ପୁରୁଣା ଭୁବନେଶ୍ୱର : ବିଏମସି ଓ୍ଵାର୍ଡ ନମ୍ବର ୬୧ ଅଧୀନ ଭୀମଟାଙ୍ଗିରେ ରାସ୍ତାର ଦୁରବସ୍ଥା ଓ ଡ୍ରେନେଜ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ସଫେଇ, ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଡ୍ରେନ୍ ଓ ସ୍ୱେରେଜ୍ରୁ ଉଦ୍ବୃତ୍ତ ଦୂଷିତ ଜଳ ରାସ୍ତା ଉପରେ ଲହଡ଼ି ମାରିବା ସହ ୧୫ରୁ ଊର୍ଧ୍ୱ ଲୋକଙ୍କ ଘରେ ପଶୁଛି। ଓ୍ଵାର୍ଡର ଫେଜ୍-୨ ଦୁର୍ଗା ମନ୍ଦିର ଗଳିରେ ଏପରି ଅବ୍ୟବସ୍ଥା ଲାଗି ରହିଥିଲେ ହେଁ ସମାଧାନ ଦିଗରେ ବିଏମ୍ସି ପଦକ୍ଷେପ ନେଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସେଠାରେ ରହୁଥିବା କିଛି ପରିବାର ଏବେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଫେଜ୍-୨ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ବି ସମବସ୍ଥା। ସ୍ୱେରେଜ୍ ଓ ଡ୍ରେନ୍ ପାଣି ରାସ୍ତାରେ ଲହଡ଼ି ମାରୁଥିବାରୁ ଦୁର୍ଗନ୍ଧରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଅଙ୍ଗନବାଡ଼ିକୁ ଆସୁଥିବା କୁନିକୁନି ପିଲାଙ୍କ ନିକଟରେ ଡ୍ରେନ୍ ପାଣିରେ ଯା’ ଆସ କରି ରୋଗକୁ ନିମନ୍ତ୍ରଣ ବ୍ୟତୀତ ଅନ୍ୟ କୌଣସି ପନ୍ଥା ନାହିଁ।
ଫେଜ୍-୧ର ନାରାୟଣୀ କ୍ଲବଠାରୁ ଭୀମଟାଙ୍ଗି ଯିବା ରାସ୍ତାରେ ଭାସୁଛି ସ୍ୱେରେଜ୍ ପାଣି। ବିଏମ୍ସି ପକ୍ଷରୁ ଏଠାରେ ଡ୍ରେନ୍ ସୁବିଧା ନ ଥିବାରୁ ସ୍ୱେରେଜ୍ ଡ୍ରେନ୍ ଚୋକ୍ ହୋଇଯିବା ଯୋଗୁଁ ସ୍ୱେରେଜ୍ ପାଣି ରାସ୍ତା ଉପରେ ଭାସୁଛି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଏହି ସ୍ଥାନମାନଙ୍କରେ ମଇଳା ପାଣି ଦୀର୍ଘ ଦିନ ଧରି ରାସ୍ତା ଉପରେ ଜମି ରହିବା ଫଳରେ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସେହିପରି ମହତାବ ରୋଡ୍ ନିକଟ କାଳିଗାଡ଼ିଆ ଶ୍ମଶାନ ରାସ୍ତା ଅବସ୍ଥାରେ ବି ସମାନ ସମସ୍ୟା। ସେଠାରେ ପିଏଚ୍ଡି ପକ୍ଷରୁ ପାଇପ୍ ବିଛା କାମ ଶେଷ ହୋଇଥିଲେ ମଧ୍ୟ ରାସ୍ତାରେ ଢଳେଇ ହୋଇ ନଥିବାରୁ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଏଥିଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି, ଏଠାରେ ଦୀର୍ଘ ୪ବର୍ଷ ତଳୁ ସ୍ୱେରେଜ୍ ବୋର୍ଡ ବିଭାଗ ପକ୍ଷରୁ ଡ୍ରେନ୍ ନିର୍ମାଣ କରାଯାଇଛି। ହେଲେ ଏହାର ପାଣି ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ହୋଇନାହିଁ। ଏ ସମ୍ପର୍କରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ। ଏ ସଂପର୍କରେ ବିଏମ୍ସି ଯନ୍ତ୍ରୀ ମିଥ୍ଲେଶ ରଥ କହନ୍ତି, ରାସ୍ତା କାମ ହୋଇଛି, ଡ୍ରେନ୍ ହୋଇନାହିଁ। ଧୀରେଧୀରେ ଡ୍ରେନ୍ କାମ ହେବ। ଏନେଇ ସ୍ଥାନୀୟ କର୍ପୋଟେର ଅନିତାରାଣୀ ମହାନ୍ତି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ।
Follow Us