During the wedding season: ବାହାଘର ଋତୁରେ ମନେପଡ଼େ ଶିଳ, ଶିଳପୁଆ, ଘୋରଣା

ପଥର ଘୋରଣାର ବିରିଚାଉଳ ବଟା ହେଉ କିମ୍ବା ଶିଳ ବଟା ବେସରର ସୁଆଦ ଆଜିକାଲିକା ଇଲେକ୍ଟ୍ରିକ୍‌ ଗ୍ରାଇଣ୍ଡର୍‌ରେ ‌ମିଳେନି। ବିବାହ ସମୟରେ ଜାଇରଗଡ଼ା ହେଉ ବା ଝିଅ ଭାରରେ ଘୋରଣା....

Untitled-8

ଖଣ୍ଡଗିରି: ପଥର ଘୋରଣାର ବିରିଚାଉଳ ବଟା ହେଉ କିମ୍ବା ଶିଳ ବଟା ବେସରର ସୁଆଦ ଆଜିକାଲିକା ଇଲେକ୍ଟ୍ରିକ୍‌ ଗ୍ରାଇଣ୍ଡର୍‌ରେ ‌ମିଳେନି। ବିବାହ ସମୟରେ ଜାଇରଗଡ଼ା ହେଉ ବା ଝିଅ ଭାରରେ ଘୋରଣା, ପେଷଣା, ଶିଳ, ଶିଳପୁଆ ଓ ଖଲ ଆଦି ଯିବା ପରମ୍ପରା ରହିଛି। ଅନୂରୂପ ଭାବେ ବୁଧେଇ ଓଷା, ସାବତ୍ରୀ ବ୍ରତ, ଷଠୀଓଷା, ମାଣବସା ଗୁରୁବାର, ଶାମ୍ବ ଦଶମୀ ଆଦି ପର୍ବ ଶିଳ, ଶିଳପୁଆ ବିନା ହୋଇପାରେନି। କେବଳ ଖାଦ୍ୟ ବି ପରମ୍ପରା ପାଇଁ ନୁହେଁ, ଏ ସବୁର ବ୍ୟବହାର ମହିଳାଙ୍କୁ ସୁସ୍ଥ ଓ ଫୂର୍ତ୍ତି ରଖିବାରେ ସାହାଯ୍ୟ କରୁଥିଲା। ମାତ୍ର ଏହାର ବ୍ୟବହାର ଧୀରେଧୀରେ ନଗଣ୍ୟ ହେବାକୁ ଲାଗିଛି। କେବଳ ବାହାଘର, ପୁନିଅଁପର୍ବରେ ଏହାର ଆବଶ୍ୟକତା ପଡ଼ୁଛି। ଆଦର କମୁଥିବାରୁ ବେପାରୀ ମଧ୍ୟ ଚିନ୍ତାରେ। ପରିଶ୍ରମ ମୁତାବକ ପାରିଶ୍ରମିକ ନ ମିଳିବା କାରଣରୁ ପିଢ଼ି ପରେ ପିଢ଼ି ଏହି ବୃତ୍ତିରୁ ଓହରିବା ଆରମ୍ଭ କଲେଣି।

ବିଭିନ୍ନ ଘରକରଣା ସାମଗ୍ରୀ ପାଇଁ ବଉଳମାଳା, ଧଳା ବଗଡ଼ା, କଳା ମୁଗୁନି ଆଦି ପଥରକୁ ବ୍ୟବହାର କରାଯାଏ। ପଥର ମିସ୍ତ୍ରିଙ୍କ ସଂଖ୍ୟା କମିଯାଉଥିବାରୁ ସାମଗ୍ରୀ ତିଆରି ମଧ୍ୟ କମୁଛି। ଫଳରେ ଦରଦାମ୍‌ ବଢ଼ିବାରେ ଲାଗିଛି। ଖଣ୍ଡଗିରି ନିକଟରେ ଚକିଶିଳ ଦେକାନ ଦେଇଥିବା ଦାଶରଥି ସାହୁ କୁହନ୍ତି, ସହରରେ ଶିଳ, ଘୋରଣା, ଖଲର ଆଦର କମିବାରେ ଲାଗିଛି। ଆଦର କମିବା ଫଳରେ ବିକ୍ରି ମଧ୍ୟ କମୁଛି।  ଶିଳ ଛୋଟ ସାଢ଼େ ୪ଶହ ଟଙ୍କାରୁ ଆରମ୍ଭ କରି ସାଢ଼େ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି। ଘୋରଣା ଛୋଟ ୮ଶହରୁ ବଡ଼ ସାଢ଼େ ତିନହଜାର ଟଙ୍କା, ଖଲ ସାଢ଼େ ୪ଶହରୁ ୯ଶହ ଟଙ୍କା, ନୋଳ ୮ଶହରୁ ସାଢ଼େ ତିନିହଜାର, ଚନ୍ଦନପେଡ଼ା ଶହେ ଟଙ୍କାରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ମିଳୁଛି। ଜଳଯନ୍ତ୍ର ୭ଶହ ଓ ପଦ୍ମଫୁଲ ଦାମ୍‌ ୯୦୦ ଟଙ୍କା ରହିଛି। ପଥରର ମୂଲ୍ୟ ଅନୁସାରେ ସାମଗ୍ରୀର ଜିନିଷ ଉପରେ ପ୍ରଭାବ ପଡ଼ିଥାଏ। ନୟାଗଡ଼, ଯାଜପୁର, ଗଞ୍ଜାମ ଆଦି ଜିଲ୍ଲାରୁ ପଥର ସଂଗୃହୀତ ହୋଇ ଆସୁଛି। ଆଗକୁ ବାହାଘର ସିଜିନ୍‌ ଥିବ‌ାରୁ ଏବେ ଟିକେ ଶିଳ, ଘୋରଣାର ଚାହିଦା ବଢ଼ିଛି ବୋଲି ଶ୍ରୀ ସାହୁ କହିଛନ୍ତି।
ପୂର୍ବରୁ ଶିଳନୋଳର ବ୍ୟବହାର କରିବା କାରଣରୁ ମହିଳାମାନଙ୍କ ମାଂସପେଶୀର ଶକ୍ତି ଠିକ୍‌ ରହୁଥିଲା। ବର୍ତ୍ତନମା ସମୟରେ ଆଣ୍ଡୁଗଣ୍ଠି ବାତ ସମସ୍ୟା ବଢ଼ିବା‌ରେ ଲାଗିଛି। ପଥରରେ ମସଲା ବଟା, ଆଣରେ ସାମଗ୍ରୀର ସମସ୍ତ ପ୍ରାକୃତିକ ଅଂଶ ମିଳୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପାଦେୟ। ବିଜ୍ଞାନ ମୁତାବକ ପଥରରେ ପେଷି ହେବା ଦ୍ବାରା ତନ୍ତୁଯୁକ୍ତ ଅଟା, ଅଧିକ ଭିଟାମିନ୍ ଓ ଖଣିଜ ପଦାର୍ଥ ଉତ୍ପନ୍ନ ହୋଇଥାଏ। ଯାହା ଅତ୍ୟନ୍ତ ସ୍ୱାସ୍ଥ୍ୟକର। ମାତ୍ର ଘୋରଣାର ଆଦର କମିବା ଫଳରେ ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe