ରାଜଧାନୀରେ ବଢ଼ୁଛି କୁକୁର କାମୁଡ଼ା, ଦୈନିକ ୨ଶହରୁ ଅଧିକ ଟିକା ଫୋଡ଼ା

ରାଜଧାନୀରେ ବଢ଼ୁଛି କୁକୁର କାମୁଡ଼ା, ଦୈନିକ ୨ଶହରୁ ଅଧିକ ଟିକା ଫୋଡ଼ା

ଭୁବନେଶ୍ୱର: ସମ୍ପ୍ରତି ରାଜଧାନୀରେ ଲୋକଙ୍କୁ କୁକୁର କାମୁଡ଼ା ମାମଲା ବଢ଼ିଚାଲିଛି। ବାହାରେ ବୁଲା କୁକୁର ଯେତିକି ଲୋକଙ୍କୁ କାମୁଡ଼ୁଛନ୍ତି, ଘରେ ପୋଷାକୁକୁର ବି ସମାନ ପରିମାଣରେ ଲୋକଙ୍କୁ କାମୁଡ଼ି ଆହତ କରୁଛନ୍ତି। ଏବେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨ଶହରୁ ଅଢ଼େଇଶହ ଲୋକ କୁକୁର କାମୁଡ଼ା ଇଞ୍ଜେକ୍‌ସନ ନେଉଥିବାରୁ ସ୍ଥିତି କେତେ ଗମ୍ଭୀର ଜଳଜଳ ହୋଇ ଦେଖାଯାଉଛି। ସହରରେ ବନ୍ଧ୍ୟାକରଣ ନିୟମିତ ‌‌ହେଉନଥିବାରୁ ରାଜଧାନୀର ରାଜରାସ୍ତା‌ରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଚାଲିବା ବେଳେ ଲୋକଙ୍କ ଭିତରେ ସଚେତନତା ଅଭାବରୁ କୁକୁର କାମୁଡ଼ା ମାମଲା ବଢ଼ିବାରେ ଲାଗିଛି।

କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା‌ ସୂଚନାନୁସାରେ ଏବେ ଦିନକୁ ପ୍ରାୟ ୨ ଶହରୁ ୨୫୦ ଜଣ କୁକୁର କାମୁଡ଼ା ରୋଗୀ ହସ୍ପିଟାଲରେ ଟିକା‌ ନେଉଛନ୍ତି। କିଛି ବର୍ଷ ପୂର୍ବରୁ ଏଠାରେ ଦୈନିକ ମାତ୍ର ୪୦ ଟିକା ଦିଆଯାଉଥିଲା। ପରେ ବଢ଼ି ବଢ଼ି ଟିକା ଫୋଡ଼ା ସଂଖ୍ୟା ୧୮୦କୁ ବଢ଼ାଇ ଦିଆଗଲା। ନିୟମାନୁସାରେ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୁକୁର କାମୁଡ଼ା ଆହତଙ୍କୁ ଟିକା‌ ଦିଆଯାଉଥିଲା। ଏବେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁଛି। ଟିକା ଦେଉଥିବା ଜଣେ କର୍ମଚାରୀଙ୍କ ସୂଚନାନୁସାରେ ପ୍ରଜନନ ସମୟରେ ସାଧାରଣତଃ ରାତି ସମୟରେ ବୁଲା କୁକୁରମାନେ ଅଧିକ ହିଂସ୍ର ହୋଇଥାଆନ୍ତି। ତେଣୁ ରାଜଧାନୀର କର୍ମଜୀବୀମାନେ ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ସମସ୍ୟାରେ ପଡ଼ନ୍ତି। ସେହିଭଳି ବହୁ ଲୋକ ସଉକରେ ଘରେ ପୋଷା କୁକୁର ରଖୁଛନ୍ତି, କିନ୍ତୁ ସେମାନଙ୍କ ସହ କିଭଳି ଚଳିବାକୁ ହେବ, ସେବାବଦରେ ସତର୍କ ହେଉନାହାନ୍ତି। ବିଶେଷକରି ବସ୍ତିବାସିନ୍ଦାମାନେ ଘରେ ରଖୁଥିବା ପୋଷା କୁକୁର ସେମାନଙ୍କ ପିଲାମାନଙ୍କୁ କାମୁଡ଼ୁଛନ୍ତି।

ସେହିଭଳି ବହୁ ଲୋକ କୁକୁର ରଖୁଛନ୍ତି, କିନ୍ତୁ ସେମାନଙ୍କୁ ଆବଶ୍ୟକ ଟିକାକରଣ କରାଉନାହାନ୍ତି। ତେଣୁ ସେଭଳି କ୍ଷେତ୍ରରେ ପୋଷା କୁକୁର ଖେଳୁଖେଳୁ ନଖ ବାଜିଯାଉଛି କିମ୍ବା ଦାନ୍ତ ବାଜିଯାଉଛି। ଫଳରେ କୁକୁର କାମୁଡ଼ା ଇଞ୍ଜେକ୍‌ସନ ନେବାକୁ ପଡ଼ୁଛି। ତେବେ ରାତିରେ କାମ କରୁଥିବା ଲୋକମାନଙ୍କ କହିବା କଥା, ଏବେ ରାତି ହେଲେ, ଘରୁ ଗୋଡ଼ କାଢ଼ିବାକୁ ଡର ଲାଗୁଛି। ବାହାରେ ଲୁଟେରାଙ୍କ ଆତଙ୍କ ଯେତିକି ବୁଲା କୁକୁରଙ୍କ ଦୌରାତ୍ମ୍ୟ ସେତିକି। ବୁଲା କୁକୁରମାନେ ମେଳିବାନ୍ଧି ଲୋକଙ୍କୁ କାମୁଡ଼ି ଗୋଡ଼ାଉଛନ୍ତି।

ବନ୍ଧ୍ୟାକରଣ ବାବଦରେ ବିଏମ୍‌ସି ଅଧିକାରୀଙ୍କ କହିବା କଥା ନିୟମିତ ବନ୍ଧ୍ୟାକରଣ କରାଯାଉଛି। ଏବେ ଖରାଦିନ ହୋଇଥିବାରୁ କୁକୁରଙ୍କୁ ବନ୍ଧ୍ୟାକରଣ କରିହେବନାହିଁ। ତେଣୁ ଆଗକୁ ବର୍ଷା ଓ ଶୀତ ଦିନ ହେଲେ, ପୁଣି ବନ୍ଧ୍ୟାକରଣ କରାଯିବ। ତେବେ ଯାତାୟାତ କଲା ବେଳେ ସତର୍କ ରହିବାକୁ ପଡ଼ିବ ବୋଲି ଅଧିକାରୀ କହିଛନ୍ତି। ବେଳେବେଳେ କିଛି ଗାଡ଼ିଚାଳକ ବୁଲା କୁକୁରଙ୍କୁ ଗାଡ଼ି ମଡ଼ାଇ ଆହତ କରନ୍ତି ଓ ସେମାନଙ୍କୁ ରଗେଇଥାନ୍ତି। ଫଳରେ ସେମାନେ ଅନ୍ୟ ଲୋକଙ୍କୁ କାମୁଡ଼ିବାକୁ ଗୋଡ଼ାନ୍ତି। ଲୋକେ ଏସବୁ କାମ ନକରି, ବରଂ ବୁଲା କୁକୁରମାନଙ୍କ ଯତ୍ନ ପ୍ରତି ସଚେତନ ହେବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe