ଆଜି ଷଷ୍ଠୀ, ଆଢ଼ୁଆଳରେ ବିରାଜିବେ ମା’

Advertisment

ଭସାଣିରେ ଶୋଭାପାଇବନି ଲୋକକଳା, ଦେଖିବାକୁ ମିଳିବନି ମିଳିତ ଭସାଣି

ଭସାଣିରେ ଶୋଭାପାଇବନି ଲୋକକଳା, ଦେଖିବାକୁ ମିଳିବନି ମିଳିତ ଭସାଣି

ଆଜି ଷଷ୍ଠୀ, ଆଢ଼ୁଆଳରେ ବିରାଜିବେ ମା’

ଭୁବନେଶ୍ବର: ଆଡ଼ମ୍ବର ନାହିଁ କି ଉତ୍ସାହ ନାହିଁ। ନା ସୁଦୃଶ୍ୟ ତୋରଣ ଶୋଭା ପାଉଛି, ନା ଆଲୁଅମାଳାର ଚାକଚକ୍ୟରେ ପରିବେଶ ଝଲସୁଛି। କେବଳ ବିଧି ରକ୍ଷା ପାଇଁ ପୂଜା କରିବାକୁ ପୂଜା ମଣ୍ଡପ ପ୍ରସ୍ତୁତି କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବିଲ୍ବବରଣି ପରେ ବିଳମ୍ବିତ ରାତିରେ ଦର୍ଶନ ଦେବେ ମା’। ତେବେ ଭକ୍ତମାନେ ଏଥର ଦର୍ଶନରୁ ବଞ୍ଚିତ ହେବ‌େ। ଚତୁଃପାର୍ଶ୍ବ ଆଢ଼ୁଆଳ କରି ମା’ଙ୍କ ପୂଜାର୍ଚନା କରାଯିବ। ତେଣୁ ପୂଜା ଦୃଶ୍ୟକୁ ଉପଭୋଗ ପାଇଁ ଚାହିଁ ରହୁଥିବା ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସୁବିଧା ପାଇଁ କିଛି ପୂଜା ମଣ୍ଡପ ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି। ରାଜଧାନୀରେ ପାଖାପାଖି ୧୭୦ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ଗୁରୁବାରଠାରୁ ବିଲ୍ବବରଣୀ ହେବ। ଶୁକ୍ରବାର ମହାସପ୍ତମୀ ପୂଜା, ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ରହିଛି। ଶନିବାର ମହାଅଷ୍ଟମୀ ଓ ରବିବାର ମହାନବମୀ ପୂଜାର୍ଚ୍ଚନା କରାଯିବ। ୨୬ରେ ବିଜୟା ଦଶମୀ ଓ ଦେବୀପ୍ରତିମା ବିସର୍ଜନ ଏବଂ ୨୭ରେ ନିରାଡ଼ମ୍ବର ଭସାଣି ଯାତ୍ରା ଅନୁଷ୍ଠିତ ହେବ।

ଭୁବନେଶ୍ବର: ରାଜଧାନୀରେ ଦୁର୍ଗାପୂଜାରେ ସୁଦୃଶ୍ୟ ତୋରଣ ବ୍ୟତୀତ ମିଳିତ ଭସାଣି ଯାତ୍ରା ଆକର୍ଷଣ ସାଜୁଥିଲା। ମା’ ମିଳିତ ଭସାଣିରେ ଯିବା ବେଳେ ରାଜଧାନୀକୁ ଦୁଲୁକାଉଥିଲେ ପାରମ୍ପରିକ କଳାକାର। ମାତ୍ର କରୋନା ଏଥର ଏହି ଆଡ଼ମ୍ବରରେ ରୋକ୍‌ ଲଗାଇଛି। ପୂଜାରେ କଟକଣା ଲାଗିବା ପରେ କଳାକାରମାନେ ଦିନକର ରୋଜଗାର ହରାଇବା ଯେତିକି ଚିନ୍ତା ଦେଇନାହିଁ, ରାଜଧାନୀରେ ମିଳିତ ଭସାଣି କାର୍ଯ୍ୟକ୍ରମରେ ପ୍ରତିଯୋଗିତା ପୂର୍ବକ ବାଦ୍ୟ ବାଦନକୁ ଏଥର ଉପ‌େଭାଗ କରିବାର ସୁଯୋଗ ନପାଇବା ବେଶି କଷ୍ଟ ଦେବ ବୋଲି କିଛି ପାରମ୍ପରିକ କଳାକାର କହିଛନ୍ତି। ବଡ଼ ପୂଜା ମଣ୍ଡପଗୁଡ଼ିକ ଭସାଣି ଶୋଭାଯାତ୍ରାରେ ୨ଶହରୁ ଅଧିକ ପାରମ୍ପରିକ କଳାକାରଙ୍କୁ ସାମିଲ୍‌ କରିଥାନ୍ତି। ଗତବର୍ଷର ହିସାବ ମୁତାବକ କେବଳ ରାଜଧାନୀର ଭସାଣି ଶୋଭାଯାତ୍ରାରେ ୨୦ ହଜାର ପାରମ୍ପରିକ କଳାକାର ସାମିଲ୍‌ ହୋଇଥିଲେ। ବିଶେଷକରି ସମ୍ବଲପୁର, ମୟୂରଭଂଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁରର, ବୌଦ୍ଧରୁ ନୃତ୍ୟ ଓ ବାଦ୍ୟଦଳ ଯୋଗ‌ଦେଇ ଦେଖେଣାହାରୀଙ୍କ ପାଇଁ ଆକର୍ଷଣ ସାଜିଥିଲେ। ଏଥର କିନ୍ତୁ ଏମାନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ।

ସବୁଠୁ ଆକର୍ଷଣ ସାଜେ ବଡ଼ଗଡ଼ର ନେତାଜୀ ଯୁବକ ସଂଘର ଭସାଣି ଯାତ୍ରା। ୬୦୦ ପାରମ୍ପରିକ କଳାକାର ଏହି ପୂଜା ମଣ୍ଡପର ଭସାଣି ଯାତ୍ରାରେ ସାମିଲ୍‌ ହୁଅନ୍ତି। ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଡ଼ଗଡ଼ ଗାଁରୁ ବଡ଼ଗଡ଼ ବ୍ରିଟ୍‌ ‌କଲୋନି ଦୁଲୁକେ। ସମ୍ବଲପୁରୀ, ଭାଙ୍ଗଡ଼ା, ପଞ୍ଜାବୀ, ଶିଙ୍ଘ ବାଜା, ଘଣ୍ଟ, ଶଙ୍ଖ, ଜାଗା ଆଖଡ଼ା, ଢୋଲ, ଘୋଡ଼ା, ଷଣ୍ଢ, ସଖୀ, ଦଶାବତାର, ଘୋଡ଼ା, ଓଟ, ପୁଟଳି ବାଜା, ସାନ୍ତାଳ ବାଜା, ନାଗା ନାଚ, ସାନ୍ତାଳ ନୃତ୍ୟ, ମୟୂର ନାଚ, ଶ୍ରୀକାକୁଲମ ବ୍ୟାଣ୍ଡ୍‌ ପାର୍ଟି ବିରାଟ ପଟୁଆର ମଧ୍ୟରେ ହର ପାର୍ବତୀଙ୍କୁ ମେଲାଣି ଦିଆଯାଏ। ସେହିପରି ସହିଦନଗର, ନୂଆପଲ୍ଲୀ, ପୁରୁଣା ଷ୍ଟେସନ୍‌ ବଜାର, ବରମୁଣ୍ଡା, ବମିଖାଲ, ଝାରପଡ଼ା ଭସାଣି ଶୋଭାଯାତ୍ରାରେ ୨ଶହରୁ ଅଧିକ ଲେଖାଏଁ ପାରମ୍ପରିକ କଳାକାର ସାମିଲ୍‌ ହୁଅନ୍ତି। ଏହା ବ୍ୟତୀତ ଅନ୍ୟ ପୂଜା ମଣ୍ଡପରେ ୫୦ରୁ ୧୦୦ ପାରମ୍ପରିକ କଳାକାର ନୃତ୍ୟ ଓ ବାଦ୍ୟରେ ମା’ଙ୍କୁ ମେଲାଣି ଦିଅନ୍ତି। ତେବେ ଚଳିତ ବର୍ଷ ଶ୍ରଦ୍ଧାଳୁ ଏହାର ଅଭାବ ଅନୁଭବ କରିବେ।

ଦେଖିବାକୁ ମିଳିବନି ମିଳିତ ଭସାଣି
ରାଜଧାନୀରେ ୪ଟି ସ୍ଥାନରେ ମିଳିତ ଭସାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ୨୦ ମେଢ଼ ସମବେତ ହେବା ପରେ ସେଠାରେ ମିଳିତ ଦର୍ଶନ ଦିଅନ୍ତି। ସେଠାରୁ ମେଢ଼ ଧାଡ଼ିରେ ସିଆର୍‌ପି ଛକରୁ ଆଠ ନମ୍ବର ଓ ଶିରିପୁର ଛକ ଦେଇ ଗଙ୍ଗନଗରରେ ଯାତ୍ରା ଶେଷ କରନ୍ତି। ସେହିପରି ସହିଦନଗରରେ ମିଳିତ ଭସାଣିରେ ଧାଡ଼ି ଶୋଭାଯାତ୍ରା ଆକର୍ଷଣ ସାଜେ। ୨୦ଟି ମେଢ଼ ବାଣୀବିହାରରୁ ଶୋଭାଯାତ୍ରା ଆରମ୍ଭ କରି ସହିଦନଗର ଦୁର୍ଗାପୂଜା ମଣ୍ଡପ ସମ୍ମୁଖ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଏ। ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କରେ ମଧ୍ୟ ଧାଡ଼ି ଶୋଭାଯାତ୍ରା ଦେଖିବାକୁ ମିଳେ। ଲିଙ୍ଗରାଜ ମନ୍ଦିରରୁ ବଢ଼େଇବାଙ୍କ ଦେଇ ୨୫ ମେଢ଼ ଶୋଭଯାତ୍ରାରେ ଯାଆନ୍ତି। ଚନ୍ଦ୍ରଶେଖରପୁର ଥାନା ନିକଟ ଭସାଣି ପଡ଼ିଆରେ ମଧ୍ୟ ମିଳିତ ଭସାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ତେବେ ଏଥର ମା’ଙ୍କୁ ୪ ଜଣରେ ନେଇ ବିସର୍ଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe