ପରସ୍ପରକୁ ଜଣାଇଲେ ଇଦ୍‌ ମୁବାରକ୍

Advertisment
ପରସ୍ପରକୁ ଜଣାଇଲେ ଇଦ୍‌ ମୁବାରକ୍

ଭୂବନେଶ୍ବର : ଆନନ୍ଦ ଉଲ୍ଲାସର ସହିତ ଶେଷ ହୋଇଛି ମୁସଲିମ୍ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଫିତର। ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଏକ ସ୍ୱତନ୍ତ୍ର ଅବସର। ଏଥିପାଇଁ ଆଜି ଚାରିଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ରାଜଧାନୀର ବିଭିନ୍ନ ମସଜିଦ୍‌ରେ ସମୂହ ପ୍ରାର୍ଥନା ସହିତ ମୁସଲିମ୍ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଥିଲେ।

ଗତକାଲି ଇଦ୍‌କା ଚାନ୍ଦ ଦୃଶ୍ୟମାନ ହେବା ପରେ ଗତ ୧ମାସ ଧରି ରୋଜା ରଖିଥିବା ରୋଜାଧାରୀମାନେ ବ୍ରତ ଭାଙ୍ଗିଥିଲେ। ଆଜି ସକାଳେ ସମୂହ ନମାଜ ପାଠ କରାଯାଇଥିଲା। ରାଜଧାନୀର ବିଭିନ୍ନ ମସଜିଦ୍‌ରେ ମୁସଲିମ୍ ଭାଇଭଉଣୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନମାଜ ପାଠ ପାଇଁ ଉପସ୍ଥିତ ହୋଇଥିଲେ। ନମାଜ ପାଠ ପୂର୍ବରୁ ଗରିବ ଓ ଅସହାୟ ଲୋକମାନଙ୍କୁ ଦାନ ଦେଇଥିଲେ। ନୂଆ ବସ୍ତ୍ର ପରିଧାନ କରି ମୁଣ୍ଡରେ ଟୋପି, ଆଖିରେ ସୁରମା ଲଗାଇ ନମାଜ ପାଠ କରିବା ପରେ ଇଦ୍ ମୁବାରକ କହି ଅଭିନନ୍ଦନ ଜଣାଇଥିଲେ। ପରେ ଆଲ୍ଲାଙ୍କୁ ସମର୍ପଣ କରି ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ଆଲ୍ଲା ହୋ ଆକବର... ପବିତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା ମସଜିଦ୍‌ ପରିସର। ଧନୀ ଗରିବ ଓ ଉଚ୍ଚନୀଚ ଊର୍ଧ୍ବରେ ରହି କେହି କାହାକୁ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ। ରାଜଧାନୀର ୟୁନିଟ-୪, ସତ୍ୟନଗର, ସୈନିକ ସ୍କୁଲ, ନୀଳାଦ୍ରି ବିହାର ଓ ଅନ୍ୟ ମସଜିଦ୍‌ଗୁଡ଼ିକରେ ନମାଜ ପାଠ ପାଇଁ ଭିଡ଼ ଜମିଥିଲା। ଏଥିପାଇଁ ମସଜିଦ୍‌ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

publive-image

ସେହିପରି ଅନେକ ସ୍ଥାନରେ ଇଦ୍‌ଗାହରେ ମଧ୍ୟ ନମାଜ ପାଠ କରାଯାଇଥିଲା। ଆଜି ସରକାରୀ ଛୁଟି ଥିବାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ମସଜିଦ୍‌କୁ ଆସିଥିବା କୁନି କୁନି ଶ୍ରଦ୍ଧାଳୁ ଶୋଭାବର୍ଦ୍ଧନ କରିଥିଲେ। ନମାଜ ପଢିବା ସହ ଅନ୍ୟ ଶିଶୁ ଶ୍ରଦ୍ଧାଳୁଙ୍କୁ ଇଦ୍ ମୁବାରକ୍ ଜଣାଇଥିଲେ। ପରେ ଗୁରୁଜନଙ୍କୁ ସଲାମ କରିଥିଲେ। ଗୁରୁଜନମାନେ ଆଶୀର୍ବାଦ ପୂର୍ବକ ଉପହାର ପ୍ରଦାନ କରିଥିଲେ। ମହିଳାମାନେ ଘରେ ନମାଜ ପାଠ କରିଥିଲେ। ଘରେ ବିରିୟାନୀ, ଲଚ୍ଛା, ସିମେଇ ଭଳି ଅନେକ ସୁସ୍ୱାଦୁ ଖାଦ୍ୟ ରନ୍ଧା ହୋଇଥିଲା।

ୟୁନିଟ୍-୪ ଜାମା ମସଜିଦ୍‌ରେ ସକାଳ ୯ଟାରେ ନମାଜ ପାଠ ହୋଇଥିବା ବେଳେ ସତ୍ୟନଗରସ୍ଥିତ ମସଜିଦ୍‌-ଇ-ଫେମିଦାରେ ସାଢ଼େ ୯ଟା ସମୟରେ ନମାଜ ପାଠ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସତ୍ୟନଗରସ୍ଥିତ ମସଜିଦ୍‌କୁ ଯାଇ ସମସ୍ତଙ୍କୁ ଇଦ୍‌ର ଶୁଭକାମନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe