କାମରେ ଲାଗୁନି ଇ-ଟଏଲେଟ୍‌ : ଦୁଆର ମୁହଁରେ ପରିସ୍ରା କରୁଛନ୍ତି

କାମରେ ଲାଗୁନି ଇ-ଟଏଲେଟ୍‌ : ଦୁଆର ମୁହଁରେ ପରିସ୍ରା କରୁଛନ୍ତି

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ୪ବର୍ଷ ହେଲା ଏକ ନମ୍ବର ସ୍ଥାନ ହାସଲ କଲାଣି। ହେଲେ ଆଜି ପର୍ଯ୍ୟନ୍ତ ସ୍ମାର୍ଟ ସିଟି ଭଳି ଦେଖାଯାଉନି। ଭୁବନେଶ୍ବରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ସ୍ମାର୍ଟ ଦେଖାଇ ରାଜଧାନୀର ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‌ ନିର୍ମାଣ କରିଦେଲେ। ଟଏଲେଟ୍‌ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାଜଧାନୀର ୧୯ଟି ସ୍ଥାନରେ ୩୮ଟି ଇ-ଟଏଲେଟ୍‌ ବସାଇଲେ। ହେଲେ ଏଥିରୁ ଅଧିକାଂଶ କାମ କରୁନି। ସ୍ଥିତି ଏପରି ହୋଇଛି ଯେ, ଲୋକ ଶୌଚାଳୟ ଦେଖି ଦୂରରୁ ଦଉଡ଼ିକି ଆସି କବାଟ ଖୋଲିଲା ବେଳକୁ ତାହା ଖୋଲୁନି। ଯଦି ଖୋଲୁଛି ତାହା ବ୍ୟବହାର ଉପଯୋଗୀ ନାହିଁ। ତେଣୁ ସେହି ଇ-ଟଏଲେଟ୍‌ ଦୁଆର ମୁହଁରେ ହିଁ ପରିସ୍ରା କରି ଦେଉଛନ୍ତି।

୨୦୧୮ରେ ରାଜଧାନୀରେ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ ହେବାବେଳେ ଏହା ପୂର୍ବରୁ ରାତି ଅଧିଆ ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‌ ବସାଇ ଦିଆଗଲା। ଟଙ୍କାଟେ ଜାଗାରେ ୫ଟଙ୍କା ଖର୍ଚ୍ଚ କରି କାମ କଲେ। ସୁନ୍ଦର ଦେଖାଯିବ, ପାଣି କମ୍ ଖର୍ଚ୍ଚ ହେବ, ଦୁର୍ଗନ୍ଧ ହେବନି, ଭିତରେ କିଏ ‌ଥିଲେ ବାହାରେ ନାଲି ଲାଇଟ୍‌ ଜଳିବ ଏହିପରି ନାନାଦି ପ୍ରକାରର ବ୍ୟବସ୍ଥା କରି ଇ-ଟଏଲେଟ୍‌ ବସାଇଦେଲେ। ପୂରା ବିଦେଶୀ ଢାଞ୍ଚାରେ ଇ-ଟଏଲେଟ୍‌ ନିର୍ମାଣ କରିଦେଲେ। କିନ୍ତୁ ଏହା ଦେଶୀ ଟଏଲେଟ୍‌ ଭଳି ବି କାମରେ ଲାଗିଲାନି। ଲୋକ ସୁଲଭ ଶୌଚାଳୟ ହେଉ କି ଅନ୍ୟ ଶୌଚାଳୟରେ ଦୁର୍ଗନ୍ଧ ହେଉ ପଛେ ଝାଡ଼ା ପରିସ୍ରା କରିଦେଉଛନ୍ତି। କିନ୍ତୁ ଯାହାକୁ ଜୋର୍‌ରେ ଝାଡ଼ା, ପରିସ୍ରା ଲାଗୁଛି ସେ ଯଦି ଇ-ଟଏଲେଟ୍‌କୁ ଯାଉଛି ତେବେ ସେ ଦୁଆର ମୁହଁରେ ହିଁ ଝାଡ଼ା ପରିସ୍ରା କରି ଫେରୁଛି।

publive-image

ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ କିଛି ସୁଫଳ ମିଳୁନି। ବହୁ ଜନଗହଳି ସ୍ଥାନରେ ଏହି ଇ-ଟଏଲେଟ୍‌ ବସାଯାଇଥିଲେ ହେଁ ତାହା କାମ କରୁଥିବା କ୍ବଚିତ୍ ଲୋକ ଦେଖିଛନ୍ତି। ଯିଏ ଏଠାକୁ ପରିସ୍ରା କରିବାକୁ ଯାଉଛି ସେ ଏ ଟଏଲେଟ୍‌ କିଏ ବସାଇଛି କହି ଗାଳି କରୁଛନ୍ତି।

ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଛି ଯେ, ଏବେ ୩୮ଟି ଇ-ଟଏଲେଟ୍‌ରୁ ୨୬ଟି କାମ କରୁଛି। ଯେଉଁ ଟଏଲେଟ୍‌ରେ କିଛି ସମସ୍ୟା ରହିଛି ତାକୁ ସମାଧାନ କରାଯାଉଛି। ଲୋକ ଏନେଇ ସଚେତନ ନଥିବାରୁ ଏହାକୁ ବ୍ୟବହାର କରିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe