ଆଦିବାସୀ ଭୋଟ୍‌ ହାତେଇବା ପାଇଁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ବ୍ୟବହାର କରାଯାଉଛି: ବିକଳ୍ପ ଓଡ଼ିଶା

Advertisment
ଆଦିବାସୀ ଭୋଟ୍‌ ହାତେଇବା ପାଇଁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ବ୍ୟବହାର କରାଯାଉଛି: ବିକଳ୍ପ ଓଡ଼ିଶା

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ନେଇ ବିଜେଡି ଓ ବିଜେପି ଦଳ ଶ୍ରେୟ ନେବା ପାଇଁ ଯେଉଁ ସବୁ ବିବୃତି ଜାରି କରୁଛନ୍ତି, ତାହା କେବଳ ଆଦିବାସୀ ଭୋଟ୍‌ ହାତେଇବା ପାଇଁ। ଆଦିବାସୀ ସମୁଦାୟର ଭୋଟ୍‌ ହାତେଇବା ପାଇଁ ସେମାନେ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ବ୍ୟବହାର କରୁଛନ୍ତି। କାରଣ ଓଡ଼ିଶାର ଆଦିବାସୀଙ୍କ ଉପରେ ପୁଲିସ୍‌ ଓ ପ୍ରଶାସନର ନିର୍ଯାତନା ନେଇ ପୁଳାପୁଳା ଉଦାହରଣ ରହିଥିଲେ ହେଁ ବିଜେଡି ସରକାର କିମ୍ବା ବିଜେପି ସେଗୁଡ଼ିକୁ ଆଡ଼ ଆଖିରେ ବି ଦେଖନ୍ତି ନାହିଁ। ସ୍ଥାନୀୟ ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରି ରାଜ୍ୟ ସରକାର ଓ ବିଜେପି ଦଳ ଉପରେ ବର୍ଷିଛି ‘ବିକଳ୍ପ ଓଡ଼ିଶା’।

ଅନୁଷ୍ଠାନର ସଭାପତି କୈଳାସ ମିଶ୍ର କହିଥିଲେ, ବର୍ତ୍ତମାନ ରାଜନୈତିକ ବ୍ୟକ୍ତିଙ୍କ କଳାହରଣ କରି କିଛି ଅଫିସର୍‌ ଶାସନ କରୁଛନ୍ତି। ସେମାନଙ୍କ ଛତ୍ରଛାୟାରେ ରହି ଥାନା ବାବୁମାନେ ଗରିବ ଦଳିତ ଓ ଆଦିବାସୀଙ୍କୁ ଅଭିଯୁକ୍ତ ସଜାଇ ଦେଉଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ପୁଲିସ୍‌ ଦ୍ବାରା ଅତ୍ୟାଚାରିତ ୭ଟି ପରିବାରକୁ ସାମ୍ନାକୁ ଆଣିବା ସହ ସେମାନଙ୍କ ନିର୍ଯାତନାର କାହାଣୀ ସେମାନଙ୍କ ମୁହଁରେ ବର୍ଣ୍ଣନା କରାଇଥିଲେ।

ଶ୍ରୀ ମିଶ୍ର କହିଥିଲେ, ରସୁଲଗଡ଼ ନେତାଜୀନଗରର କେଟିଭଦ୍ରାଙ୍କ ସ୍ବାମୀ ବାବୁନିଙ୍କୁ ଚାରିଜଣ ବ୍ୟକ୍ତି ନିସ୍ତୁକ ମାଡ଼ ମାରିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ହେଲେ ପୁଲିସ୍ କୌଣସି ପଦକ୍ଷେପ ନେଲା ନାହିଁ। ବିକଳ୍ପ ଓଡ଼ିଶାର ହସ୍ତକ୍ଷେପ ପରେ ପୁଲିସ୍‌ କମିସନର ତଦନ୍ତ ନିର୍ଦ୍ଦେଶ ଦେଲେ। କିନ୍ତୁ ତଦନ୍ତକାରୀ ଅଧିକାରୀ ଶୁଣିଲେ ନାହିଁ। ଅନ୍ୟ ଉପାୟ ନ ପାଇ ଶ୍ରୀମତୀ ଭଦ୍ରା ନ୍ୟାସନାଲ୍ କମିସନ୍‌ ଫର୍ ସିଡ୍ୟୁଲ୍‌ ଟ୍ରାଇବ୍‌ଙ୍କ ଦ୍ବାରସ୍ଥ ହେବାରୁ କମିସନର୍‌ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତକାରୀ ଅଧିକାରୀ କମିସନଙ୍କ ନିକଟରେ ମିଥ୍ୟା ରିପୋର୍ଟ ଦାଖଲ କରିବା ସହ ଓଲଟା ବାବୁନିଙ୍କ ନାମରେ ମାମଲା ରୁଜୁ କରାଇଲେ।

ସେହିପରି ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ନାବାଳିକା ଦଳିତ ଝିଅକୁ ଅପହରଣ ଓ ଦୁଷ୍କର୍ମ, ମୟୂରଭଂଜର ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକା ଝିଅକୁ ଗଣଦୁଷ୍କର୍ମ, ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅଞ୍ଚଳର ରାଇମଣି ମୁର୍ମୁଙ୍କ ଘରକୁ କବ୍‌ଜା କରାଯିବା, ପୁରୀ ଜିଲ୍ଲା ଗଡ଼ମୋଟୁରି ଗାଁରେ ଦଳିତ ଶ୍ରେଣୀର ଲୋକଙ୍କୁ ମଠ ଜମିରେ ବିନା‌ ପାରିଶ୍ରମିକରେ କାମ କରିବାକୁ ବାଧ୍ୟ କରାଯିବା, ନୟାଗଡ଼ ରଣପୁର ଥାନା ଅଧୀନରେ ଜଣେ ୧୪ବର୍ଷ ନାବାଳିକା ଝିଅକୁ ଦୁଷ୍କର୍ମ ଓ ଏତଲା ଦେବାକୁ ଯିବା ବେଳେ ତାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମରାଯିବା ଆଦି ଘଟଣ‌ାରେ ଅପରାଧୀ ଦଣ୍ଡ ନ ପାଇବା; ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଦରଦ, ତାହା ସହଜରେ ଜଣାପଡ଼ୁଛି। ଦଳିତ ଓ ଆଦିବାସୀ ନିର୍ଯାତନାର ଏମିତି ଆହୁରି ପୁଳାପୁଳା ଘଟଣା ଓଡ଼ିଶାରେ ରହିଛି। ଯଦି ସରକାର ବାସ୍ତବରେ ଦଳିତ ଓ ଆଦିବାସୀମାନଙ୍କ ସହ ଅଛନ୍ତି, ତେବେ ଏ ସମସ୍ତ ମାମଲାରେ ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦିଅନ୍ତୁ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିକଳ୍ପ ଓଡ଼ିଶାର ସାଧାରଣ ସମ୍ପାଦକ ଅଶୋକ ମଲ୍ଲିକ, ମହିଳା ସଭାନେତ୍ରୀ ଭୁବନେଶ୍ବରୀ ଜେନା ଏବଂ ନିର୍ଯାତନା ଶିକାର ହୋଇଥିବା ୭ ପରିବାରର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe