ବାଲିଅନ୍ତା/ବାଲିପାଟଣା: ନିଶାଡ଼ି ବାପା କୁନି ଝିଅଟାକୁ ଅକାରଣରେ ମାଡ଼ ମାରୁଥିଲା। ଚୁଟିକୁ ଘୋଷାରି ପିଠିକୁ ବିଧା ଗୋଇଠା ମାରି ଚାଲିଥିଲା। ସାନଭାଇର ଏଭଳି ନୃଶଂସପଣିଆ ଦେଖି ବଡ଼ଭାଇଙ୍କ ମନ ବୁଝିଲାନି। କୁନି ଝିଆରୀଟିର ବିକଳ କାନ୍ଦଣା ବଡ଼ବାପାଙ୍କ ଛାତି ଥରାଇ ଦେଲା। ତେଣୁ ନିଶାଡ଼ି ସାନଭାଇକୁ ବିରୋଧ କରିବାକୁ ବାହାରିପଡ଼ିଲେ। ଏଥର ନିଶାଡ଼ି ଝିଅକୁ ଛାଡ଼ି ବଡ଼ଭାଇଙ୍କ ଉପରକୁ ଝାମ୍ପି ପଡ଼ିଲା। ଅଗଣାରେ ଥିବା ଟାଙ୍ଗିଆ ଉଠାଇ ବଡ଼ଭାଇଙ୍କୁ ଚୋଟ ପକାଇଲା। ମୁଣ୍ଡକୁ ଲକ୍ଷ୍ୟକରି ସେ ଟାଙ୍ଗିଆ ପାହାର ପକାଇଥିଲା, କିନ୍ତୁ ସୌଭାଗ୍ୟକୁ ବଡ଼ଭାଇ ହାତ ଦେଖାଇବାରୁ ବଡ଼ଧରଣର ଅଘଟଣ ଟଳିଗଲା। ଟାଙ୍ଗିଆ ଚୋଟ ମୁଣ୍ଡରେ ନ ବାଜି ହାତରେ ବାଜିଲା।
ଆଜି ବାଲିଅନ୍ତା ବ୍ଲକ୍ ପୂରଣପଧାନ ପଞ୍ଚାୟତ ଅଧୀନ ବାୟାଁପଦା ଗାଁରେ ଘଟିଛି ଏହି ଅଘଟଣ। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି ଏବଂ ପୁଲିସ ଅଭିଯୁକ୍ତ ସାନଭାଇକୁ ଖୋଜୁଛି। ଘଟଣାଟି ଥିଲା ଏମିତି। ଆଜି ସନ୍ଧ୍ୟାରେ ମଳୟ ବେହେରା ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଆସି ନିଜ ଛୋଟ ଝିଅକୁ ପ୍ରବଳ ମାଡ଼ ମାରିଲା। କିଛି କାରଣ ନଥାଇ ମଳୟ ଛୋଟ ପିଲାଟିକୁ ବଡ଼ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲା। ଏହା ଦେଖି ବଡ଼ଭାଇ ମଦନ ଓ ତାଙ୍କ ପୁଅ ମନୋଜ ବିରୋଧ କରିଥିଲେ। ମଳୟ ପାଖରୁ ଛୋଟ ପିଲାଟିକୁ ଉଦ୍ଧାର କରିଥିଲେ। ବଡ଼ଭାଇ ହିସାବରେ ମଦନ ନିଶାସକ୍ତ ମଳୟକୁ ଆକଟ କରିଥିଲେ। ମାତ୍ର ନିଶାରେ ଚୁର୍ ଥିବା ମଳୟ ଭଲକୁ ଭେଲ ବୋଲି ଧରିନେଇଥିଲା। ବଡ଼ଭାଇ ମଦନକୁ ଗାଳିମନ୍ଦ କରିଥିଲା। ଏତିକିରେ ତା’ର ରାଗ ଶାନ୍ତ ହୋଇନଥିଲା। ସେ ବାରଣ୍ଡାରେ ଥୁଆ ହୋଇଥିବା ଟାଙ୍ଗିଆ ଆଣି ମଦନକୁ ଚୋଟ ପକାଇଥିଲା। ଟାଙ୍ଗିଆ ଚୋଟରେ ମଦନଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତୁରନ୍ତ ପଡ଼ୋଶୀମାନଙ୍କ ସହାୟତାରେ ମଦନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
Follow Us