବେ ସାମ୍‌ନାକୁ ଆସିଛି। ସିମ୍‌ କାର୍ଡ କଟକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ାର କିଛି ଲୋକଙ୍କ ନାଁରେ ଥିବା ଜଣାପଡ଼ିଛି। କିନ୍ତୁ ପୁଲିସ ଯେତେବେଳେ ଉକ୍ତ ଠିକଣାରେ ପହଞ୍ଚିଲା, ସେଭଳି କୌଣସି ଲୋକ ନଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମସ୍ତ ସିମ୍‌କାର୍ଡ ଢେଙ୍କାନାଳରେ ଆକ୍ଟିଭ୍ ହୋଇଛି। ଯେଉଁ ସେଣ୍ଟରରେ ଆକ୍ଟିଭ ହୋଇଛି, ସେଠାରେ ସେଭଳି କୌଣସି ଲୋକ ନଥିବା ତଦନ୍ତରୁ ଜଣାପଡ଼ିଛି। ବିଏସ୍‌ଏନଏଲ୍ ସିମ୍ କାର୍ଡ ବିନା ଯାଞ୍ଚରେ ବେନାମୀ ପରିଚୟପତ୍ରରେ ମାତ୍ର ୫୦୦ ଟଙ୍କାରେ ଢେଙ୍କାନାଳରୁ ଗଲା ଏକ ବର୍ଷ ହେବ ଅଭିଯୁକ୍ତ ନେଇ ଦୁଇ ରାଜ୍ୟରେ ବ୍ୟବସାୟୀ, ରାଜନେତା ଓ ଡାକ୍ତରଙ୍କୁ ଧମକ ଦେଇ ଆସୁଥିଲା। ଏହି ସିମ୍ କାର୍ଡ ଗ୍ୟାଙ୍ଗକୁ ପୁଲିସ ଖୁବ ଶୀଘ୍ର ଧରିବାକୁ ଯାଉଥିବା ସୂଚନା ମିଳିଛି।

ଫୋନ୍‌ କରିବାକୁ ବସ୍‌ରେ ବୁଲୁଥିଲା
ଜାନୁଆରି ୫ ତାରିଖରେ ସେ ଡାକ୍ତର ସଲିମଙ୍କୁ ପ୍ରଥମ ଥର ଫୋନ୍ କରିଥିଲା। କଲ୍ ଟ୍ରେସ୍ କରିବା ପରେ ପୁଲିସ କେନ୍ଦୁଝର ଜିଲ୍ଲାରେ ଚଢ଼ଉ କରିଥିଲା। କିନ୍ତୁ ପତ୍ତା ମିଳି ନଥିଲା। ଝାଡ଼ଖଣ୍ଡ ଚାଇଁବୋସା ଜିଲ୍ଲା ମଝିଗାଁର ଏମରଜ ମଝିଗାଁରେ ଫୋନ୍ କରୁନଥିଲା। ଫୋନ୍ ଟ୍ରାକିଂ ହେଲେ ଧରାପଡ଼ିଯିବା ଭୟରେ ଝାଡଖଣ୍ଡ ମଝିଗାଓଁ ଜିଲ୍ଲାର ସୀମାକୁ ଲାଗି କେନ୍ଦୁଝର ଜୟନ୍ତ ଗଡ଼ ଓ ମୟୂରଭଞ୍ଜର ରରୁଆଁ ବ୍ଲକକୁ ଆସି ଫୋନ୍ କରୁଥିଲା। ବେଳେବେଳେ ବଡ଼ବିଲରୁ ଢେଙ୍କାନାଳ ବି ବସରେ ଯାଉଥିଲା ଫୋନ୍ କରିବାକୁ। ଡାକ୍ତର ସଲିମ ଓ କେନ୍ଦୁଝର ଖଣି ଅଞ୍ଚଳ ଯୋଡ଼ା ଓ ବଡ଼ବିଲର ଖଣି ବ୍ୟବସାୟୀଙ୍କୁ ଫୋନ୍ କରିବାକୁ ସେ ଏହି ସବୁ ଅଞ୍ଚଳକୁ ଆସୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe