ଫଳ ବଜାର ପାଇଁ ରାସ୍ତା ପାଲଟୁଛି ଡଷ୍ଟବିନ୍‌

Advertisment
ଫଳ ବଜାର ପାଇଁ ରାସ୍ତା ପାଲଟୁଛି ଡଷ୍ଟବିନ୍‌

ଭୁବନେଶ୍ୱର: ଫଳ ଦୋକାନୀଙ୍କ ବସିବା ପାଇଁ ବିଏମ୍‌ସି ନିର୍ମାଣ କରିଛି ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌। ଗୋଟିଏ ଧାଡ଼ିରେ ଦୋକାନୀମାନେ ଫଳ ପସରା ମେଲାଇଛନ୍ତି। ଦିନତମାମ ଗହଳି ଲାଗୁଛି। କିନ୍ତୁ ଏଠୁ ବାହାରୁଥିବା ଆବର୍ଜନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଫଳରେ ଭୂତଳ କେବୁଲ୍‌ ପାଇଁ ଖୋଳାଯାଇଥିବା ରାସ୍ତା ଏବେ ଏହି ଭେଣ୍ଡିଂ ଜୋନ୍‌ର ଡଷ୍ଟବିନ୍‌ ପାଲଟିଛି। ଏହା ହେଉଛି ଶ୍ରୀୟା ଛକ ନିକଟରେ ଥିବା ଫଳ ଭେଣ୍ଡିଂ ଜୋନ୍‌ର ଦୃଶ୍ୟ। ବର୍ତ୍ତମାନ ଜନପଥରେ ଭୂତଳ କେବୁଲ୍‌ ବିଛାଇବା କାମ ଚାଲିଛି। ଫଳରେ ରାସ୍ତାର ଦୁଇ ପଟରେ ଠିକ୍‌ ଫୁଟ୍‌ପାଥ୍‌ କଡ଼ରେ ଖୋଳି ଦିଆଯାଇଛି। ଏଥି ପାଇଁ ଗୋଟିଏ ପଟେ ଜନପଥରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା ବେଳେ ଅପର ପକ୍ଷରେ ବ୍ୟବସାୟୀମାନେ ଆଉ ଏକ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରୁଛନ୍ତି।

ବିଏମ୍‌ସିର ନିୟମ ଅନୁଯାୟୀ ଭେଣ୍ଡିଂ ଜୋନ୍‌ର ସମସ୍ତ ଦୋକାନୀ ଦୋକାନ ସାମ୍ନାରେ ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ। କିନ୍ତୁ ଶ୍ରୀୟା ଛକ ନିକଟରେ ଥିବା ଭେଣ୍ଡିଂ ଜୋନ୍‌ରେ ଅଧିକାଂଶ ଦୋକାନରେ ଡଷ୍ଟବିନ୍‌ ନାହିଁ। ବିଏମ୍‌ସି ପକ୍ଷରୁ ଏଥି ପାଇଁ ସେମାନଙ୍କୁ ତାଗିଦ୍‌ ବି କରାଯାଉନାହିଁ। ନା ଦୋକାନୀ ଡଷ୍ଟବିନ୍‌ ରଖୁଛନ୍ତି ନା ବିଏମ୍‌ସି ପକ୍ଷରୁ ଡଷ୍ଟବିନ୍‌ର ବ୍ୟବସ୍ଥା କରାଯାଉଛି। ଫଳରେ ଏହି ଭେଣ୍ଡିଂ ଜୋନ୍‌ ସାମ୍ନାରେ ଭୂତଳ କେବୁଲ୍‌ ପାଇଁ ଖୋଳାଯାଇଥିବା ରାସ୍ତା ଦୋକାନୀ ଓ ଗ୍ରାହକଙ୍କ ପାଇଁ ଡଷ୍ଟବିନ୍‌ ପାଲଟିଯାଇଛି। ସେହି ଗାତ ଭିତରେ ସମସ୍ତେ ଫଳ ଚୋପାଠାରୁ ଆରମ୍ଭ କରି ଭେଣ୍ଡିଂ ଜୋନ୍‌ରୁ ବାହାରୁଥିବା ବର୍ଜ୍ୟବସ୍ତୁ ଫିଙ୍ଗି ଦେଉଛନ୍ତି। ଯେହେତୁ ଗାତ ଭିତରେ ସେଗୁଡ଼ିକ ପଡ଼ୁଛି, ତାହାକୁ ସଫେଇ କର୍ମଚାରୀମାନେ ବି ଉଠାଉ ନାହାନ୍ତି। ଦିନ ଦିନ ଧରି ଅଳିଆ ଉଠାଯାଉ ନଥିବାରୁ ଏହା ଏକ ଅସ୍ଥାୟୀ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଆହୁରି ମଧ୍ୟ ସହରର ମୁଖ୍ୟ ରାସ୍ତା କଡ଼ରେ ଏପରି ବିକୃତ ଚିତ୍ର ସହରର ଶୋଭା ବିଗାଡ଼ୁଛି। ପୁଣି ଆବର୍ଜନା ପଡ଼ୁଥିବାରୁ ସେଠାରେ କେବୁଲ୍‌ କାମ ତ୍ୱରାନ୍ଵିତ ହେବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ୱଚ୍ଛତା ପାଇଁ ବିଏମ୍‌ସି ପକ୍ଷରୁ ଜୋର୍‌ଦାର୍‌ ପ୍ରଚାର କରାଯାଉଥିଲା ବେଳେ ଜନପଥ ପରି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଏପରି ଅବ୍ୟବସ୍ଥା ନେଇ ସଚେତନ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe