‘ଡଷ୍ଟବିନ୍‌ମୁକ୍ତ’ ସହର ଯୋଜନା: ବିଏମ୍‌ସିକୁ ବୁମେରାଂ

ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା, ତାତିଲେଣି କର୍ପୋରେଟର୍‌

‘ଡଷ୍ଟବିନ୍‌ମୁକ୍ତ’ ସହର ଯୋଜନା: ବିଏମ୍‌ସିକୁ ବୁମେରାଂ

ଭୁବନେଶ୍ବର: ବିଏମ୍‌ସି ଅଧିକାରୀଙ୍କ ମନମୁଖୀ ଓ ତରବରିଆ ନିଷ୍ପତ୍ତି ପାଇଁ ଏବେ ରାଜଧାନୀବାସୀ ନାକରେ କାନ୍ଦୁଛନ୍ତି। ‘ଡଷ୍ଟବିନ୍‌ମୁକ୍ତ’ ସହର ଅଭିଯାନ ଏବେ ବିଏମ୍‌ସି ପାଇଁ ବୁମେରାଂ ପାଲଟିଛି। ଗୋଟିଏ ପଟେ ଠିକ୍‌ ସମୟ‌ରେ ଲୋକଙ୍କ ଘର ପାଖରେ ଅଳିଆ ଗାଡ଼ି ପହଞ୍ଚୁ ନଥିବା ବେଳେ ଡଷ୍ଟବିନ୍‌ର ଅଭାବ ଯୋଗୁଁ ଲୋକେ ରାସ୍ତା ଉପରେ ଅଳିଆ ଗଦାଉଛନ୍ତି। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାକଡ଼ରେ କୁଢ଼କୁଢ଼ ଅଳିଆ, ଆବର୍ଜନା ଗଦା ହୋଇରହୁଛି। ଦିନ ଦିନ ଧରି ଅଳିଆ ଉଠୁନି। ତେବେ ସେହି ଅଳିଆ ଭିତରୁ ବୁଲା କୁକୁର ଓ ଗାଈଙ୍କ ଖାଦ୍ୟ ଅନ୍ବେଷଣ, ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଉଛି। ସେମାନେ ରାସ୍ତାରେ ଓ ଲୋକଙ୍କ ଘର ଆଗରେ ଅଳିଆ ଫୋପାଡ଼ି ଦେଉଛନ୍ତି। ବେଶ୍‌ କିଛି ଦିନ ହେଲା, ଏହି ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଖାଲି ଲୋକଙ୍କ ମଧ୍ୟରେ ନୁହେଁ, ବିଏମ୍‌ସିର ଅନ୍ଦରମହଲ‌ରେ ବି ଏହାକୁ ନେଇ ଅସନ୍ତୋଷ କୁହୁଳିଲାଣି। ବିନା ବୈଠକ, ପରାମର୍ଶ କିମ୍ବା ଆଲୋଚନାରେ ସରକାରୀ ବାବୁଙ୍କ ଏହି ଅଦୂରଦର୍ଶୀ ନିଷ୍ପତ୍ତିକୁ ନେଇ କିଛି କର୍ପୋରେଟର୍‌ ଖୋଲାଖୋଲି ପ୍ରତିବାଦ କଲେଣି। ଯଦି ବିନା ଆଲୋଚନାରେ ସରକାରୀ ବାବୁମାନେ ଏମିତି ଆଖିବୁଜା ନିଷ୍ପତ୍ତି ନେବେ, ତେବେ ଆମେ କାହିଁକି ରହିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନାନୁଯାୟୀ, ଭୁବନେଶ୍ବରକୁ ‘ଡଷ୍ଟବିନ୍‌ମୁକ୍ତ’ ସହର କରିବା ପାଇଁ କିଛି ଦିନ ତଳେ ବିଏମ୍‌ସି ନିଷ୍ପତ୍ତି ନେଇଥିଲା। ଲୋକଙ୍କ ଘରୁ ଦୈନିକ ଯାହା ଆବର୍ଜନା ବାହାରିବ, ତାକୁ ଲୋକମାନେ ସାଇତି ରଖିବେ ଓ ପରଦିନ ତାହାକୁ ସଫେଇ ଗାଡ଼ିକୁ ଦେବେ। ରାଜଧାନୀବାସୀ ଏହି ନୂଆ ଅଭ୍ୟାସରେ ପଡ଼ିଗଲେ, ବିଏମ୍‌ସିକୁ ଆଉ ଆବର୍ଜନା ପରିଚାଳନାରେ ଅସୁବିଧା ହେବ ନାହିଁ ଓ ସହର ବି ସ୍ବଚ୍ଛ ସୁନ୍ଦର ରହିବ। ସର୍ବସାଧାରଣ ସ୍ଥାନରେ ବି ଡଷ୍ଟବିନ୍‌ର ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ, ଭିତ୍ତିଭୂମିକୁ ସୁଦୃଢ଼ ନ କରି ରାତିଅଧିଆ ସହରରୁ ଡଷ୍ଟବିନ୍‌ ଉଠାଇ ନିଆଯାଇଥିବାରୁ ଏବେ ଏଭଳି ସମସ୍ୟା ଉପୁଜିଛି। ଗୋଟିଏ ପଟେ, ଠିକଣା ସମୟରେ ଓ ପ୍ରତିଦିନ ଅଳିଆ ଗାଡ଼ି ନ ଆସିବାରୁ ଲୋକେ ବାଧ୍ୟ ହୋଇ ଆଗରୁ ଡଷ୍ଟବିନ୍‌ ଥିବା ଖୋଲା ସ୍ଥାନରେ ଆବର୍ଜନା ଗଦା କରି ଦେଉଛନ୍ତି। ସହରର ପ୍ରାୟ ସବୁ ଗଳିକନ୍ଦିରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିଏମ୍‌ସିର ଏହି ‘ଡଷ୍ଟବିନ୍‌ମୁକ୍ତ’ ସହର ଯୋଜନାକୁ ଅନେକେ ପସନ୍ଦ କରିଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନ କରି ତରବରିଆ ଭାବେ ଡଷ୍ଟବିନ୍‌ ଉଠାଇ ନିଆଯିବା ଦୂରଦୃଷ୍ଟିର ଅଭାବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ, ନିୟମିତ ନିର୍ଦ୍ଧାରିତ ସମୟରେ ଆବର୍ଜନା ସଂଗ୍ରହ କରିବା ଲାଗି ବ୍ୟବସ୍ଥା କରିବାକୁ ଦାବି ହୋଇଛି।

publive-image

ଏହା ସଫଳ ହେଉନଥିବା ପଛର କାରଣ ସମ୍ପର୍କରେ ଲୋକମାନଙ୍କର ଗଦା ଗଦା ଅଭିଯୋଗ ରହିଛି। ସେମାନଙ୍କର ଅଭିଯୋଗ ମୁତାବକ, ଡଷ୍ଟବିନ୍‌ ଉଠାଇ ଦିଆଗଲା, କୁହାଗଲା ଗାଡ଼ିକୁ ଲୋକେ ଆବର୍ଜନା ଦେବେ। କିନ୍ତୁ ନିର୍ଦ୍ଧାରିତ ସମୟରେ ସଫେଇବାଲା ଗାଡ଼ି ଆସୁନାହିଁ। ଲୋକେ ଅଳିଆକୁ କରିବେ କ’ଣ? ରାସ୍ତାକଡ଼ରେ ଗଦା କରିବାକୁ ବାଧ୍ୟ ହେଉଛନ୍ତି। ତେବେ କିଏ ରାସ୍ତାକଡ଼ରେ ଗଦା କରୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମ୍‌ସି ଯୋଜନା କରିଛି। ସ୍ବତନ୍ତ୍ର ଗାଡ଼ି ଜରିଆରେ ଲୋକଙ୍କୁ ସଚେତନ କରାଉଛି କି ଏଣେ ତେଣେ ଆବର୍ଜନା ଫିଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବ କିଏ? ସବୁଠି କ’ଣ ବିଏମ୍‌ସି କ୍ୟାମେରା ଲଗାଇଛି ନା ସୁରକ୍ଷାକର୍ମୀ ଜଗିଛନ୍ତି? ଏ ସବୁ ଖାଲି ପ୍ରହସନ ଚାଲିଛି ବୋଲି ଖାରବେଳନଗର‌ରେ ରହୁଥିବା ଜଣେ ବରିଷ୍ଠ ନାଗରିକ କହିଛନ୍ତି।

ଯେଉଁଠି ବଡ଼ ଡଷ୍ଟବିନ୍‌ ଥିଲା ସେହି ଅଞ୍ଚଳରୁ କେତେ ଆବର୍ଜନା ସୃଷ୍ଟି ହେଉଛି ବା ଏହି ଡଷ୍ଟବିନ୍‌ରେ କେଉଁ କେଉଁ ବ୍ୟବସାୟୀ ବା ଲୋକେ ଆବର୍ଜନା ପକାଉଥିଲେ ତାହାର ହିସାବ ବିଏମ୍‌ସି ପାଖରେ ନାହିଁ। ସ୍ମାର୍ଟ ଜନପଥରେ ସର୍ବେକ୍ଷଣ ହୋଇଛି। କେଉଁ କେଉଁ ବ୍ୟବସାୟୀ ଅଧିକ ଆବର୍ଜନା ସୃଷ୍ଟି କରୁଛନ୍ତି, ତାହାର ତାଲିକା ହୋଇଛି। ଏଣୁ ଏଠାରେ ଆବର୍ଜନା ସଂଗ୍ରହରେ ସମସ୍ୟା ହେଉ ନାହିଁ। କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ। କେବଳ ଅନୁମାନ ଓ ଆକଳନରେ ଚାଲିଛି। କେଉଁଠୁ କେତେ ଆବର୍ଜନା ବାହାରୁଛି, ତାହାର ହିସାବ ନାହିଁ। ଏଣୁ ଡଷ୍ଟବିନ୍‌ ଉଠିଯିବା ପରେ ଯେଉଁ ସବୁ ସଂସ୍ଥା ବା ବ୍ୟାବସାୟିକ ପ୍ରତିଷ୍ଠାନମାନେ ସେଠାରେ ଆବର୍ଜନା ପକାଉଥିଲେ ତାହାର ମଧ୍ୟ ହିସାବ ନାହିଁ। ଫଳରେ ବିଏମ୍‌ସି ବାଉଳା ହେଉଛି। ରାସ୍ତାକଡ଼ର ଛୋଟ ଛୋଟ ହୋଟେଲ ଓ ତଥା ଆବର୍ଜନା ସୃଷ୍ଟି କରୁଥିବା ଅନ୍ୟାନ୍ୟ ଦୋକାନୀଙ୍କ ଉପରେ ବିଏମ୍‌ସି କଡ଼ା ନଜର ରଖିପାରୁଛି। କିନ୍ତୁ ସାଧାରଣ ଲୋକଙ୍କ ଘରୁ ଛୋଟ ଛୋଟ ଭୋଜିରୁ ବାହାରୁଥିବା ଅଳିଆ ରାସ୍ତାକଡ଼ରେ ଗଦା ହେଉଛି। ପୂର୍ବରୁ ଏଗୁଡ଼ିକ ପବ୍ଲିକ୍‌ ଡଷ୍ଟବିନ୍‌ରେ ପଡ଼ୁଥିଲା। ଯେଉଁ ସ୍ବଚ୍ଛତା ପାଇଁ ଡଷ୍ଟବିନ୍‌ ଫ୍ରି ସିଟିର ଚିନ୍ତା କରାଗଲା ତାହା ଯଦି ସଫଳ ହେଲା ନାହିଁ ତେବେ ଏହି ଡଷ୍ଟବିନ୍‌ ଫ୍ରି ସହର କାହା ପାଇଁ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe