ଅଜବ ଇ-ଚାଲାଣ ବ୍ୟବସ୍ଥା: କାର୍‌ ମାଲିକଙ୍କୁ ହେଲ୍‌ମେଟ୍ ଜରିମାନା

ଅଜବ ଇ-ଚାଲାଣ ବ୍ୟବସ୍ଥା: କାର୍‌ ମାଲିକଙ୍କୁ ହେଲ୍‌ମେଟ୍ ଜରିମାନା

IndiaFilings

ଭୁବନେଶ୍ବର: ଜଣେ କାର୍‌ମାଲିକଙ୍କୁ ହେଲ୍‌ମେଟ୍‌ ଜରିମାନା। କଥାଟା ଅଜବ ଲାଗୁଥିଲେ ବି ସତ। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାରୁ ଏକ ହଜାର ଟଙ୍କା ଜରିମାନା ପଇଠ କରିବା ପାଇଁ କାର୍‌ମାଲିକଙ୍କ ମୋବାଇଲ୍‌ ଫୋନ୍‌କୁ ଚାଲାଣ ମେସେଜ୍‌ ଆସିଛି। ଟ୍ରାଫିକ୍‌ ଜରିମାନା ବ୍ୟବସ୍ଥାରେ ଥିବା କେତେକ ତ୍ରୁଟି ଏବଂ ଚାଲାଣ କାଟୁଥିବା ଟ୍ରାଫିକ୍‌ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇନଥିବାରୁ ବହୁ ସମୟରେ ଗାଡ଼ିମାଲିକମାନେ ଅଯଥାରେ ଏଭଳି ହଇାରଣ ହେଉଥିବା ଅଭିଯୋଗ ହୋଇଛି।

କାର୍‌ ମାଲିକ ସୂର୍ଯ୍ୟ ମହାପାତ୍ରଙ୍କ କହିବା କଥା ସେ ଶିଶୁପାଳଗଡ଼ରେ ରୁହନ୍ତି ଓ ଖୋର୍ଦ୍ଧାରେ ପୋଷ୍ଟାଲ କର୍ମଚାରୀ ଭାବେ କାମ କରନ୍ତି। ସେ ବହୁ ସମୟରେ ବାଇକ୍‌ ଯୋଗେ ଅଫିସ ଯାଆନ୍ତି, ଯଦିଓ ତାଙ୍କର ଓଡି-୦୨-ଏୱାଇ-୫୬୬୧ ନମ୍ବରରେ ଏକ ଅଲ୍‌ଟୋ କାର୍‌ ଅଛି। ପ୍ରାୟ ମାସେ ହେଲା ସେ କାର୍‌ ନେଇ ଅଫିସ୍‌ ଯା‌ଇନାହାନ୍ତି। କିନ୍ତୁ ଆଜି ରାତି ୧୦ଟା ବେଳେ ତାଙ୍କ ମୋବାଇଲ ଫୋନ୍-୯୪୩୭୨-୩୨୦୮୯କୁ ଏସ୍ଏମ୍ଏସ୍ ଆସିଥିଲା କି ଧାରା ୧୯୪/ଡି ଅନୁଯାୟୀ ତୁମେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାରୁ ତୁମ ଗାଡ଼ି ନମ୍ବର ଓଡି-୦୨-ଏୱାଇ-୫୬୬୧ ଉପରେ ଏକ ହଜାର ଟଙ୍କା ଜରିମାନା ହୋଇଛି। ଏଭଳି ଏସ୍‌ଏମ୍‌ଏସ୍ ପାଇବା ପରେ ସୂର୍ଯ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି।

ପ୍ରଥମତଃ ଯେଉଁ ଗାଡ଼ି ନମ୍ବର ଉପରେ ହେଲ୍‌ମେଟ୍‌ ଜରିମାନା ଧାର୍ଯ୍ୟ କରାଯାଇଛି, ତାହା ଏକ କାର୍‌ ବୋଲି ଚାଲାଣ କାଟିଥିବା ଟ୍ରାଫିକ୍‌ କର୍ମଚାରୀ କିଭଳି ବୁଝିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଜରିମାନା ଚାଲାଣ କାଟିବା ପୂର୍ବରୁ ଟ୍ରାଫିକ୍‌ କର୍ମଚାରୀ ଗାଡ଼ିର ମାଲିକ ନାଁ ବୁଝିପାରିଲେ, ଅଥଚ କି ପ୍ରକାର ଗାଡ଼ି ବୋଲି କିଭଳି ଜାଣିପାରିଲେନି ବୋଲି ସୂର୍ଯ୍ୟ ନିଜ ପ୍ରତିକ୍ରିୟାରେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିରୁ ସ୍ପଷ୍ଟ ଓଡ଼ିଶା ପୁଲିସର ଇ-ଚାଲାଣ ବ୍ୟବସ୍ଥା କେତେ ଉନ୍ନତି କରିଛି! ଏନେଇ ଜଣେ ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି ଯେ ବୋଧହୁଏ କେହି ସୂର୍ଯ୍ୟଙ୍କ କାର୍‌ ନମ୍ବରକୁ ବାଇକ୍‌ରେ ଲଗାଇ ବିନା ହେଲ୍‌ମେଟରେ ଚଳପ୍ରଚଳ ହେଉଛି। ତେଣୁ ଟ୍ରାଫିକ୍‌ କର୍ମଚାରୀ କେବଳ ଗାଡ଼ି ନମ୍ବରରୁ ମାଲିକଙ୍କ ଠିକଣା ବୁଝି ଚାଲାଣ କରିଛନ୍ତି। କିନ୍ତୁ ଏହି ସଫେଇକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଚାଲାଣ କାଟିବା ପୂର୍ବରୁ ଅଧିକାରୀ ଗାଡ଼ି ମାଲିକ ଓ ଗାଡ଼ି ଉଭୟ ବାବଦରେ ଭଲ ଭାବେ ଯାଞ୍ଚ କରିବା ଉଚିତ। ଏବେ ସୂର୍ଯ୍ୟ ଅଯଥାରେ ପୁଲିସ ପାଖକୁ ଧାଇଁଧାଇଁ ହନ୍ତସନ୍ତ ହେବେ। ଏଥିପାଇଁ ପୁଲିସ ତାଙ୍କୁ କ୍ଷତିପୂରଣ ଦେବ କି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe