ଆସୁଛି ଦୁର୍ଗାପୂଜା, କନ୍ଦେଇବ ରାଜଧାନୀ ରାସ୍ତା

ଆସୁଛି ଦୁର୍ଗାପୂଜା, କନ୍ଦେଇବ ରାଜଧାନୀ ରାସ୍ତା

ଭୁବନେଶ୍ବର: ଆଉ ମାତ୍ର ୧୦ ଦିନ ପରେ ମା’ ଜଗଦ୍ଧାତ୍ରୀ ଧରାବତରଣ କରିବେ। ୨ବର୍ଷ ପରେ ରାଜଧାନୀ​ରେ ପୂଜା ହେଉଥିବାରୁ ପୂଜା କମିଟିଗୁଡ଼ିକ ଏଥର ହାତ ଖୋଲା ଖର୍ଚ୍ଚ କରୁଛନ୍ତି। ମା’ଙ୍କ ମୃଣ୍ମୟ ମୂର୍ତ୍ତି, ମା’ଙ୍କୁ ସୁନାରୁପା ଅଳଙ୍କାରରେ ସଜାଇବାଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାରେ ଆକର୍ଷଣୀୟ ତୋରଣ କରାଯାଉଛି। ଏଥର ପୂଜା ମଣ୍ଡପଗୁଡ଼ିକରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ପୁଲିସ୍‌ଠାରୁ ଆରମ୍ଭ କରି ପ୍ରଶାସନ ନିଜନିଜ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଲୋକଙ୍କ ଏ ଉତ୍ସାହରେ ରାଜଧାନୀର ବିପର୍ଯ୍ୟସ୍ତ ରାସ୍ତା ବାଧା ସୃଷ୍ଟି କରିବ ବୋଲି ଏବେଠୁ ଜଳଜଳ ଦିଶିଲାଣି। ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା। କେଉଁଠି ଗୋଡ଼ି, ଚିପ୍ସ୍‌ ଉଠି ଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ। କିନ୍ତୁ ଏହାକୁ ମରାମତି କରାଯାଉନାହିଁ। ଫଳରେ ପୂଜା ସମୟରେ ଏହା ଉଭୟ ଲୋକ ଓ ପୁଲିସ୍‌ ପ୍ରଶାସନକୁ ନାକରେ କନ୍ଦାଇବ ବୋଲି ବୁଦ୍ଧିଜୀବୀମହଲରେ ଅଭିଯୋଗ ହୋଇଛି। ଏଥିଯୋଗୁଁ ଟ୍ରାଫିକ୍‌ ସମସ୍ୟା ଦେଖାଦେବା ସହ ଲୋକେ ଦୁର୍ଘଟଣାର ଶିକାର ହେବେ।

publive-image

ସୂଚନାଯୋଗ୍ୟ, ଲୋକଙ୍କୁ ହାତପାଆନ୍ତାରେ ବିଭିନ୍ନ ସେବା ଯୋଗାଇଦେବା ପାଇଁ ବିଏମ୍‌ସି, ବିଏସ୍‌ସିଏଲ୍‌, ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କୋ-ଅପରେସନ(ଓପିଟିସିଏଲ୍‌), ୱାଟର୍‌ କୋ-ଅପରେସନ ଅଫ୍‌ ଓଡ଼ିଶା(ୱାଟ୍‌କୋ), ପୂର୍ତ୍ତ ବିଭାଗ ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ଯାଇଛି। କିନ୍ତୁ ମନ୍ଥର ଗତିରେ କାମ ଯୋଗୁଁ ତାହା ସରି ପାରୁନାହିଁ। ପୂଜା ବେଳେ ଏହା ମଧ୍ୟ ବଡ଼ ବାଧକ ସାଜିବ ବୋଲି ଅଭିଯୋଗ ହେଉଛି।

ରାସ୍ତାଘାଟର ଏ ଅବସ୍ଥାକୁ ନେଇ କିଛି ଦିନ ତଳେ ପ୍ରଶାସନ ଓ ଦୁର୍ଗାପୂଜା କମିଟିଗୁଡ଼ିକ ମଧ୍ୟରେ ହୋଇଥିବା ସମନ୍ବୟ ବୈଠକରେ ଘୋର୍‌ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୂଜା କମିଟି ସଦସ୍ୟମାନେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପୂଜା ମଣ୍ଡପ ନିକଟ ଓ ରାଜଧାନୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମରାମତି କରିବାକୁ ଦାବି କରିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶୀଘ୍ର ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପୂଜାକୁ ଆଉ ହାତଗଣତି କେଇଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିନାହିଁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe