ରାଜଧାନୀରେ ଅପରାଧ‌ ରୋକିବାକୁ ପୁଲିସ୍‌-ବିଏସ୍‌ସିଏଲ୍‌ର ଉଦ୍ୟମ: ନଜର ରଖିବ ସିସିଟିଭି

ଚିହ୍ନଟ ହେଲା ୮୧ ସମ୍ବେଦନଶୀଳ ଜାଗା

ଆଗକୁ ରଥଯାତ୍ରା: ଲାଗିଲାନି ସିସି କ୍ୟାମେରା

ଭୁବନେଶ୍ୱର : ଏଥର ଅମାନିଆ ଓ ଅପରାଧୀ ସାବାଡ୍‌ ହେବେ। ଗଳିକନ୍ଦିରେ ଲାଗିବ ସିସିଟିଭି। ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳିକନ୍ଦିରେ ଥିବା ୮୧ଟି ସମ୍ବେଦନଶୀଳ ଜାଗାକୁ ଚିହ୍ନଟ କରିଛି କମିସନରେଟ୍‌ ପୁଲିସ। ଏହି ୮୧ ସମ୍ବେଦନଶୀଳ ଜାଗାରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ସିସିଟିଭି କ୍ୟାମେରା ଲଗାଇବାକୁ ଯାଉଛି। ଏନେଇ ଟେଣ୍ଡର ହୋଇଛି। ଜୁନ୍‌ ପ୍ରଥମ ସପ୍ତାହରେ ଠିକା ସଂସ୍ଥା ଚୟନ ହେବା ପରେ କ୍ୟାମେରା ଲାଗିବ। ୩ମାସ ମଧ୍ୟରେ ଏହି କ୍ୟାମେରା ସବୁ ଲଗାଯିବ ବୋଲି ଜଣାପଡ଼ିଛି। ଏନେଇ ବିଏସ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଗତକାଲି ଡିସିପି ପ୍ରତୀକ ସିଂହଙ୍କ ସହ ଆଲୋଚନା କରିଛନ୍ତି।

ପୂର୍ବରୁ ସହରରେ ୬୫୦ ସିସିଟିଭି ରହିଥିଲା। ଏଗୁଡ଼ିକ ଟ୍ରାଫିକ୍‌ ଉଲ୍ଲଂଘନ, ଦ୍ରୁତଗତି, ରଙ୍ଗରୁଟ୍‌ ଚାଳନା ସମେତ ବିଭିନ୍ନ ଆପରାଧିକ ଗତିବିଧି ଉପରେ ନଜର ରଖୁଥିଲା। କିନ୍ତୁ ସିସିଟିଭି ନଥିବା ଗଳିକନ୍ଦିକୁ ଟାର୍ଗେଟ୍‌ କରି ଅପରାଧୀମାନେ ଉତ୍ପାତ କରିବାରୁ କମିସନରେଟ୍‌ ପୁଲିସ ବିଏସ୍‌ସିଏଲ୍‌ ସହ ଆଲୋଚନା କରିଥିଲା। ୮୧ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି କମିସନରେଟ୍‌ ପୁଲିସ ବିଏସ୍‌ସିଏଲ୍‌କୁ ତାଲିକା ପ୍ରଦାନ କରିଥିଲା। ଏବେ ସେସବୁ ସ୍ଥାନରେ ସିସିଟିଭି ଲାଗିବାକୁ ଯାଉଛି। ନୂଆ ଚିହ୍ନଟ ହୋଇଥିବା‌ ଜାଗାଗୁଡ଼ିକ ମଧ୍ୟରେ ବସ୍ତିକୁ ପ୍ରଧାନ୍ୟ ଦିଆଯାଇଛି। ଛିନ୍‌ତାଇ, ଚୋରି, ନିଶା କାରବାର ଭଳି ଅପରାଧ ବସ୍ତି ଅଞ୍ଚଳରେ ଘଟୁଥିବାରୁ ବସ୍ତିଛକରେ ସିସି କ୍ୟାମେରା ଲାଗିବାକୁ ଯୋଜନା ହୋଇଛି। ବସ୍ତିରୁ ବସ୍ତିକୁ କିଏ ଯାଉଛି, ଆସୁଛି? ବିଳମ୍ବିତ ରାତିରେ କାହାର ଗତିବିଧି କ’ଣ? ଏ ସବୁ ଉପରେ କଡ଼ା ନଜର ରଖିହେବ। ତା’ ସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଉପରେ ମଧ୍ୟ ଏହି ସବୁ କ୍ୟାମେରା ନଜର ରଖିବ ବୋଲି ଜଣାପଡ଼ିଛି।

publive-image

ଭୁବନେଶ୍ବର କ୍ଲବ୍‌ରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ଉଭୟ ପାର୍ଶ୍ବରେ ସରକାରୀ କ୍ବାର୍ଟର୍ସ ମଝିରେ ବସ୍ତି ରହିଛି। ବିଭିନ୍ନ ସମୟରେ ଅପରାଧ ଘଟୁଥିଲେ ମଧ୍ୟ ସିସିଟିଭି କ୍ୟା‌ମେରା ନଥିବାରୁ ଅପରାଧୀଙ୍କୁ ଚିହ୍ନଟ କରିବା ସହଜ ହେଉନାହିଁ। ଏଣୁ ଏହି ରାସ୍ତାରେ ଦୁଇଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇ କ୍ୟା‌ମେରା ଲଗାଯିବାକୁ ଯୋଜନା ରହିଛି। ଅଶୋକ ନଗର ପଛ ଫାଳିକିଆ ବସ୍ତି, ଝରଣାସାହିରୁ କେଦାରପଲ୍ଲୀ ବସ୍ତି ରାସ୍ତା, ମହିଷାଖାଲ, କେନାଲ ରୋଡ୍‌ର ଚିଲିପୋଖରୀ ଛକ, ଶିଖରଚଣ୍ଡୀ ନଗର ପ୍ରଭୃତି ଅଞ୍ଚଳକୁ ଗୁରୁତ୍ବ ଦିଆଯାଇଛି। ସେହିଭଳି ଆଇଜି ପାର୍କ ପଛ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସାମ୍ନା ବା ବିଏସ୍‌ଏନ୍‌ଏଲ୍‌ ଅଫିସରୁ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ନିୟମିତ ଅପରାଧ ଘଟିବାରୁ ପୁଲିସ ଏହି ରାସ୍ତାକୁ ଗୁରୁତ୍ବ ଦେଇଛି। ଏହି ରାସ୍ତାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଓଏଏସ୍‌ ଓ ପୁଲିସ ଅଫିସରଙ୍କ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସମୟରେ ମୋବାଇଲ୍‌ ଛିନ୍‌ତାଇ ହୋଇଥିଲା। କ୍ୟା‌ମେରା ନ ଥିବାରୁ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସର ମୁଣ୍ଡବିନ୍ଧା ହୋଇଥିଲା। ସମ୍ବେଦନଶୀଳ ସ୍ଥାନ ତାଲିକାରେ ଏଥର ପୁଲିସ ଏହି ରାସ୍ତାକୁ ରଖିଛି। ଏଠାରେ ଏକାଧିକ କ୍ୟାମେରା ଲାଗିବା ଯୋଜନା ହୋଇଛି।

ସେହିଭଳି ଏକାମ୍ର କଲେଜ୍‌ ସାମ୍ନାରେ ହତ୍ୟାକାଣ୍ଡ ହେବା ପରେ ପୁଲିସ ଏହି ଜାଗାକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରିଛି। ଲିଙ୍ଗରାଜ ଷ୍ଟେସନ୍‌ଠାରୁ ଆରମ୍ଭ କରି ଏକାମ୍ର କଲେଜ ଛକ, ଯଦୁପୁର ଓ ବାହାଦଲପୁର ଆଡ଼କୁ ଯାଉଥିବା ରାସ୍ତା ଏବଂ ହାଇଟେକ୍‌ ଛକକୁ କ୍ୟାମେରା ଲେନ୍ସରେ ରଖିବାକୁ ପୁଲିସ ଯୋଜନା କରିଛି। ସତ୍‌ସଙ୍ଗ ବିହାର ଛକରେ ଛିନ୍‌ତାଇ ଓ ଦୁର୍ଘଟଣା ହେଉଥିବାରୁ ଏଠାରେ କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି। ସେହିଭଳି କେଶୁରା, ସାଇମନ୍ଦିର ଛକ, ମଳିପଡ଼ା କାଟେଣୀ ରାସ୍ତା ପ୍ରଭୃତି ସହର ଉପକଣ୍ଠରେ କ୍ୟାମେରା ଲାଗିବା ପାଇଁ ସ୍ଥିର କରାଯାଇଛି।

publive-image

କିଛି ଜାଗାରେ ପ୍ରଥମ ଥର ପାଇଁ କ୍ୟାମେରା ଲାଗିବା ଯୋଜନା ରହିଛି। ଏଥିରେ ବାଲିଅନ୍ତା ଥାନାର ସାଇଫନ୍‌ ଛକ, ତ୍ରିନାଥ ବଜାର ଓ ଲକ୍ଷେଶ୍ବର ମନ୍ଦିର ସାମ୍ନା ଇତ୍ୟାଦି ଅଞ୍ଚଳ ରହିଛି। ସେହିଭଳି ଯାଁଳା ଫାଣ୍ଡି, ତମାଣ୍ଡୋ ଓ ଭରତପୁର ଥାନାର ୩ଟି ଲେଖାଏଁ ଜାଗା, ଚନ୍ଦକାର ୪ଟି, ବଡ଼ଗଡ଼ର ୬ଟି ଜାଗାରେ କ୍ୟାମେରା ଲାଗିବାକୁ ଯାଉଛି। ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ପଥ‌ରେ ହାଇପାୱାର କ୍ୟାମରୋ ଲାଗିବା ଯୋଜନା ହୋଇଛି। ଏଥିରେ ଉତ୍ତରା ଛକ ଓ ହଂସପାଳ ଛକ ରହିଛି। ଏହି ଛକ ଦେଇ ପ୍ରବେଶ ଓ ପ୍ରସ୍ଥାନ କଲା ବେଳେ ପ୍ରତ୍ୟେକ ଗାଡ଼ି ଓ ଚାଳକ କ୍ୟା‌ମେରାରେ କଏଦ୍‌ ହେ‌ବେ। ଫେସ୍‌ ଡିଟେକ୍ସନ ସିଷ୍ଟମ୍‌ ଜରିଆରେ ଅପରାଧୀଙ୍କୁ ସହଜରେ ଚିହ୍ନଟ କରିହେବ। ତା’ ଛଡ଼ା ସହରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଗାଡ଼ି ଉପରେ ନଜର ରଖିହେବ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସହରରେ ୬୫୦ କ୍ୟାମେରା ଲାଗିଛି। ଉଭୟ ବିଏସ୍‌ସିଏଲ୍‌ ଓ କମିସନରେଟ୍‌ ପୁଲିସ ପାଖରେ ତାହାର ନିୟନ୍ତ୍ରଣ ରହିଛି। ଖୁବ୍‌ଶୀଘ୍ର ଆଇସିଓଏମ୍‌ସି କାର୍ଯ୍ୟାଳୟ ନୂଆ ବିଏମ୍‌ସି କୋଠାରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଠାରେ ଏହି ସିସିଟିଭି ଜରିଆରେ ସମଗ୍ର ସହର ଉପରେ ନଜର ରହିବ। ପୂର୍ବରୁ ଲାଗିଥିବା ୬୫୦ ସିସିଟିଭି ଜରିଆରେ ପୁଲିସ ତିନି ମାସରେ ପ୍ରାୟ ୧୦୦ ଅପରାଧୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେଉଛି। ଏହି କ୍ୟାମେରା ଜରିଆରେ ୧୨ଟି ଜାଗାରେ ଟ୍ରାଫିକ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ୍‌(ଟିଭିଡିଏସ୍‌) ଓ ସ୍ପିଡ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ୍‌(ଏସ୍‌ଭିଡିଏସ୍‌) ଜରିଆରେ ଚାଲାଣ କଟା ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe