ନିଶା କବଳରେ ଶିକ୍ଷା ହବ୍‌: ପୋଚ ପଛରେ ପୁଲିସ, ପାଉନି ଧଳାଜହର ଚେର

ନିଶାସାମଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା: ୩ ବିଶେଷଜ୍ଞଙ୍କୁ ନେଇ ଚାଲିଛି ପରୀକ୍ଷା

ଚନ୍ଦ୍ରଶେଖରପୁର: ରାଜଧାନୀର ଶିକ୍ଷା ହବ୍ ଭାବରେ ପରିଚିତି ଲାଭ କରିଛି ଚନ୍ଦ୍ରଶେଖରପୁର। ବହୁ ନାମୀ ଇଂଜିନିୟରିଂ ଓ ଡାକ୍ତରୀ ଶିକ୍ଷାନୁଷ୍ଠାନ ଏହି ଅଞ୍ଚଳରେ ରହିଛି। କିନ୍ତୁ ଗତ କିଛି ବର୍ଷ ହେଲାଣି ଏହି ଅଞ୍ଚଳରେ ନିଶା କାରବାର ବଢ଼ିବାରେ ଲାଗିଛି। ଏଠାରେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ମୈତ୍ରୀବିହାର ଭଳି ତିନି ତିନିଟି ଥାନା ଥିବା ସତ୍ତ୍ବେ ନିଶା କାରବାର ଥମିବା ବଦଳରେ ବଢ଼ୁଥିବା ଦେଖିବାକୁ ମିଳିଛି। ଏଠାରେ ବ୍ରାଉନ୍‌ସୁଗାର କାରବାର ଉପରେ ରୋକ୍ ଲାଗିପାରୁନାହିଁ। ଅଥଚ ପୁଲିସ ବସ୍ତି ଅଞ୍ଚଳରେ ଚଢ଼ଉ କରି ପୋଚ ଜବତ ପଛରେ ପଡ଼ିଛି ବୋଲି ସମାଲୋଚନା ହୋଇଆସୁଛି। ମଝିରେ ମଝିରେ ପୁଲିସ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ବିକୁଥିବା କିଛି କୁଜି ବେପାରୀଙ୍କୁ ବାନ୍ଧୁଛି ସିନା ଏଠାକୁ ଚାଲାଣ କରୁଥିବା ବଡ଼ବଡ଼ ବେପାରୀଙ୍କ ଟେର୍‌ ପାଉନାହିଁ।

ଏଠାରେ ରହି ବହୁ ଧନୀ ପରିବାରର ଓଡ଼ିଆ ଓ ଅଣଓଡ଼ିଆ ଛାତ୍ର ବିଭିନ୍ନ ମେଡିକାଲ ଓ ଇଂଜିନିୟରିଂ କଲେଜରେ ପଢ଼ୁଛନ୍ତି। ଏଠାରେ ସହଜରେ ଉପଲବ୍ଧ ହେଉଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ନିଶା ସେବନ କରୁଛନ୍ତି। ସେହିଭଳି ଗଞ୍ଜେଇ ବେପାର ମଧ୍ୟ ଧଳାଜହର କାରବାର ସହ ତାଳ ଦେଇ ଚାଲିଛି। ଏହି ଅଞ୍ଚଳରେ ଦୋକାନ କରିଥିବା ବହୁ ବ୍ୟବସାୟୀଙ୍କ ମାଧ୍ୟମରେ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ନିଶାଡ଼ି ଛାତ୍ରମାନଙ୍କ ନିକଟରେ ପହଞ୍ଚି ପାରୁଛି। ଚାଲାଣକାରୀମାନେ ଛୋଟ ବ୍ୟବସାୟୀଙ୍କ ନିକଟରେ ନିଶା ପହଞ୍ଚାଇବା ପରେ ସେମାନେ ପୁଡ଼ିଆ ବା ସିଗାରେଟ୍‌ରେ ପୂରାଇ ବିକୁଛନ୍ତି। ବିଭିନ୍ନ ସମୟରେ ପୁଲିସ ଏହି ସବୁ ଛୋଟ ଦୋକାନ ଉପରେ ଚଢ଼ଉ କରି ନିଶା ସିଗାରେଟ୍‌ ଜବତ କରୁଛି ଏବଂ ଦୋକାନୀଙ୍କୁ କୋର୍ଟ ଚାଲାଣ କରୁଛି। କିନ୍ତୁ ସେମାନଙ୍କୁ ନିଶା ଯୋଗାଉଥିବା ବଡ଼ ବେପାରୀଙ୍କୁ ଖୋଜୁନାହିଁ। ଅବଶ୍ୟ କିଛି ବଡ଼ଧରଣର ଗଞ୍ଜେଇ ବେପାରୀ ଏହି ଅଞ୍ଚଳରୁ ବନ୍ଧା ହୋଇଛନ୍ତି। ଗତ ୭ ତାରିଖ ଦିନ କନ୍ଧମାଳରୁ କାର୍‌ରେ ଗଞ୍ଜେଇ ନେଇଆସିଥିବା ରଙ୍ଗମାଟିଆ ଓ ଚକେଇସିହାଣୀର ୨ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନୀୟ ଯୁବକଦ୍ବୟ ବହୁଦିନ ହେଲା ଏହି ଅଞ୍ଚଳରେ ଗଞ୍ଜେଇ କାରବାର ଚଳାଇଥିଲେ। କିନ୍ତୁ ଏଠାରୁ ପୁଲିସ କୌଣସି ବଡ଼ ବ୍ରାଉନ୍‌ସୁଗାର ଚାଲାଣକାରୀକୁ ଗିରଫ କରିବା ନଜିର ନାହିଁ। କିଟ୍ ଛକ, ଶିଖରଚଣ୍ଡୀ ଛକ, ଇନ୍‌ଫୋସିଟି ଛକ, ଟିସିଏସ୍ ଛକ, ଜିଏ ପ୍ଲଟ୍, ୨୦୦ ଫୁଟିଆ ରାସ୍ତା ଆଦି ଅଞ୍ଚଳରେ ପୁଳାପୁଳା ବ୍ରାଉନ୍‌ସୁଗାର ମିଳୁଥିଲେ ହେଁ ପୁଲିସ କେବଳ ଲୋକଦେଖାଣିଆ ଚଢ଼ଉ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe