ଖାଇବାକୁ ଦେଇନପାରି ଗୋରୁ ବିକିଦେଲେଣି ଗୋ-ପାଳକ

Advertisment
ଖାଇବାକୁ ଦେଇନପାରି ଗୋରୁ ବିକିଦେଲେଣି ଗୋ-ପାଳକ

The Independent

ବାଲିଅନ୍ତା(ନିରଂଜନ ସେନାପତି): ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବାଲିଅନ୍ତା ବ୍ଲକର ସ୍ଥିତି ଏବେ ବି ସ୍ବାଭାବିକ ହୋଇନି। ମାସକ ପରେ ମଧ୍ୟ ୩୦ ପ୍ରତିଶତ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିନାହିଁ। ଘର ଭାଙ୍ଗିଯାଇଥିବା ଓ ଫସଲ ଉଜୁଡ଼ି ଯାଇଥିବା କ୍ଷତିଗ୍ରସ୍ତ ଲୋକ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ‌ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲୋକେ ଖାଇବାକୁ ଦେଇ ନପାରି ଗୋରୁଗାଈ ବିକ୍ରି କରୁଥିବା ଜଣାପଡ଼ିଛି।

ଫନି ପରେ ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ ସରିଥିଲେ ହେଁ ବିପନ୍ନଙ୍କୁ ଏଯାଏ ସରକାରୀ ଅର୍ଥ ପ୍ରଦାନ କରାଯାଇନାହିଁ। ବିଶେଷକରି ତହସିଲ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରଭଙ୍ଗା ଓ ଫସଲ କ୍ଷତିପୂରଣ ରାଶି ପ୍ରଦାନ କରାଯିବାରେ ଅହେତୁକ ବିଳମ୍ବ କରାଯିବାକୁ ନେଇ ପ୍ରତିବାଦର ସ୍ବର ଉଠିଛି। ୨୪ ହଜାର କାର୍ଡଧାରୀଙ୍କୁ କାର୍ଡ ପିଛା ୫୦କିଲୋ ଚାଉଳ ଓ ପଲିଥିନ ବାବଦରେ ୫୦୦ ଟଙ୍କା ଧରାଇ ଦେଇ ବ୍ଲକ ପ୍ରଶାସନ ହାତ ବାନ୍ଧି ବସିଛି। ଗୃହପାଳିତ ପଶୁଙ୍କ ଲାଗି ଆବଶ୍ୟକ ୧୨ ହଜାର କୁଇଣ୍ଟାଲ ଗୋଖାଦ୍ୟ ପ୍ରାଣୀସମ୍ପଦ ବିକାଶ ବିଭାଗ ଯୋଗାଇ ଦେଇନି। କ୍ଷେତ ବାଡ଼ିରେ ନଡ଼ା ମଧ୍ୟ ନଷ୍ଟ ହୋଇଯାଇଛି। ଗୋରୁଙ୍କୁ ଖାଇବାକୁ ଦେଇନପାରି ବାଲିଅନ୍ତାରେ ୪୦ଜଣ ଗୋ-ପାଳକ କମ୍‌ ଦାମରେ ୫୭ଟି ଗୋରୁ ବିକି ଦେଇଥିବା ଜଣାପଡ଼ିଛି। ଆଉ କେତେଜଣ ଚାରଣଭୂମି ସମସ୍ୟା ଯୋଗୁଁ ଛେଳି, ମେଣ୍ଡା ବିକ୍ରି କରିଦେବେ ବୋଲି କହିଛନ୍ତି। ଏପଟେ ବାଲିଅନ୍ତା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ମଧ୍ୟରେ ହୋଇଥିବା ବିବାଦର ଏଯାଏ ସମାଧାନ ହୋଇପାରି ନଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ଏଯାଏ ଆଶାନୁରୂପକ ହୋଇ ପାରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସବୁକିଛି ଅସଜଡ଼ା ଅବସ୍ଥାରେ ଏବେ ବି ପଡ଼ିଛି।

ସୁଧୁରିପାରିନି ଲୋକଙ୍କ ଲାଗି ଅତ୍ୟାବଶ୍ୟକ ବିଜୁଳି ଓ ପାଣି ସମସ୍ୟା। ଲାଇନ ନଥିବାରୁ ଲୋକେ ଗରମରେ ସନ୍ତୁଳି ହେଉଛନ୍ତି। ଫୁଲନଖରା ବିଦ୍ୟୁତ୍‌ ସେକସନ ପକ୍ଷରୁ ବାଲିଅନ୍ତା, ବେଣୁପୁର ଓ ଭିଙ୍ଗାରପୁର ପଞ୍ଚାୟତକୁ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟ ସରିଛି। ବାଳକାଟି ବିଦ୍ୟୁତ୍‌ ସେକ୍ସନ ପକ୍ଷରୁ କେବଳ ବାଳକାଟି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇଥିବା ବେଳେ ଆହୁରି ଅନେକ ଗାଁ ଅନ୍ଧାରରେ ରହିଛି। ବାଲିପାଟଣା ବିଦ୍ୟୁତ୍‌ ସେକ୍ସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଗାଁକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରିନଥିବା ସୂଚନା ମିଳିଛି। ବିଜୁଳି ଯୋଗାଣ ସ୍ବାଭାବିକ ହୋଇନପାରିବା ଯୋଗୁ ପିଇବା ପାଣି ସଂକଟ ଦେଖାଦେଇଛି। ବିଭିନ୍ନ ପଞ୍ଚାୟତରେ ପାଇପ୍‌ ଲାଇନ ପିଇବା ପାଣି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ପ୍ରକଳ୍ପରେ ଜେନେରେଟର ଲଗାଇ ଓ ପାଣିଟାଙ୍କି ଯୋଗେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦୁଇ ବେଳା ଘଣ୍ଟେ ଦି ଘଣ୍ଟା ପାଣି ଯୋଗାଉଛି। ମାତ୍ର ତାହା ଯଥେଷ୍ଟ ହେଉନାହିଁ। ଅନ୍ୟପକ୍ଷରେ କୂଅ ପୋଖରୀର ପାଣି ପିଇ ଲୋକମାନେ ଜ୍ବର, ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଜୁଳି ଯୋଗାଣ ହୋଇଥିବାରୁ ସେଠାରେ ରୋଗୀ ସେବା ଠିକ୍‌ଠାକ ଚାଲିଥିବା ବେଳେ ସରକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ବଇଁଚୁଆଁ ଓ ପ୍ରତାପରୁଦ୍ରପୁର ହୋମିଓପ୍ୟାଥିକ ହସ୍ପିଟାଲରେ ତାଲା ଝୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe