ଭୁବନେଶ୍ବର: ବିଳମ୍ବିତ ପୂର୍ବାହ୍ନ ପର୍ଯ୍ୟନ୍ତ ଶୀତବସ୍ତ୍ର ଛାଡ଼ିବାକୁ ଇଚ୍ଛା ହେଉନ୍ତି। ସଂଧ୍ୟା ନ ହେଉଣୁ ଶୀତର କବଳକୁ ଆସିଯାଉଛି ଦ୍ବୈତନଗରୀ। ଅପରାହ୍ଣରୁ ହିଁ ଶୀତ ମାଡ଼ିବସୁଛି। କାଲୁଆ ପବନ ବାଜିଲେ ଦେହ ଥରି ଉଠୁଛି। ଶୀତବସ୍ତ୍ର ନ ପିନ୍ଧିଲେ ପଦାକୁ ବାହାରି ହେଉନାହିଁ। ରାତି ଯେତେ ବଢ଼ୁଛି, ପାରଦ ସେତେ ତଳକୁ ଖସୁଛି। ଗତ ୩ ଦିନ ହେଲା ହାଡ଼ଭଙ୍ଗା ଶୀତ ଏମିତି ଭାବେ ରାଜଧାନୀବାସୀଙ୍କୁ ଥରାଉଛି। ରାଜଧାନୀରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍ ରହୁଥିବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରୟମାନେ ରାସ୍ତାକଡ଼ରେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ଆଗରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦ୍ବୈତନଗରୀର ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି।
ଗତ ୪ ଦିନ ହେଲା ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ପାରଦ ୧୫କୁ ଖସିଥିବା ବେଳେ ବୁଧବାର ରାତିରେ ଭୁବନେଶ୍ବରର ତାପମାତ୍ରା ୧୪.୧ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କଟକରେ ୧୪.୬ ଡିଗ୍ରିରେ ରାତି ପାରଦସ୍ତର ପହଞ୍ଚିଥିଲା। ଗତକାଲି ରାତିରେ ମଧ୍ୟ ଉଭୟ ସହରର ତାପମାତ୍ରା ୧୪.୮ ଡିଗ୍ରି ରେକର୍ଡ ହୋଇଛି। ରାତି ତାପମାତ୍ରା ହଠାତ୍ ଏଭଳି ଖସିଥିବା ବେଳେ ଶୀତବସ୍ତ୍ର ବଜାରରେ ଭିଡ଼ ପରିଲକ୍ଷିତ ହେଉଛି। ଅନ୍ୟପଟେ କୋହଲା ପବନ ଯୋଗୁ ରାସ୍ତାରେ ଯିବା ଏକପ୍ରକାର ମୁସ୍କିଲ୍ ହୋଇପଡ଼ୁଛି। ଗାଡ଼ିର ଘଣ୍ଟା ପ୍ରତି ବେଗ ୪୦ କିମିରୁ ଅଧିକ ବଢ଼ୁନାହିଁ। ଚଳିତବର୍ଷ ପ୍ରଥମଥର ପାଇଁ ସହରରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହୁଥିବା ବେଳେ ବୁଧବାରଠାରୁ ହଠାତ୍ ରାତି ତାପମାତ୍ରା ୧୪ ଡିଗ୍ରିକୁ ଡିଗ୍ରିକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଭୁବନେଶ୍ବର ଓ କଟକରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ପାଖାପାଖି ରହିବ। ୩ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇପାରେ। ଏହାପରେ ପୁଣିଥରେ କମିବ।
ଲୋକେ ବାହାରକୁ ବାହାରିବା ସମୟରେ ଶୀତବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ସହରକୁ ଲାଗି ରହିଥିବା ପାହାଡ଼ିଆ ତଥା ଜଙ୍ଗଲ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବିମାନବନ୍ଦର, ଚନ୍ଦ୍ରଶେଖରପୁର, ଚନ୍ଦକା ପ୍ରଭୃତି ଅଞ୍ଚଳରେ ରାତିର ତାପମାତ୍ରାରେ ହ୍ରାସ ଘଟୁଛି। ଗତ ୭ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୮ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ଥିବା ବେଳେ ୨୦୧୯ରେ ୯.୮ଡିଗ୍ରି , ୨୦୨୦ରେ ୧୧.୭ ଡିଗ୍ରି, ୨୦୨୧ରେ ୧୦ ଡିଗ୍ରି, ୨୦୨୨ରେ ୧୨.୨ ଓ ୨୦୨୩ରେ ୧୨.୪ ଡିଗ୍ରି ରହିଥିଲା। ତେବେ ଗତବର୍ଷ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୦.୯ ଡିଗ୍ରିକୁ ଖସିଥିଲା। ଏହି ରେକର୍ଡକୁ ଦେଖିଲେ, ଭୁବନେଶ୍ବର ତାପମାତ୍ରାରେ ଆଗକୁ ଆହୁରି ହ୍ରାସ ଘଟିପାରେ ବୋଲି ଆକଳନ କରାଯାଉଛି।
Follow Us