ସହରରେ ଦୁର୍ଗାପୂଜା: ଉତ୍ସବ ନୁହେଁ, କେବଳ ପରମ୍ପରା

Advertisment

ମଣ୍ଡପରେ ରହିବେ ୧୦ ଲୋକ, ୪ ଫୁଟର ମୂର୍ତ୍ତି, ରାବଣ ପୋଡ଼ି ନାହିଁ

ମଣ୍ଡପରେ ରହିବେ ୧୦ ଲୋକ, ୪ ଫୁଟର ମୂର୍ତ୍ତି, ରାବଣ ପୋଡ଼ି ନାହିଁ

ଆଜି ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା, କଟକ-ଭୁବନେଶ୍ବରରେ ଆଜିଠୁ ରାତ୍ରିକର୍ଫ୍ୟୁ

ଭୁବନେଶ୍ବର: ବିରାଜିବେ ମା’, ହେଲେ ଭକ୍ତ ଦେଖିବେନି। ୧୦ଜଣରୁ ଅଧିକ ଆୟୋଜକ ମଣ୍ଡପରେ ରହିବେନି। ୫ଫୁଟରୁ ଅଧିକ ଉଚ୍ଚାର ମୃଣ୍ମୟ ମୂର୍ତ୍ତି ହେବନି। ବାଜିବନି ବାଜା, ଭଳିକି ଭଳି ଆଲୋକରେ ଝଲସିବନି ମଣ୍ଡପ। ଉଚ୍ଚା ଉଚ୍ଚା ‌ତୋରଣ ଭକ୍ତଙ୍କୁ ସ୍ବାଗତ କରିବନି। ଚାନ୍ଦା ମାଗିବାକୁ ଘର ଘର ବୁଲିବନି ପୂଜା କମିଟି। ରାଜଧାନୀର ସାର୍ବଜନୀନ ଦୁର୍ଗାପୂଜା ଦୀର୍ଘ ଦିନର ଇତିହାସରେ ପ୍ରଥମ କରି ଏଭଳି ଘଟିବାକୁ ଯାଉଛି।

ଆଜି ପୁଲିସ ସେବା ଭବନରେ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆସ ବସିଥିବା ପୂଜା ପ୍ରସ୍ତୁତି ବୈଠକରେ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂଜା କମିଟି କର୍ମକର୍ତ୍ତା, ଶାନ୍ତି କମିଟି କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କୁ ନେଇ ବସିଥିବା ଏହି ବୈଠକରେ ଆନୁଷ୍ଠାନିକ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି। ଭକ୍ତ ଯେଭଳି ପୂଜା ମଣ୍ଡପରେ ପହଞ୍ଚିବେ ନାହିଁ ସେଥିପାଇଁ ସମସ୍ତ କମିଟି ନଜର ରଖିବେ। ପୂଜା ପରେ ବିସର୍ଜନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବିସର୍ଜନ ପାଇଁ କୌଣସି ବଡ଼ ଗାଡ଼ି ବ୍ୟବହାର ହେବ ନାହିଁ। ଟ୍ରଲି ରିକ୍ସା କିମ୍ବା ଅଟୋରେ ବିସର୍ଜନ ପାଇଁ ମୂର୍ତ୍ତି ଯିବ। ବଡ଼ ଗାଡ଼ି ବ୍ୟବହାର ହେଲେ କାର୍ଯ୍ୟାନୁଷ୍ଠାନ ହେବ। ରାବଣ ପୋଡ଼ି ମଧ୍ୟ ହେବ ନାହିଁ। ମେଲୋଡି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍‌ ଲାଗିଛି। କୌଣସି ପରିସ୍ଥିତିରେ ଏଭଳି କାର୍ଯ୍ୟକ୍ରମ ହେବ ନାହିଁ। କେହି ନିୟମ ନ ମାନି କାର୍ଯ୍ୟକ୍ରମ କଲେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କଡ଼ା କଟକଣା ମଧ୍ୟରେ ଏହି ପୂଜା ହେବ। ଏଣୁ କୌଣସି ଭକ୍ତ ପୂଜା ମଣ୍ଡପକୁ ନ ଯିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

କଡ଼ା କଟକଣା ମଧ୍ୟରେ ଏହି ପୂଜା କରିବା ପାଇଁ କମିଟିମାନଙ୍କୁ କମିସନରେଟ୍‌ ପୁଲିସ ସ୍ବୀକୃତି ଦେବ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଥାନାସ୍ତରରେ କିମ୍ବା ଅନ୍‌ଲାଇନ୍‌ ବ୍ୟବସ୍ଥା ପାଇଁ କମିସନରେଟ୍‌ ପୁଲିସ ଚିନ୍ତା କରୁଛି। ଖୁବ୍‌ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବା ସହ କମିଟିମାନଙ୍କୁ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ସମସ୍ତ କାର୍ଯ୍ୟରେ ଯେଭଳି ସାମାଜିକ ଦୂରତା ଓ ଅନ୍ୟାନ୍ୟ ସମସ୍ତ କୋଭିଡ୍‌ ନିୟମ ପାଳିତ ହେବ, ସେ ନେଇ କମିଟି ସଦସ୍ୟ ମାନେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

ମୂର୍ତି ଆକାର ନେଇ ପୂଜା କମିଟି ଅସ‌ନ୍ତୁଷ୍ଟ
ଭୁବନେଶ୍ବର: ରାଜଧାନୀରେ ଦୁର୍ଗାପୂଜା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି ହୋଇଛି। ସାଜସଜ୍ଜା, ଭକ୍ତଙ୍କ ଆଗମନ, ଜାକଜମକ ଭସାଣି ଯାତ୍ରା ନକରିବାକୁ ପୂଜା କମିଟି ରାଜି ହୋଇଥିଲେ ହେଁ ମୂର୍ତି ଆକାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ସହିଦନଗର ଦୁର୍ଗାପୂଜା କମିଟି ଏବଂ ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ରୁପା ମେଢ଼ ଯୋଗୁଁ ସ୍ଥିରୀକୃତ ଆକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହିଦନଗର ଦୁର୍ଗାପୂଜା କମିଟି ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି, ୪୩ ବର୍ଷ ହେଲା ଆମେ ଗୋଟିଏ ଆକାରରେ ମୂର୍ତି କରି ଆସୁଛୁ। ମା’ଙ୍କ ନିର୍ଦିଷ୍ଟ ମୁହଁର ଛାଞ୍ଚ ରହିଛି। ମୂର୍ତିରେ ପରିବର୍ତନ କରିବା ଅର୍ଥ ନୂଆ ମୂର୍ତି ପ୍ରତିଷ୍ଠା କରିବା। ତେଣୁ ଅନ୍ତତଃ ‌ମା’ଙ୍କ ମୂର୍ତି ଅପରିବର୍ତିତ ରଖିବାକୁ ସେ ଅନୁରୋଧ କରିଛନ୍ତି। ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ସମ୍ପାଦକ ଦୀପକ ଜେନା ମଧ୍ୟ ସେଇ ସମାନ କଥା କହିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ମାନିବାକୁ ପ୍ରସ୍ତୁତ ଅଛୁ କିନ୍ତୁ ମୂର୍ତି ଅପରିବର୍ତିତ ରଖିବା ନେଇ ସରକାର ପୁନଃ ନିଷ୍ପତ୍ତି ‌ନିଅନ୍ତୁ ବୋଲି ସେ କହିଛନ୍ତି।

ରାଜଧାନୀ ଶାନ୍ତି କମିଟିର ନିବେଦନ
ପ୍ରଶାସନର ନିଷ୍ପତ୍ତିକୁ ରାଜଧାନୀ ଶାନ୍ତି କମିଟି ସ୍ବାଗତ କରିବା ସହ ଏହି ନିଷ୍ପତ୍ତି ପୂର୍ବକ ପୂଜା କମିଟିମାନେ ପୂଜା ଆୟୋଜନ କରିବାକୁ ନିବେଦନ କରାଯାଇଛି। କମିଟିର ସଭାପତି ମଧୁମାଧବ ଜେନା ଓ ସମ୍ପାଦକ ନବକିଶୋର ବେହେରା କହିଛନ୍ତି, ଅକ୍ଟୋବର ୨୨ରୁ ଦେବୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ଅବସରରେ ପୂଜା ମଣ୍ଡପ ଚାରି ପାଖରେ ପରଦା ଟାଣି ୫ ଫୁଟର ମୂର୍ତି ନିର୍ମାଣ କରି ପୂଜାକୁ ୧୦ ଜଣରେ ସୀମିତ ରଖାଯାଉ। କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଚାନ୍ଦା ଆଦାୟ ନକରି କେବଳ ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ପୂଜା କମିଟି କର୍ମକର୍ତାଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe