ଦିନକରେ ଜନ୍ମ ନେଲେ ୮ ହଳଦିଆ ଅନାକୋଣ୍ଡା

Advertisment

ନନ୍ଦନକାନନ ଇତିହାସରେ ନୂଆ ଅଧ୍ୟାୟ

ନନ୍ଦନକାନନ ଇତିହାସରେ ନୂଆ ଅଧ୍ୟାୟ

ଦିନକରେ ଜନ୍ମ ନେଲେ ୮ ହଳଦିଆ ଅନାକୋଣ୍ଡା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଆଜି ଏକାଥରକେ ୯ଟି ଆନାକୋଣ୍ଡା ଶାବକ ଜନ୍ମ ନେଇଛନ୍ତି। ତେବେ ସେଥିମଧ୍ୟରୁ ଗୋଟିଏର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବୁଧବାର ଗୋଟିଏ ଶାବକ ଜନ୍ମ ନେଇଥିଲା। ଏହି ନୂଆ ଅତିଥିଙ୍କୁ ମିଶାଇ ଏବେ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ହଳଦିଆ ଆନାକୋଣ୍ଡାଙ୍କ ସଫଳ ପ୍ରଜନନ କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିଛି। ଆଗାମୀ ଦିନରେ ଏହି ହଳଦିଆ ଆନା‌କୋଣ୍ଡାଙ୍କ ବଦଳରେ ଦେଶର ଅନ୍ୟାନ୍ୟ ଚିଡ଼ିଆଖାନାରୁ ବିରଳ ପ୍ରଜାତିର ଜୀବଜନ୍ତୁ ଅଣାଯାଇପାରିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।

ସୂଚନାନୁଯାୟୀ, ବୁଧବାର ଗୋଟିଏ ଶାବକକୁ ଜନ୍ମ ଦେବା ପରେ ମାଈ ହଳଦିଆ ଆନାକୋଣ୍ଡାଟି ଆଉ ପ୍ରସବ କରିନଥିଲା। ତା’ ପେଟ ଫୁଲି ରହିଥିବାରୁ କର୍ତ୍ତୃପକ୍ଷ ଓ ଚିକିତ୍ସକଙ୍କ ଚିନ୍ତା ବଢ଼ି ଯାଇଥିଲା। ଉକ୍ତ ଆନାକୋଣ୍ଡାକୁ ଖୁଆଡ଼ ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଥିଲା। କିନ୍ତୁ ପାଖାପାଖି ୩୬ ଘଣ୍ଟା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବାରୁ ଓୟୁଏଟି ପ୍ରାଣୀ ବିଭାଗର ସହାୟତା ଲୋଡ଼ା ଯାଇଥିଲା। ଶୁକ୍ରବାର ଓୟୁଏଟିର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର୍‌ ଓ ପ୍ରସୂତି ବିଭାଗର ପ୍ରଫେସର୍‌ ବିଜୟ କୁମାର ସାହୁ ପ୍ରାଣୀ ଉଦ୍ୟାନରେ ପହଞ୍ଚି ଆନାକୋଣ୍ଡାଟିର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ।

ଅଲଟ୍ରାସାଇଣ୍ଡ କରାଯିବାରୁ ତା’ ଗର୍ଭରେ ଆଉ ୯ଟି ଶାବକ ଥିବା ଜଣାପଡ଼ିଥିଲା। ତେଣୁ ସରଳ ପ୍ରସବ କରାଇବା ପାଇଁ ଅକ୍ସିଟକସିନ୍ ଦେଇ ଚିକିତ୍ସା କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ପରେ ଗୋଟି ଗୋଟି ହୋଇ ମାଈ ଆନାକୋଣ୍ଡା ଗର୍ଭରେ ଥିବା ୮ଟି ଶାବକ ପଦାକୁ ବାହାରି ଆସିଥିଲେ। ଶେଷକୁ ରହିଥିବା ଶାବକଟି ମରିଯାଇଥିବାରୁ ପଦାକୁ ବାହାରି ପାରିନଥିଲା। ଦୀର୍ଘ ସମୟ ପରେ ଶାବଟିକୁ ପଦାକୁ ବାହର କରି ଅଣାଯାଇଥିଲା। ଶାବକଗୁଡ଼ିକୁ ପୃଥକ୍‌ ପୃଥକ୍‌ ପେଟି ଭିତରେ ରଖାଯାଇଛି। ମା’ ହଳଦିଆ ଆନାକୋଣ୍ଡାଟିକୁ ମଧ୍ୟ ପୃଥକ କରି ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡା. ଶରତ କୁମାର ମିଶ୍ର, ଡା. ଶରତ କୁମାର ସାହୁ ଓ ଡା. ସନ୍ତୋଷ ଗୁପ୍ତାଙ୍କ ସମେତ କର୍ମଚାରୀମାନେ ଆନାକୋଣ୍ଡା ପ୍ରସବରେ ଓୟୁଏଟି ବିଶେଷଜ୍ଞଙ୍କୁ ସହାୟତା କରିଥିଲେ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ମାଡ୍ରାସର କ୍ରୋକୋଡାଇଲ୍‌ ବ୍ୟାଙ୍କରୁ ପ୍ରଥମଥର ପାଇଁ ୮ଟି ହଳଦିଆ ଆନାକୋଣ୍ଡାଙ୍କୁ ନନ୍ଦନକାନନ ଅଣାଯାଇଥିଲା। ସେଥିମଧ୍ୟରୁ ସଂକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe