ସରକାରୀ ନିୟମକୁ ଫୁ: ୪୦ ଡିଗ୍ରିରେ ସ୍କୁଲ୍‌ ଖୋଲା

Advertisment
ସରକାରୀ ନିୟମକୁ ଫୁ: ୪୦ ଡିଗ୍ରିରେ ସ୍କୁଲ୍‌ ଖୋଲା

ଭୁବନେଶ୍ୱର: ପ୍ରବଳ ଖରା ହେଉଥିବାରୁ ଗ୍ରୀଷ୍ମ ଛୁଟିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଜୁନ୍‌ ୨୧ ବଦଳରେ ୨୫ ପର୍ଯ୍ୟନ୍ତ ଛୁଟିର ଅବଧି ବଢ଼ିଛି। କିନ୍ତୁ ଏହାକୁ ମାନୁନାହାନ୍ତି ରାଜଧାନୀର କେତେକ ସ୍କୁଲ। ୪୨ ଡିଗ୍ରି ତାପମାତ୍ରାରେ ଏଠାରେ ପାଠପଢ଼ା ଚାଲିଛି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ କେତେକ ଘରୋଇ ବିଦ୍ୟାଳୟ ଖୋଲାଯିବା ସହ ପିଲାଙ୍କୁ ପଢ଼ାଯାଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୟୁନିଟ୍‌-୯ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ଏବେ ବି ଖୋଲା ରହିଛି। ପୂର୍ବାହ୍ନ ୧୧ଟାରେ ଛାତ୍ରଛାତ୍ରୀ ଆସି ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ୬ ବର୍ଷ ବୟସର ଛୋଟଛୋଟ ପିଲା ବି ବିଦ୍ୟାଳୟକୁ ଆସୁଛନ୍ତି। ଟାଇଁ ଟାଇଁ ଖରାରେ ଦେହ ଜଳିଯାଇଥିଲେ ମଧ୍ୟ ପିଲାମାନେ ବାଧ୍ୟ ହୋଇ ବିଦ୍ୟାଳୟ ଆସୁଛନ୍ତି। ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ କେତେକ ଅଭିଭାବକଙ୍କର ଇଚ୍ଛା ନ ଥିଲେ ମଧ୍ୟ ସେମନେ ବାଧ୍ୟ ହୋଇ ପିଲାଙ୍କୁ ଆଣି ସ୍କୁଲରେ ଛାଡ଼ୁଛନ୍ତି। ନ ହେଲେ ସେମାନଙ୍କ ପିଲା ଅନ୍ୟ ପିଲାଙ୍କଠାରୁ ପଛରେ ପଡ଼ିଯିବେ ବୋଲି ମନରେ ଧାରଣା ହୋଇଛି। ଏନେଇ ଦୁଇ ଦିନ ତଳେ କେତେଜଣ ଅଭିଭାବକ ସ୍କୁଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳିନି। ୪୦ ଡିଗ୍ର୍ରି ତାପମାତ୍ରାରେ ବି ସ୍କୁଲ ଖୋଲା ରହିଛି। ପିଲାଙ୍କୁ ପାଠପଢ଼ାଯାଉଛି। ପିଲାମାନେ ଅଟୋରେ ଚଢ଼ାମଡ଼ାରେ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ସେମାନଙ୍କୁ ରୋକିବାକୁ କେହି ନାହାନ୍ତି। ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡ଼ୁନି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ କେତେକ ଘରୋଇ ବିଦ୍ୟାଳୟ ମଧ୍ୟ କୋଚିଂ ନାଁରେ ପିଲାଙ୍କୁ ଡାକି ପାଠପଢ଼ାଉଥିବା ନେଇ ଅଭିଯୋଗ ଆସିଛି। ଖୋଦ୍‌ ରାଜଧାନୀରେ ଏଭଳି ଚାଲିଥିଲେ ମଧ୍ୟ ନିୟମ, କଟକଣା ଜାରି କରିଦେଇ ରାଜ୍ୟ ସରକାର ଚୁପ୍‌ ବସିପଡ଼ିଛନ୍ତି। ସ୍କୁଲ ଖୋଲା ଅଛି କି ବନ୍ଦ ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଏପଟେ ସ୍କୁଲ କର୍ତୃପକ୍ଷ କିନ୍ତୁ ଅଜବ ଯୁକ୍ତି ବାଢ଼ିଛନ୍ତି। ତାଙ୍କ କହିବା କଥା ହେଲା ଯେ ଆମେ କିଛି କରିପାରୁ ନାହିଁ। ଉପରୁ ଯାହା ନିଷ୍ପତ୍ତି ହୋଇଛି ତାହାକୁ ପାଳନ କରୁଛୁ। ଆଗୁଆ ଗ୍ରୀଷ୍ମଛୁଟି କରାଯିବା ସହ ଶୀଘ୍ର ଖୋଲିବାକୁ ନିୟମ କରାଯାଇଛି। ନ ହେଲେ ପିଲାଙ୍କ ପାଠପଢ଼ା ପଛେଇ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe