ଅଟୋ ମହାସଂଘର ଟ୍ରାଫିକ୍‌ ସଚେତନତା ବୈଠକ: ୟୁନିଫର୍ମ ପିନ୍ଧିବେ ଚାଳକ

ଅଟୋ ମହାସଂଘର ଟ୍ରାଫିକ୍‌ ସଚେତନତା ବୈଠକ: ୟୁନିଫର୍ମ ପିନ୍ଧିବେ ଚାଳକ

ଭୁବନେଶ୍ୱର: ଏଣିକି ୟୁନିଫର୍ମ ପିନ୍ଧିବେ ରାଜଧାନୀର ଅଟୋ ଚାଳକ। ସେମାନଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ମଧ୍ୟ ପ୍ରଦାନ କରାଯିବ। ସେଥିରେ ସେମାନଙ୍କ ସମସ୍ତ ବିବରଣୀ ରହିବ। ପ୍ରାଥମିକ ପର୍ଯ୍ୟାୟରେ ବୈଧ କାଗଜପତ୍ର ଥିବା ୫ଶହ ଅଟୋ ଚାଳକଙ୍କୁ ଏହି ପରିଚୟପତ୍ର ପ୍ରଦାନ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଯୋଜନା ହୋଇଛି। ଖାରବେଳନଗରସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସର‌‌ରେ ଅଟୋ ମହାସଂଘ ପକ୍ଷରୁ ଆୟୋଜିତ ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ସଚେତନତା ବୈଠକ‌ରେ ଯୋଗଦେଇ ଟ୍ରାଫିକ୍‌ ଏସିପି କିଶୋର କୁମାର ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି।

publive-image Globalpunjab

ଶ୍ରୀ ପାଣିଗ୍ରାହୀ ଆହୁରି କହିଥିଲେ, ସଂଶୋଧିତ ମୋଟର ଯାନ ଆଇନ ଡିସେମ୍ବର ୧ ତାରିଖରୁ ପୁଣିଥରେ କଡ଼ାକଡ଼ି ଭାବେ ଲାଗୁ ହେବ। ତେଣୁ ମୋଟା ଅଙ୍କର ଜରିମାନାରୁ ବର୍ତ୍ତିବା ପାଇଁ ଅଟୋ ଚାଳକମାନେ ସମସ୍ତ ପ୍ରକାର କାଗଜପତ୍ର ପ୍ରସ୍ତୁତ କରିନେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି ଯୋଗଦେଇ କହିଥିଲେ, ଲାଇସେନ୍ସ ଆବେଦନ ପ୍ରକ୍ରିୟାକୁ ଆହୁରି ସରଳ କରିବା ପାଇଁ ସରକାର ଖୁବ୍‌ଶୀଘ୍ର ଜନସେବା କେନ୍ଦ୍ରଗୁଡ଼ିକରେ ଏହି ସୁବିଧା କରିବାକୁ ଯାଉଛନ୍ତି। ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ଜନହିତ ଯୋଜନା ଆଗାମୀ ଦିନରେ ଅଟୋ ଚାଳକମାନଙ୍କ ପାଇଁ ମଧ୍ୟ କରାଯିବ। ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଥିବା ସେ ସୂଚନା ଦେଇଥିଲେ। ନିର୍ଦ୍ଦିଷ୍ଟ ଦୂରତା ପାଇଁ ଭଡ଼ା ଧାର୍ଯ୍ୟ କରିବା, ହୋର୍ଡିଂ ଜରିଆରେ ଧାର୍ଯ୍ୟ ଭଡ଼ା ବାବଦରେ ଯାତ୍ରୀଙ୍କୁ ସଚେତନ କରିବା, ବାହାରୁ ଆସୁଥିବା ଅଟୋଗୁଡ଼ିକୁ ଶୃଙ୍ଖଳିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କିପରି କମି ପାରିବ, ସେଥିପାଇଁ ଅଟୋ ଚାଳକମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସଂଘର ସଭାପତି ପଦ୍ମନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ମକବୁଲ ଅଲ୍ଲୀ, ଆଇନଜୀବୀ ସୁମନ୍ତ ସ୍ବାଇଁ ପ୍ରମୁଖ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନାରେ ଅଟୋ ଚାଳକଙ୍କର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe