ଡ୍ରଙ୍କେନ୍‌ ଡ୍ରାଇଭ୍‌ କଟକଣାକୁ ଫୁ’: ପୁଣି ୩୩ ଗାଡ଼ି ଓ ଡିଏଲ୍‌ ଜବତ

Advertisment
ଡ୍ରଙ୍କେନ୍‌ ଡ୍ରାଇଭ୍‌ କଟକଣାକୁ ଫୁ’: ପୁଣି ୩୩ ଗାଡ଼ି ଓ ଡିଏଲ୍‌ ଜବତ

ଭୁବନେଶ୍ବର: ରାଜଧାନୀରେ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସେଫ୍‌ ସିଟି ଡ୍ରାଇଭ୍‌ କଟକଣାକୁ ମାନୁନାହାନ୍ତି ଅମାନିଆ ଚାଳକ। ମୋଟା ଅଙ୍କର ଜରିମାନା, ଡ୍ରାଇଭିଂ ଲାଇସେନ୍‌ସ(ଡିଏଲ୍‌) ବାତିଲ, ଗାଡ଼ି କୋର୍ଟ ଚାଲାଣ ଭଳି କଡ଼ା ପଦ‌କ୍ଷେପ ପରେ ବି ଅମାନିଆ ତଥା ମଦୁଆ ଚାଳକଙ୍କ ଉତ୍ପାତ ଥମିବା ନାଁ ଧରୁନାହିଁ। ଶନିବାର ରାତିରେ ଧରାପଡ଼ିଥିବା ୩୩ ଗାଡ଼ି ଏହାର ଜ୍ବଳନ୍ତ ନମୁନା ବୋଲି କୁହାଯାଉଛି। ଶନିବାର ରାତିରେ ଟ୍ରାଫିକ୍‌ ଥାନା-୧ ଓ ୨ ପକ୍ଷରୁ ଡ୍ରଙ୍କେନ୍‌ ଡ୍ରାଇଭ୍‌ ଯାଞ୍ଚ କରାଯାଉଥିଲା। ଟ୍ରାଫିକ୍‌ ଥାନା ୧ ପକ୍ଷରୁ ୬ଟି ଗାଡ଼ି ଧରାପଡ଼ିଥିଲା ଏବଂ ଟ୍ରାଫିକ୍‌ ଥାନା ୨ ପୁଲିସ ୨୭ ଗାଡ଼ି ଅଟକ ରଖିଥିଲେ। ବ୍ରେଦ୍‌ ଆନାଲାଇଜର୍‌ ପରୀକ୍ଷାରୁ ଚାଳକମାନେ ମଦ ପିଇଥିବା ଜଣାପଡ଼ିଥିଲା। ତେଣୁ ଚାଳକମାନଙ୍କଠାରୁ ଡିଏଲ୍‌ ଓ ଗାଡ଼ି ଜବତ କରାଯାଇଥିଲା। ଏଥିରୁ କିଛି ଚାଳକଙ୍କ ଡିଏଲ୍‌କୁ ବାତିଲ କରିବାକୁ ଆର୍‌ଟିଓଙ୍କୁ ଚିଠି କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ସମସ୍ତ ଗାଡ଼ିକୁ କୋର୍ଟରୁ ମୁକୁଳାଇବାକୁ ପଡ଼ିବ ବୋଲି ସୂଚନା ମିଳିଛି। ପୁଲିସ ସୂଚନାନୁସାରେ ଶନିବାର ରାତିରେ ଅଧିକ ସଂଖ୍ୟକ ଗାଡ଼ି ଜବତ କରାଯାଉଛି। ସିପି ସଞ୍ଜୀବ ପଣ୍ଡାଙ୍କ କହିବା କଥା ଧୀରେଧୀରେ ଡ୍ରଙ୍କେନ୍‌ ଡ୍ରାଇଭ୍ ପରିମାଣ କମିବା ଲକ୍ଷ୍ୟ କରାଯାଉଛି। କମିସନରେଟ୍‌ ପୁଲିସର ଏହି ଅଭିଯାନ କଡ଼ାକଡ଼ି ହେବା ପରଠୁ ରାତ୍ରୀକାଳିନ ଦୁର୍ଘଟଣାରେ ବି କିଛି ଫରକ ବାରି ହେଲାଣି। ତେଣୁ ଏହି ଅଭିଯାନ ଆଗକୁ ଅଧିକ କଡ଼ାକଡ଼ି ଓ ବ୍ୟାପକ କରାଯିବ। ବିଶେଷକରି ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ଅଞ୍ଚଳରେ ଏହି ଅଭିଯାନ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe