ଆରମ୍ଭ ହେଲା ଅସୀମ ନାଟ୍ୟ ଉତ୍ସବ: କନ୍ଦାଇଲା ‘ଅବସର’

Advertisment
ଆରମ୍ଭ ହେଲା ଅସୀମ ନାଟ୍ୟ ଉତ୍ସବ: କନ୍ଦାଇଲା ‘ଅବସର’

ଭୁବନେଶ୍ବର : ସରକାରୀ କର୍ମଚାରୀ ବିଶୁ ବାବୁ। ଅବସର ନେବାକୁ ଆଉ ଅଳ୍ପ ଦିନ ଥାଏ। ଦିନେ ସେ ଘରେ ଥିବା ବେଳେ ଜରାଶ୍ରମ ପରିଚାଳନା କରୁଥିବା ଏକ ଏନ୍‌ଜିଓ ସଂସ୍ଥାର କର୍ମଚାରୀ ତାଙ୍କ ଘରକୁ ଆସନ୍ତି। ସେମାନଙ୍କୁ ଦେଖି ବିଶୁ ବାବୁ ମନକୁ ମନ କ’ଣଗୁଡ଼ାଏ ଭାବିଯା’ନ୍ତି, ବିରକ୍ତି ପ୍ରକାଶ କରି ସେମାନଙ୍କୁ ଘରୁ ତଡ଼ି ଦିଅନ୍ତି। ଏହାର କିଛି ଦିନ ପରେ ସେ ଅବସର ନିଅନ୍ତି। କିନ୍ତୁ ବୃଦ୍ଧ ବୟସରେ ବାପାକୁ ସାହାରା ହେବେ କ’ଣ, ଅବସର ସମୟରେ ବାପା ପାଇଥିବା ଟଙ୍କାକୁ ଭାଗ ଭାଗ କରି ବାଣ୍ଟି ଦେବାକୁ ଜିଦ୍‌ ଧରି ବସନ୍ତି ତାଙ୍କ ୩ ପୁଅ ଓ ପିଲା ବେଳୁ ଘରେ ପୁଅ ପରି ବଢ଼ି ଆସିଥିବା ଚାକର। ବିଶୁ ବାବୁ ବି ସେମାନଙ୍କ କଥା ମାନି ନିଅନ୍ତି ଓ ସବୁତକ ଟଙ୍କା ସେମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି। ସମୟ ଗଡ଼ିଚାଲେ। ବେରୋଜଗାର ପୁଅମାନଙ୍କ ଭବିଷ୍ୟତ କଥା ଚିନ୍ତା କରି କରି ସେ ଅସୁସ୍ଥ ହୋଇପଡ଼ନ୍ତି। ଡାକ୍ତରଙ୍କ ନିର୍ଦ୍ଦେଶ, ସୁସ୍ଥ ପରିବେଶ ମିଳିଲେ ସେ ଶୀଘ୍ର ସୁସ୍ଥ ହୋଇଯିବେ। କିନ୍ତୁ ପିଲାମାନଙ୍କ ନ୍ୟୁନ ମାନସିକତା ଓ ଦୁର୍ବ୍ୟବହାର ତାଙ୍କୁ ଆହୁରି ରୋଗାକ୍ରାନ୍ତ କରିଦିଏ। ଖବର ପାଇ ଜରାଶ୍ରମ କର୍ମଚାରୀମାନେ ତାଙ୍କୁ ନେବା ପାଇଁ ଆସନ୍ତି। କିନ୍ତୁ ବିଶୁବାବୁଙ୍କ ଏକା ଜିଦ୍‌ ମରିଯିବେ ପଛେ, ଜରାଶ୍ରମ ଯିବେ ନାହିଁ। ଏହାରି ଭିତରେ ତାଙ୍କର ଦେହାନ୍ତ ହୋଇଯାଏ। ଏପରି ଏକ ସାମାଜିକ ବିଷୟବସ୍ତୁକୁ ନେଇ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ‘ଅବସର’ ଦର୍ଶକଙ୍କୁ କନ୍ଦାଇଥିଲା। ଅବସର ଥିଲା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅସୀମ ବସୁ ଫାଉ‌‌ଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ଅସୀମ ନାଟ୍ୟ ଉତ୍ସବ’ର।

ପଞ୍ଚମବେଦ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ଏହି ନାଟକକୁ ହର ବାରିକ ରଚନା କରିଥିବା ବେଳେ ହରେନ୍ ସାହୁ ନିର୍ଦ୍ଦେଶନା ଦେଇଥିଲେ। ମାନସ କୁମାର ପରିଡ଼ା ସହନିର୍ଦ୍ଦେଶନା ଦେଇଥିଲେ। ହରେନ୍ ସାହୁ, ଜ୍ଞାନେନ୍ଦ୍ର ଚନ୍ଦ୍ର ଶତପଥୀ, ଚିରଞ୍ଜୀବୀ ମହାରଣା, ସୁବ୍ରତ ନନ୍ଦୀ, ମାନସ କୁମାର ପରିଡ଼ା, ଅବକାଶ ମିଶ୍ର, କରୁଣାକର ସାମଲ, ପ୍ରକାଶ ମହାରଣା, ସନ୍ତୋଷ ପଟ୍ଟନାୟକ, କ୍ରିଷ୍ଣା ମହାରଣା, ନମିତା ଭଟ୍ଟାଚାର୍ଯ୍ୟ, ଗୀତା ଦାସ ଓ ଶିଶୁ କଳାକାର ଭାବେ ଶ୍ରେୟାସ ରଥଶର୍ମା ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବେ ବାଞ୍ଛାନିଧି ପଟ୍ଟନାୟକ, ଚଳଚ୍ଚିତ୍ର ସଂଳାପ ଲେଖକ ରଜନୀ ରଞ୍ଜନ, ପୌରୁଷର ସଂପାଦକ ଅସିତ୍ ମହାନ୍ତି, ଚିତ୍ରଶିଳ୍ପୀ ରାମହରି ଜେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଭାସ୍ବତୀ ବସୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe