ସରିଲା ଟ୍ରାଏଲ୍‌ ରନ୍‌, ଅଗଷ୍ଟରୁ ଇ-ବସ୍‌ : ପ୍ରଥମ ପର୍ଯ୍ୟାୟରେ ୧୦ଟି ଚଳାଇବାକୁ ନିଷ୍ପତ୍ତି

Advertisment
ସରିଲା ଟ୍ରାଏଲ୍‌ ରନ୍‌, ଅଗଷ୍ଟରୁ ଇ-ବସ୍‌ : ପ୍ରଥମ ପର୍ଯ୍ୟାୟରେ ୧୦ଟି ଚଳାଇବାକୁ ନିଷ୍ପତ୍ତି

Mint

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଗାଡ଼ି ପ୍ରଦୂଷଣ ରୋକିବା ଲାଗି ଅଗଷ୍ଟ ମାସରେ ରାଜଧାନୀରେ ମୋ’ ବସ୍‌ ସେବା‌‌ରେ ଯୋଡ଼ି ହେବାକୁ ଯାଉଛି ୧୦ଟି ଇ-ବସ୍‌। କେତେବେଳେ, କେଉଁ ରୁଟ୍‌ରେ, କେତୋଟି ବସ୍‌ ଚାଲିବ ସେନେଇ କ୍ରୁଟ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବସ୍‌ଗୁଡ଼ିକ ପଟିଆ ମୋ’ ବସ୍‌ ଷ୍ଟେସନ୍‌ରେ ପହଞ୍ଚିବା ସହ ମାସକର ଟ୍ରାଏଲ୍‌ ରନ୍‌ ଇତିମଧ୍ୟରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ବରରେ ଏହି ବସ୍‌ଗୁଡ଼ିକ ଚାଲିବ। ସଫଳ ହେଲେ ବର୍ଷ ଶେଷ ସୁଦ୍ଧା କଟକ, ପୁରୀ, କୋଣାର୍କକୁ ଗଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି।

ଟ୍ରାଏଲ୍‌ ରନ୍‌ ସମୟରେ ବସ୍‌ର ଦୋଷ ତ୍ରୁଟିକୁ ଅନୁଧ୍ୟାନ କରାଯାଇଛି। ଯାତ୍ରୀଙ୍କ ଓଜନ ଅନୁଯାୟୀ ବାଲିବସ୍ତା ଲଦାଯାଇ ବସ୍‌ଗୁଡ଼ିକ ସହରର ବିଭିନ୍ନ ରୁଟ୍‌ରେ ଚାଲିଥିଲା। ମୋ ବସ୍‌ ପରି ଏହି ବସ୍‌ଗୁଡ଼ିକ ସବୁ ବସ୍‌ ଷ୍ଟପ୍‌ରେ ରହିବା ସହ ଯାତ୍ରୀମାନେ କେଉଁଭଳି ଭାବେ ଚଢ଼ିବେ ଓ ଓହ୍ଲାଇବେ ତାହାର ନକଲ କରାଯାଇଛି। ଯାତ୍ରୀ ନ ଥିଲେ ମଧ୍ୟ ବସ୍‌ ଡ୍ରାଇଭର ଓ ହେଲ୍‌ପର ଗାଡ଼ିରେ ରହିଥିଲେ। ଜଣେ ଡ୍ରାଇଭରଙ୍କ କହିବାନୁଯାୟୀ ଏ ଗାଡ଼ିରେ ଗିୟର ବ୍ୟବସ୍ଥା ନାହିଁ। ଅଟୋମ୍ୟାଟିକ୍‌ ସିଷ୍ଟମରେ ଚାଲିଛି। ବହୁତ ଭଲ ମଧ୍ୟ ଲାଗୁଛି। ଯାତ୍ରୀଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ୪ରୁ ୬ଟି ସିସିଟିଭି ଲଗାଯାଇଛି। ଅନ୍ୟମନସ୍କ ହୋଇ ପାସେଞ୍ଜର ପଡ଼ିବାର ଭୟ ଏଥିରେ ନାହିଁ। ବସ୍‌ ଫାଟକ ଖୋଲା ରହିଥିଲେ ଗାଡ଼ି ଆଗକୁ ବଢ଼ିବ ନାହିଁ। ଗାଡ଼ିର ବେଗ ୬୦ କିମିରୁ ଅଧିକ ହେଲେ ସତର୍କ ସୂଚନା ଦେଉଛି।

କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୩୨ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ଟି ମୋ’ ବସ୍‌ରେ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ହାରାହାରି ୧.୫ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ୨୦୧୯ରୁ ପ୍ରତିବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇଛି। ରାଜସ୍ୱ ମଧ୍ୟ ବଢ଼ିଛି। ଇତିମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍‍, ଇ-ରିକ୍ସା ସେବା ଆରମ୍ଭ ହୋଇଛି। ଭୁବନେଶ୍ବରରେ ଇ-ବସ୍‌ ଚଳାଇବାକୁ ୨୦୧୯ରେ ଯୋଜନା ହୋଇଥିଲା। ୩ଟି ଇ-ବସ୍‌ ନିର୍ମାଣକାରୀ ସଂସ୍ଥା ଭୁବନେଶ୍ବରରେ ଡେମୋ ମଧ୍ୟ ଦେଖାଇଥିଲେ। ହେଲେ କରୋନା ଯୋଗୁଁ ଯୋଜନା ଆଗକୁ ଯାଇପାରି ନଥିଲା। ମାତ୍ର ସ୍ଥିତି ସୁଧୁରିଥିବାରୁ ଆସନ୍ତା ସପ୍ତାହରେ ଇ-ବସ୍‌ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି। ଦୁଇରୁ ତିନି ଦିନ ମଧ୍ୟରେ ଶୁଭାରମ୍ଭର ତାରିଖ ଘୋଷଣ‌ା କରାଯିବ।

ସୂଚନା ଅନୁଯାୟୀ ବିନା ଶବ୍ଦ ଓ ଧୂଆଁରେ ଏହି ବସ୍‌ ଯାତ୍ରୀଙ୍କୁ ନିଆରା ଆନନ୍ଦ ମିଳିବ। ବସ୍‌ଗୁଡ଼ିକୁ ଚାର୍ଜ କରିବା ପାଇଁ କ୍ରୁଟ୍‌ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୫ଟି ଚାର୍ଜିଂ ଷ୍ଟେସନ୍‌ କରାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪୦ଟି ବସ୍‌ ଆସିବାକୁ ଥିବାରୁ ଚାର୍ଜିଂ ଷ୍ଟେସନ୍‌ର ସଂଖ୍ୟା ବଢ଼ିବ। ବସ୍‌ଗୁଡ଼ିକ ଥରେ ଚାର୍ଜ ହେଲେ ୧୫୦ କିମି ପର୍ଯ୍ୟନ୍ତ ଯିବ। ଇତିମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡ଼କଣ ଓ ପୋଖରୀପୁଟରେ ଡିପୋ କାର୍ଯ୍ୟ ଚଲିଛି। ଏହି ଡିପୋରେ ଇ-ବସ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବର୍ଷକ ମଧ୍ୟରେ ୫୦ଟି ଇ-ବସ୍‍ ଚଳାଇବା ପାଇଁ ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe