ଭୁବନେଶ୍ବର: ଖରା ଆଳରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ କରିଦେଲେ। ବଡ଼ବଡ଼ିଆଙ୍କ ପାଇଁ କୁକୁର ବାଇ ଲ’ ବି ଖତଗଦାରେ ପକାଇଦେଲେ। ଫଳରେ ଭୁବନେଶ୍ବରରେ ଏବେ ଚିନ୍ତା ବଢ଼ାଇଲେଣି ଦେଶୀ(ବୁଲା) ଓ ବିଦେଶୀ କୁକୁର। ପୂର୍ବରୁ ଯେମିତି ରାସ୍ତା କଡ଼ରେ ଯେମିତି ବିଦେଶୀ କୁକୁର ଝାଡ଼ା ଫେରୁଥିଲେ ସେମିତି ଫେରୁଛନ୍ତି। ବନ୍ଧ୍ୟାକରଣ ବନ୍ଦ ହୋଇଯିବାରୁ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ସହ ଟୀକାକରଣ ହେଉ ନଥିବାରୁ ସେମାନେ ଆକ୍ରମଣାତ୍ମକ ହେଲେଣି। ଆଗରୁ କେବଳ ରାତି ହେଲେ ସେମାନେ ଆକ୍ରମଣ କରୁଥିଲେ, କିନ୍ତୁ ଏବେ ଦିନରେ ବି ଛାଡ଼ୁ ନାହାନ୍ତି। କୁକୁର ଆକ୍ରମଣରେ ଆହତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଯାବତୀୟ ରୋଗର ବାହକ ସାଜିଲେଣି। ଉଭୟ ଦେଶୀ ଓ ବିଦେଶୀ କୁକୁରଙ୍କ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାର ମୂଳ ବିଏମ୍ସି। ପୂର୍ବରୁ ରାଜ୍ୟ ସରକାରଙ୍କ ପାଖରେ ଫାଇଲ୍ ପଡ଼ିଛି କହି ବିଏମ୍ସି ଖସି ଯାଉଥିଲା। ହେଲେ ଏବେ ସରକାର ବଦଳିଛି। ଏପଟେ ବିଏମ୍ସି କମିସନର ଯିଏ ଅଛନ୍ତି, ସେ ବି ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ରହିଛନ୍ତି। କିନ୍ତୁ ନା ବନ୍ଧ୍ୟାକରଣ ହୋଇପାରୁଛି ନା ପୋଷା କୁକୁର ବାଇ ଲ’ ସ୍ବୀକୃତି ଲାଭ କରୁଛି!
କୁକୁରଙ୍କ ସଂଖ୍ୟା ବଢ଼ିବାରୁ ବିଏମ୍ସି ୨୦୨୨ ମସିହାରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କିନ୍ତୁ ଏହା ସଫଳ ହୋଇ ନଥିଲା। ଯେତିକି ବନ୍ଧ୍ୟାକରଣ ହେଲା ତା’ ଠାରୁ ଦୁଇ ଗୁଣା କୁକୁର ଜନ୍ମ ହେଲେ। ଏହା ପରେ ବିଏମ୍ସି ଗ୍ଲୋବାଲ୍ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରି ବିଧିବଦ୍ଧ ଭାବରେ କୁକୁର ବନ୍ଧ୍ୟାକରଣ ଆରମ୍ଭ କରିଥିଲା। କିନ୍ତୁ ବନ୍ଧ୍ୟାକରଣ କରୁଥିବା ସଂସ୍ଥା ଭେଟ୍ସ୍ ଫର ଆନିମଲ୍ସକୁ ଭାରତୀୟ ପ୍ରାଣୀ ମଙ୍ଗଳ ପରିଷଦ(ଆନିମଲ ୱେଲ୍ଫେୟାର ବୋର୍ଡ ଅଫ୍ ଇଣ୍ଡିଆ) ପ୍ରୋଜେକ୍ଟ ରେକଗ୍ନାଇଜେସନ ସାର୍ଟିଫିକେଟ୍ (ପିଆରସି) ଦେଇ ନଥିଲା। ଏଣୁ ମାମଲା ହାଇକୋର୍ଟ ଯାଇଥିଲା। ଏହି ପ୍ରମାଣପତ୍ର ପାଇବା ଯାଏ ବନ୍ଧ୍ୟାକରଣ ଜାରି ରଖିବାକୁ କୋର୍ଟରେ ସର୍ତ୍ତ ରଖି ବିଏମ୍ସି ଆସିଥିଲେ ମଧ୍ୟ ଏହି ପ୍ରମାଣପତ୍ର ମିଳି ନଥିଲା। ଫଳରେ ବନ୍ଧ୍ୟାକରଣ ବନ୍ଦ ରଖିବାକୁ ବିଏମ୍ସି ବାଧ୍ୟ ହୋଇଥିଲା। କିନ୍ତୁ ଗତ ମେ’ ମାସରେ ପ୍ରବଳ ଖରା ପାଇଁ ଏହାକୁ ବନ୍ଦ ରଖାଯାଇଥିବା ବିଜ୍ଞପ୍ତି ଜାରି କରିଥିଲା। ସେବେଠାରୁ ବନ୍ଧ୍ୟାକରଣ ବନ୍ଦ ହୋଇଥିବା ବେଳେ କୁକୁରଙ୍କ ଉତ୍ପାତ ବଢ଼ିଛି। କୁକୁର କାମୁଡ଼ା ଓ ଆକ୍ରମଣରେ ଆହତଙ୍କ ସଂଖ୍ୟା ୧୦୦(ମାସକୁ)ରେ ପହଞ୍ଚିଛି। ରାତି ବଢ଼ିଲେ ନିଜ ଘରକୁ ବି ଫେରିବା ଭୟ ଲାଗୁଛି। ଏକାଠି କୁକୁରମାନେ ଆକ୍ରମଣ କରୁଥିବାରୁ ଭୟଙ୍କର ପରିସ୍ଥିତି ଉପୁଜୁଛି।
ଖରା ଆଳରେ ଅପରେସନ ବନ୍ଦ
ଚିନ୍ତା ବଢ଼ାଇଲେଣି ଦେଶୀ, ବିଦେଶୀ
ବନ୍ଧ୍ୟାକରଣ ପାଇଁ ନୂଆ ଟେଣ୍ଡର ଖୁବ୍ଶୀଘ୍ର-ବିଏମ୍ସି
ଜଣେ ପଡ଼ୋଶୀ ନାବାଳକଙ୍କୁ ଏକ ପୋଷା କୁକୁର ଖିନ୍ଭିନ୍ କରିପକାଇବାରୁ ସାରା ରାଜ୍ୟରେ ହଇଚଇ ହୋଇଥିଲା। ଏଣୁ ବିଏମ୍ସି ପୋଷା କୁକୁରଙ୍କ ପାଇଁ ଏକ ବାଇ ଲ’ ପ୍ରସ୍ତୁତ କରିଥିଲା। ଏହି ବାଇ ଲ’କୁ ଗତ ମାର୍ଚ୍ଚ ମାସରେ ବିଏମ୍ସି ତା’ର ମାସିକ ବୈଠକରେ ମଞ୍ଜୁରୀ ଦେବା ସହ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ସ୍ବୀକୃତି ପାଇଁ ପଠାଇଥିଲା। ତତ୍କାଳୀନ ବିଜେଡି ସରକାର ଏହାକୁ ସ୍ବୀକୃତି ଦେଉନଥିବା ଚର୍ଚ୍ଚା ହୋଇଥିଲା। ଏହି ବାଇ ଲ’ରେ ସର୍ବସାଧାରଣ ସ୍ଥାନରେ ପୋଷା କୁକୁର ବୁଲିବା ଉପରେ କଟକଣା ଥିଲା। ପାର୍କ, ରେସ୍ତୋରାଁ, ଜିମ୍ ଓ ମଲ୍କୁ କୁକୁର ନେବେ ନାହିଁ। ଧାର୍ଯ୍ୟ ସ୍ଥାନରେ କୁକୁରଙ୍କୁ ଝାଡ଼ା ଫେରାଇବାକୁ ହେବ। ଖିଲାପ ହେଲେ କୁକୁର ମାଲିକ ମୋଟା ଅଙ୍କର ତଣ୍ଡ ଗଣିବା ବ୍ୟବସ୍ଥା ଥିଲା। ପୋଷା କୁକୁରଙ୍କ ବେକରେ ଲାଗିବାକୁ ଥିବା ଟ୍ୟାଗ୍ରେ ମାଲିକଙ୍କର ସବିଶେଷ ବିବରଣୀ ରହିଥାନ୍ତା। ଆକ୍ରମଣ କରିବା ପରେ ମାଲିକଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ଏହି ବ୍ୟବସ୍ଥା ହୋଇଥିଲା। କୁକୁରକୁ ମାଲିକ ବିଏମ୍ସିରେ ପଞ୍ଜୀକରଣ କରିବେ। ବିନା ପଞ୍ଜୀକରଣରେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଥିଲା। କୁକୁରର ମୃତ୍ୟୁ ଘଟିଲେ ବାହାରେ ନପକାଇ ବିଏମ୍ସିର ସହାୟତା ନେବ। ଏତେ ସବୁ କଟକଣା ଦେଖିବା ପରେ ବଡ଼ବଡ଼ିଆ ଛାନିଆ ହୋଇଥିଲେ। କାରଣ ଗରିବଙ୍କ ଘରେ ନୁହେଁ, ବରଂ ବଡ଼ବଡ଼ିଆଙ୍କ ଘରେ ହିଁ ଏକାଧିକ କୁକୁର ରହିଥିଲେ। ଏଣୁ ଏହି ବାଇ ଲ’କୁ ଖତ ଗଦାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏ ନେଇ ବିଏମ୍ସି କହିଛି, ବନ୍ଧ୍ୟାକରଣ କରୁଥିବା ସଂସ୍ଥାର ପିଆର୍ସି ନଥିବାରୁ ସମସ୍ୟା ହୋଇଥିଲା। ଏଣୁ ପୁଣି ଥରେ ନୂଆ ଟେଣ୍ଡର ହେଉଛି। କେବଳ ପିଆର୍ସି ଥିବା ସଂସ୍ଥାଙ୍କୁ ହିଁ ଏଥର ସୁଯୋଗ ଦିଆଯିବ। ଏଣୁ ଆଗକୁ ସମସ୍ୟା ହେବ ନାହିଁ। ଖୁବ୍ଶୀଘ୍ର ପୁଣି ଥରେ ବନ୍ଧ୍ୟାକରଣ ଆରମ୍ଭ ହେବ।
Follow Us