୪୦ ମିନିଟ୍‌ରେ ଅସମ୍ଭାଳ: ଆଜିଠୁ ଦୁଇ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା

୪୦ ମିନିଟ୍‌ରେ ଅସମ୍ଭାଳ: ଆଜିଠୁ ଦୁଇ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମାତ୍ର ଅଧଘଣ୍ଟା ବର୍ଷା ହେଲା। କିନ୍ତୁ ରାଜଧାନୀର ବହୁ ଅଞ୍ଚଳ ଜଳବନ୍ଦୀ ହୋଇଗଲା। ଡ୍ରେନ୍‌ରୁ ପାଣି ଉଛୁଳି ରାସ୍ତା ଉପରେ ଚାଲିଲା। ରାସ୍ତାରୁ ଉଛୁଳି ଘରେ ପଶିଲା। ଏମିତି ସ୍ଥିତି ଆଜି ଆଚାର୍ଯ୍ୟ ବିହାରରୁ ବରମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ ବାମ ପାର୍ଶ୍ୱରେ ଥିବା ଅଞ୍ଚଳରେ ଦେଖା ଦେଇଥିଲା। ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ପମ୍ପ୍‌ ସାହାଯ୍ୟରେ ପାଣି ନିଷ୍କାସନ କରାଯିବା ପରେ ଲୋକ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ସୋମବାର ଓ ମଙ୍ଗଳବାର ରାଜଧାନୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସାରା ଓଡ଼ିଶାରେ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ଯଦି ରାଜଧାନୀରେ ଜଳ ନିଷ୍କାସନ ନେଇ କିଛି ତ୍ୱରିତ ପଦକ୍ଷେପ ନିଆନଯାଏ, ତେବେ ସ୍ଥିତି ସଙ୍ଗିନ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଆଜି ଦିନତମାମ୍‌ ରାଜଧାନୀରେ ପାଗ ମେଘୁଆ ରହିଥିବା ବେଳେ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିଲା। କିନ୍ତୁ ଅପରାହ୍ନ ୧ଟା ୩୦ ବେଳକୁ ରସୁଲଗଡ଼ରୁ ବରମୁଣ୍ଡା ପର୍ଯ୍ୟନ୍ତ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଯିବା ସହ ମୂଷଳଧାରାରେ ବର୍ଷା ଅଜାଡ଼ି ହୋଇ ଯାଇଥିଲା। ପ୍ରାୟ ୪୦ ମିନିଟ ଏମିତି ବର୍ଷା ହେଲା ଯେ, ଜାତୀୟ ରାଜପଥ ଉପରେ ଅଣ୍ଟେ ଉଚ୍ଚରେ ପାଣି ଜମା ହୋଇଗଲା। ଇସ୍କନ୍‌ ସମ୍ମୁଖରେ ତ ସ୍ଥିତି ସଙ୍ଗିନ୍‌ ହୋଇଗଲା। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ନୂଆପଲ୍ଲୀ, ସିଆରପି, ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, ବରମୁଣ୍ଡା ଗାଁ, ସୌଭାଗ୍ୟ ନଗର, କୃଷି ବିହାର ଆଦି ଅଞ୍ଚଳରେ ପାଣି ଜମି ରହିବାରୁ ଲୋକ ଘରୁ ବାହାରି ପାରିନଥିଲେ। ବିଏମ୍‌ସି ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପମ୍ପ୍‌ ଲଗାଇ ପାଣି ନିଷ୍କାସନ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

୫୭ ଜାଗା ଚିହ୍ନଟ, ଆଗୁଆ ପମ୍ପ ଲାଗିବ
ଭାରତୀୟ ପାଣିପାଗ କେନ୍ଦ୍ର ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ ଜାରି କରିବା ପରେ ଭୁବନେଶ୍ୱର ଯେପରି ଦୀର୍ଘ ସମୟ ପାଇଁ ଜଳବନ୍ଦୀ ନ ହେବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀର ଯେଉଁ ସ୍ଥାନରେ ପାଣି ନିଷ୍କାସନରେ ସମସ୍ୟା ଉପୁଜୁଛି, ସେହିଭଳି ୫୭ଟି ସ୍ଥାନ ଚିହ୍ନଟ ହୋଇଛି। ଏହି ୫୭ଟି ସ୍ଥାନରେ ସୋମବାର ସକାଳୁ ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପାଣି ପମ୍ପ୍‌ ମୁତୟନ କରିବାକୁ କୁହାଯାଇଛି। ବର୍ଷା ପାଣିକୁ ତୁରନ୍ତ ନିକଟସ୍ଥ ମୁଖ୍ୟ ଡ୍ରେନ୍‌ ଏବଂ ଖୋଲା ଅଞ୍ଚଳକୁ ଛାଡ଼ିବାକୁ କୁହାଯାଇଛି। ବିଏମ୍‌ସିର ୧୩ଟି ସବ୍‌ଜୋନ୍‌ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବେ। କଣ୍ଟ୍ରୋଲ ରୁମ୍‌କୁ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ଆଜି ବିଏମ୍‌ସି ପକ୍ଷରୁ ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, କୃଷି ବିହାର, ସୌଭାଗ୍ୟ ନଗର, ବମିଖାଲର ଗାୟତ୍ରୀ ବିହାର, ଜୟଦେବ ବିହାର ନିକଟସ୍ଥ ପବିତ୍ର ଗେଷ୍ଟ ହାଉସ୍‌ ଲେନ୍‌-୩ରୁ ପମ୍ପ୍‌ ଲଗାଇ ପାଣି ନିଷ୍କାସନ କରାଯାଇଥିବା ବେଳେ ଆଚାର୍ଯ୍ୟ ବିହାର ଓ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ନିକଟରୁ ସେସ୍‌ପୁଲ୍‌ ମାଧ୍ୟମରେ ପାଣି କଢ଼ା ଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ସାମନ୍ତରାପୁର ନିକଟସ୍ଥ ରୁଦ୍ରବିହାର, ଜୟଦେବ ବିହାରର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ଘନଶ୍ୟାମ ଆପାର୍ଟମେଣ୍ଟ, ପାଇକ ନଗର ଓ ମଲ୍ଲିକ କମ୍ପ୍ଲେକ୍ସ ନିକଟରେ ବି ପମ୍ପ୍‌ ଯୋଗେ ପାଣି କଢ଼ା ଯାଇଥିଲା। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ରାଜଧାନୀର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆହୁରି ଦୁଇରୁ ତିନି ବର୍ଷ ଲାଗିବ। ଏବେ ଯାହା ଅସ୍ଥାୟୀ ସମାଧାନ ହୋଇପାରିବ। ତେଣୁ ଆମେ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଯାହା ପଦକ୍ଷେପ ନେବୁ। ବର୍ଷା ପାଣି ନ ଜମିବା ପାଇଁ ଏବେ କିଛି କରି ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe