ଡକାୟତ ପାକୁଆ ସମେତ ୩ ଗିରଫ; ଟଙ୍କା, ଗହଣା ଓ ମୋବାଇଲ୍ ଜବତ

Advertisment
ଡକାୟତ ପାକୁଆ ସମେତ ୩ ଗିରଫ; ଟଙ୍କା, ଗହଣା ଓ ମୋବାଇଲ୍ ଜବତ

ଭୁବନେଶ୍ବର : କମିସନରେଟ୍‌ ପୁଲିସର ଟାର୍ଗେଟ୍‌ରେ ଥିବା ଦୁର୍ଦ୍ଦାନ୍ତ ଡକାୟତ ପାକୁଆ ଓରଫ୍ ସୂର୍ଯ୍ୟକାନ୍ତ ପଲେଇ(୫୭) ପୁଣି ଗିରଫ ହୋଇଛି। ଖଣ୍ଡଗିରି ଥାନା ପୁଲିସ୍ ପାକୁଆ ସହ ତା’ ଗ୍ୟାଙ୍ଗ୍‌ର ଅନ୍ୟ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ସରକନ୍ତରାର ସୁନିଲ ପରି଼ଡ଼ା ଓରଫ୍ ସନିଆ(୨୨) ଏବଂ ଡୁମୁଡୁମା ରଘୁନାଥନଗରର ମିଥୁନ୍ ରେଡ୍ଡି(୧୯)। ସେମାନଙ୍କ ନିକଟରୁ ନଗଦ ୩୭ ହଜାର ଟଙ୍କା, ତିନିହଳ ସୁନା କାନଫୁଲ, ୯ଟି ସୁନା ମୁଦି, ଗୋଟିଏ ସୁନା ହାର, ୫ଶହ ଗ୍ରାମ୍‌ର ରୁପା ଅଳଙ୍କାର ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ସୂଚନାନୁସାରେ ଗତ କିଛି ଦିନ ହେଲା ପୁରୀ ବଳଙ୍ଗାର ପାକୁଆ ଗ୍ୟାଙ୍ଗ୍‌ ପୁଣି ରାଜଧାନୀରେ ମାତିଥିଲେ। ଗତ କିଛି ଦିନ ଭିତରେ ଏହି ଗ୍ୟାଙ୍ଗ୍‌ ଖଣ୍ଡଗିରି ଅଞ୍ଚଳରେ ୩ ଜଣଙ୍କ ଘରର ଝରକା ତାଡ଼ି ସୁନାଗହଣା ଓ ଟଙ୍କା ପଇସା ଲୁଟ୍‌ପାଟ୍‌ କରିଥିଲେ। ପାକୁଆ ଗ୍ୟାଙ୍ଗ୍‌ର ଏହି କାମ ବୋଲି ଜଣାପଡ଼ିବା ପରେ ପୁଲିସର ନିଦ ହଜି ଯାଇଥିଲା। ତେବେ ପେସାଦାର ପାକୁଆକୁ ଠାବ କରିବା ପୁଲିସ ପାଇଁ ସହଜ ନଥିଲା। କାରଣ ଏଥର ସେ ନୂଆ ଗ୍ୟାଙ୍ଗ୍‌ ଗଢ଼ିଥିଲା। ଗତ କିଛି ଦିନ ତଳେ ସନିଆ ଓ ମିଥୁନ୍‌ ରାସ୍ତାରୁ ଜଣେ ଲୋକଙ୍କ ମୋବାଇଲ୍ ଫୋନ୍‌ ଛଡ଼େଇ ନେଇଥିଲେ। ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ପିଛା କରି ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ପୁଲିସ ପାକୁଆ ନିକଟରେ ପହଞ୍ଚି ପାରିଥିଲା। ପାକୁଆ ନାଁରେ ଖଣ୍ଡଗିରି, ଭରତପୁର, ଭଦ୍ରକ, ପିପିଲି ଓ ବଳଙ୍ଗା ଆଦି ଥାନାରେ ଡକାୟତି ମାମଲା ରହିଛି। ବାରମ୍ବାର ଗିରଫ ହେଉଥିଲେ ମଧ୍ୟ ଜାମିନ୍‌ରେ ଆସି ସେ ପୁଣି ଡକାୟତି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe