କରୋନା କଟକଣାରେ ଦୋଳ ମେଳଣ, ଜମିବନି ଦୋପଟି ଜମାଣ

Advertisment
କରୋନା କଟକଣାରେ ଦୋଳ ମେଳଣ, ଜମିବନି ଦୋପଟି ଜମାଣ

ବାଲିପାଟଣା: ଗତବର୍ଷ କରୋନା କଟକଣା ଲାଗୁ ହେବା ପୂର୍ବରୁ ସ୍ଥାନୀୟ ପ୍ରସିଦ୍ଧ ଦୋପଟି ମେଳଣ ସମ୍ପନ୍ନ ହୋଇଯାଇଥିଲା। ତେଣୁ ଲୋକେ ଏହି ମେଳଣର ମଜା ନେଇଥିଲେ। ମାତ୍ର ଅନ୍ୟ ମେଳଣ ବେଳକୁ କରୋନା କଟକଣା ଲାଗୁ ହୋଇଯାଇଥିଲା। ଫଳରେ କେବଳ ବିଧି ରକ୍ଷା ପାଇଁ ନିରାଡ଼ମ୍ବର ସହକାରେ ସେସବୁ ମେଳଣ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କରୋନା କଟକଣା ଦୋପଟି ମେଳଣ ପିଛା ଧରିଛି। କରୋନାର ଦ୍ବିତୀୟ ଲହରକୁ ଭୟ କରି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଫଳରେ ଏବର୍ଷ ଦୋପଟି ମେଳଣ ଫିକା ପଡ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। ଏହି ମେଳଣର ମୁଖ୍ୟ ଆକର୍ଷଣ ଜମାଣ ଉପରେ କଟକଣା ଲାଗୁ କରାଯାଇଛି। ବାଜା, ବାଣ ଓ ରୋଷଣି କିଛି ଦେଖିବାକୁ ମିଳିବନାହିଁ। ସେହିଭଳି ମେଳଣ ହାଟକୁ ବି ଅନୁମତି ନାହିଁ। ତେଣୁ ସ୍ଥାନୀୟ ଉଠା ଦୋକାନୀଙ୍କ ଭେଳା ବୁଡ଼ିଲା ବୋଲି ଜଣାପଡ଼ିଛି।

ଚଳିତ ମାସ ୨୬ ତାରିଖ ଶୁକ୍ରବାର ବାଲିପାଟଣାର ସର୍ବପୁରାତନ ଦୋପଟି ମେଳଣ ଅନୁଷ୍ଠିତ ହେବାକୁ ଯାଉଛି। ବ୍ରିଟିଶ ଶାସନ କାଳରୁ ଏହି ମେଳଣ ଚାଲିଆସୁଛି। ସେତେବେଳର ଥାନା ଡେପୁଟି ସାହେବ ଏହି ମେଳଣ ଆରମ୍ଭ କରିଥିବାରୁ ଲୋକେ ଏହାକୁ ଡେପୁଟି ମେଳଣ ବୋଲି କହୁଥିଲେ। କିନ୍ତୁ ପରେ ଡେପୁଟିର ଅପଭ୍ରଂଶ ହୋଇ ଏହା ଦୋପଟି ମେଳଣ ବୋଲି କୁହାଯାଉଛି। ଏହି ମେଳଣକୁ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ପ୍ରାୟ ୨୦ ଗାଁରୁ ଚଳନ୍ତି ପ୍ରତିମାମାନେ ସୁସଜ୍ଜିତ ଦୋଳ ବିମାନରେ ଆସିଥାନ୍ତି। ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ଶ୍ରୀ ବୁଦ୍ଧନାଥ ମହାଦେବ ଏହି ମେଳଣର ଥାନପତି। ସରାଟ ନୀଳକଣ୍ଠେଶ୍ୱର ମହାଦେବ ଓ ଗୋପିନାଥ ଦେବ, ସଠିଲୋ ଚମ୍ପନାଥ, ଚଣାହଟ୍ଟା ରାଧାଗୋବିନ୍ଦ, ଶିଶୁମଠ ସାହିର ମଦନ ମୋହନ, କୁଳନ୍ତିରା ଶାସନ/ବାରିଲୋ/ବ୍ରାହ୍ମଣ ଷଡ଼ଙ୍ଗୀର ଗିରିଙ୍ଗ ଗୋପୀନାଥ, ବାରିଲୋ ରାଧାମାଧବ ଆଦି ଠାକୁରଙ୍କ ଚଳନ୍ତି ପ୍ରତିମା ଦୋଳ ବିମାନରେ ଆସି ମେଳଣ ପିଣ୍ଡିରେ ପୂଜା ପାଆନ୍ତି। ତେବେ ଜମାଣ ରାତିରେ ୧୦ରୁ ଅଧିକ ଦୋଳ ବିମାନ ଶୋଭାଯାତ୍ରାରେ ସାମିଲ୍ ହୁଅନ୍ତି। ସେଥିପାଇଁ ଜମାଣରେ ଲାଇଟ୍‌, ଡିଜେ, ଦେଶୀୟ ବାଜା, ବାଣ, କଳ ଘୋଡା ଓ ଘୋଡା ନାଚ, ସମ୍ବଲପୁରୀ ବାଜା, ଘଣ୍ଟ, ବଗବଗୁଲି ନୃତ୍ୟ, ନାଗା ନାଚ ପ୍ରଭୃତି ଦେଖିବାକୁ ମିଳେ। ପାଇକ ଆଖଡ଼ା ବାଦ୍ୟ ତାଳରେ ନାଗା ନାଚ ବେଶ୍ ଉପଭୋଗ୍ୟ ହୋଇଥାଏ। ସେହିଭଳି ପିଲାଙ୍କ ପାଇଁ ଘୋଡ଼ା, ଷଣ୍ଢ, ବୁଢ଼ାବୁଢ଼ୀ ନୃତ୍ୟ ମନୋରଂଜନର ଖୋରାକ ଯୋଗାଇଥାଏ। ଡିଜେ ତାଳେତାଳେ ଯୁବକମାନେ ମତୁଆଲା ନାଚ କରନ୍ତି। ତେବେ ମୁଖ୍ୟ ଆକର୍ଷଣ ହୋଇଥା‌ଏ ଆତସବାଜି କାର୍ଯ୍ୟକ୍ରମ। ସନ୍ଧ୍ୟାରୁ ରାତି ପାହିବା ପର୍ଯ୍ୟନ୍ତ ଲୋକେ ବିଭିନ୍ନ ପ୍ରାଚୀନ ଲୋକକଳାରୁ ମଜା ଉଠାଇଥାଆନ୍ତି।

ସ୍ଥାନୀୟ ଲୋକଙ୍କ ପାଇଁ ମେଳାର ଦୋକାନ ବଜାର ଗୁରୁତ୍ବ ରଖେ। ବିଭିନ୍ନ ଘରକରଣା ଜିନିଷ କିଣିବାକୁ ମିଳେ। ମାତ୍ର ଚଳିତ ବର୍ଷ ସବୁ ବନ୍ଦ। ଠାକୁରମାନେ ମେଳଣ ପଡ଼ିଆକୁ ବିନା ଶୋଭାଯାତ୍ରାରେ ଆସି ବିଧି ଅନୁସାରେ ହରିହର ଭେଟ ପରେ ଫେରିବେ। ଭିଡ଼ କମ କରିବାକୁ ମେଳଣରେ ଦୋକାନ ବଜାର ଓ ଶୋଭାଯାତ୍ରାରେ ବାଜା, ବାଣ, ରୋଷଣିକୁ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe