ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ଛକ ବଡ଼ପୋଖରୀ ନିକଟରେ ଆଜି ସନ୍ଧ୍ୟା ୫ଟା ସମୟରେ ୩ ଜଣ ଯୁବକ ଜଣେ ଟ୍ୟୁସନ ଛାତ୍ରୀଙ୍କୁ ନିଶା ଔଷଧ ଶୁଂଘାଇ ସୁନା କାନଫୁଲ ଲୁଟି ନେଇଛନ୍ତି। ଲୁଟର ଶିକାର ଛାତ୍ରୀଙ୍କ ବାପା ଓ ମାଆ ଏସମ୍ପର୍କରେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ନାବାଳିକାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ନାବାଳିକାଙ୍କ ଚେତା ଫେରିବା ପରେ ବାପାମାଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।
ସୂଚନା ଅନୁସାରେ ବାଲିଆପାଟଣା ଥାନା ଅଞ୍ଚଳର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ସାଇକେଲରେ ଏକୁଟିଆ ଟ୍ୟୁସନ୍କୁ ଯାଉଥିଲା। ପୂରଣପଧାନ ପଞ୍ଚାୟତ ଅଧୀନ ବୋଧଖଣ୍ଡି ଧନୁଆ ବ୍ରିଜ୍ ନିକଟରେ ୩ ଜଣ ଯୁବକ ନୀଳରଙ୍ଗର ସ୍କୁଟିରେ ଛାତ୍ରୀଙ୍କୁ ପିଛା କରିଥିଲେ। ବଡ଼ପୋଖରୀ ନିକଟରେ ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ତାର ମୁହଁରେ କୌଣସି ଏକ ଔଷଧ ଶୁଂଘାଇ ଦେଇଥିଲା। ଅନ୍ୟ ୨ ଜଣ ପୋଖରୀ ତୁଠରେ ଥିବା ପୋଷାକ ବଦଳା ରୁମ ଭିତରକୁ ତାଙ୍କୁ ଟେକି ନେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଚିତ୍କାର କରିବା ସହ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଘଟଣା ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଫାଣ୍ଡିରେ ପହଞ୍ଚି ଦୁର୍ବୁତ୍ତଙ୍କୁ ଗିରଫ କରିବା ନେଇ ଦାବି କରିଥିଲେ। ଅଭିଯୋଗ ପାଇ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ୩ ଯୁବକଙ୍କୁ ଚିହ୍ନଟ କରିଛି।
Follow Us