ପାଚେରି ପାଇଁ ଡ୍ରେନ୍ ବଙ୍କା ପ୍ରସଙ୍ଗ, କାହିଁକି ଭାଙ୍ଗିବନି ଶତପଥୀଙ୍କ ପାଚେରି?

Advertisment
ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ବର: ନୂଆପଲ୍ଲୀ ଅଞ୍ଚଳରେ ନିର୍ମାଣାଧୀନ ଡ୍ରେନ୍‌କୁ ଜଣକ ପାଚେରି ପାଇଁ ବଙ୍କେଇ ଦେବା ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜବରଦଖଲ ଉଚ୍ଛେଦ ବାହାନାରେ ଗରିବଙ୍କ ଘର ଭାଙ୍ଗି ପକାଉଥିବା ବିଏମ୍‌ସି କେଉଁ ଚାପରେ ଉକ୍ତ ପାଚେରି ଭାଙ୍ଗିବାକୁ ସାହାସ କରିପାରୁନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନାନୁସାରେ ଟ୍ରାଫିକ୍ ଛକରୁ ଗୋଲାପ ରିସର୍ଟ ଦେଇ ବେହେରା ସାହି ଛକ ପର୍ଯ୍ୟନ୍ତ ଡ୍ରେନ୍ କାର୍ଯ୍ୟ ଚାଲିଛି। ମଝିରେ ସତ୍ୟାର୍ଥୀ ପ୍ରକାଶ ଶତପଥୀଙ୍କ ଘରର ପାଚେରିକୁ ନ ଭାଙ୍ଗି ସେଠାରେ ଡ୍ରେନ୍‌କୁ ବଙ୍କେଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହି ପାଚେରି ଭାଙ୍ଗିବା ପାଇଁ ପ୍ରଥମରୁ ଯୋଜନା ହୋଇଥିଲା। କଣ୍ଟ୍ରାକ୍ଟର ଭାଙ୍ଗିବା ପାଇଁ ଉଦ୍ୟମ କଲାବେଳେ ଶ୍ରୀ ଶତପଥୀ ଏହାକୁ ବିରୋଧ କରିଥିଲେ। ତେଣୁ ବିଏମ୍‌ସି ପକ୍ଷରୁ ପୁଣି ଥରେ ଅମିନଙ୍କ ଦ୍ବାରା ମାପଚୁପ କରାଯାଇଥିଲା। ମାପଚୁପରୁ ଶତପଥୀଙ୍କ ପାଚେରି ପାଖାପାଖା ପ୍ରାୟ ୮ ଫୁଟ୍ ଆଗକୁ ମାଡ଼ି ଯାଇଥିବା ଜଣା ପଡ଼ିଥିଲା। ମାତ୍ର ହଠାତ୍ ଶ୍ରୀ ଶତପଥୀ ଓ ବିଏମ୍‌ସି ଯନ୍ତ୍ରୀମାନଙ୍କ ମଧ୍ୟରେ କ’ଣ ବୁଝାମଣା ହେଲା ଯେ ବିଏମ୍‌ସି ଯନ୍ତ୍ରୀମାନେ ପାଚେରି ଭାଙ୍ଗିବା ପରିବର୍ତ୍ତେ ଡ୍ରେନ୍‌ର ଗତିପଥ ବଦଳାଇ ଦେଲେ। ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦାମାନେ ଡ୍ରେନ୍ ନିର୍ମାଣର ତଦାରଖ କରୁଥିବା କମିଟିକୁ ଜଣାଇଥିଲେ।

ମାତ୍ର କମିଟି କାମରେ ବାଧା ସୃଷ୍ଟି କରି ଲୋକଙ୍କୁ ଜଳବନ୍ଦୀରେ ନ ରଖିବା ପାଇଁ ନିଷ୍ପତ୍ତି ନେଇ ଘଟଣାକୁ ଚାପି ଦେଇଥିଲା। ଏ ବାବଦରେ କମିଟିର ସଦସ୍ୟ ନବକିଶୋର ବେହେରା ଓ ଅର୍ଜୁନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଡ୍ରେନ୍‌କୁ ସଳଖ କରିବା ପାଇଁ ବିଏମ୍‌ସି ଯନ୍ତ୍ରୀଙ୍କୁ କହିଥିଲେ ବୋଲି କହିଥିଲେ। ମାତ୍ର ଶତପଥୀଙ୍କ ପାଚେରି ଭାଙ୍ଗିଲେ ସେ କୋର୍ଟରେ କେସ୍ କରିବେ ଓ କୋର୍ଟରେ କେସ୍ ହେଲେ ଡ୍ରେନ୍ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ କମିଟି ଶ୍ରୀ ଶତପଥୀଙ୍କ ସହ ଆପୋସ ବୁଝାମଣା କରି ଡ୍ରେନ୍‌କୁ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା ବୋଲି ସେମାନେ କହିଥିଲେ। ତେବେ କମିଟିର ଏହି ନିଷ୍ପତ୍ତି ଅନେକ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ସରକାରୀ ଜମିକୁ ଜବରଦଖଲ କରିଥିବା ଶ୍ରୀ ଶତପଥୀଙ୍କ ପ୍ରତି କାହିଁକି ଦରଦ ପ୍ରଦର୍ଶନ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ବାବଦରେ ବିଏମ୍‌ସି ସହକାରୀ ଯନ୍ତ୍ରୀ ଗୌତମ ଦାସଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe