୧୭ ମାସ ପୂରିଲା, ପାନ ଚାଷୀ ପାଇଲେନି ଫନି କ୍ଷତିପୂରଣ

Advertisment
୧୭ ମାସ ପୂରିଲା, ପାନ ଚାଷୀ ପାଇଲେନି ଫନି କ୍ଷତିପୂରଣ

ବାଲିପାଟଣା: ସାମୁଦ୍ରିକ ବାତ୍ୟା ଫନିକୁ ପୂରିଲା ୧୭ ମାସ। ମାତ୍ର ଜଣେ ବି ପାନ ଚାଷୀଙ୍କୁ ମିଳିଲା ନାହିଁ ଫନି ସହାୟତା। ଆଜି ପର୍ଯ୍ୟନ୍ତ ତଦନ୍ତ ପରେ ତଦନ୍ତ ଚାଲିଛି। କ୍ଷତିଗ୍ରସ୍ତଙ୍କ ସଂଖ୍ୟା କମାଇବା ପାଇଁ କସରତ ଚାଲିଛି। ୩ ହଜାର କ୍ଷତିଗ୍ରସ୍ତଙ୍କୁ ବିଭିନ୍ନ ବାହାନାରେ କମାଇ କମାଇ ୫ ଶହକୁ ଅଣାଯାଇ ସାରିଲାଣି। ତଥାପି ଜଣେ ବି ପାନ ଚାଷୀ ଉପକୃତ ହୋଇପାରିଲେ ନାହିଁ। ଫଳରେ ହତାଶ ହୋଇ ସହାୟତା ଆଶା ଛାଡ଼ି ଦେଲେଣି ବହୁ ଚାଷୀ। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲେ ହେଁ ବିଚରା କ୍ଷତିଗ୍ରସ୍ତ ପାନ ଚାଷୀଙ୍କ ସମସ୍ୟା ସେମିତି ଅସମାହିତ ହୋଇ ରହିଛି।

ଗତ ବର୍ଷ ମେ ମାସରେ ହୋଇଥିବା ଏହି ଭୟଙ୍କର ବାତ୍ୟାରେ ବାଲିପାଟଣା ବ୍ଲକର ୧୭ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବିଶେଷକରି ପାନ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ଶହ ଶହ ଏକର ପାନ ବରଜ ମା‌ଟି‌ରେ ମିଶି ଯାଇଥିଲା। ବାଲିଅନ୍ତା ଓ ବାଲିପାଟଣା ବ୍ଲକର ହଜାର ହଜାର ପାନ ଚାଷୀଙ୍କ ଭାତ ହାଣ୍ଡି ଭାଙ୍ଗି ଛାରଖାର ହୋଇ ଯାଇଥିଲା। କେବଳ ବାଲିପାଟଣା ବ୍ଲକରେ ୨୪ ଶହରୁ ଅଧିକ ପାନ ବରଜ ପୂରା ଧ୍ବଂସ ପାଇ ଯାଇଥିଲା। ଏ ନେଇ ବ୍ଲକ ଉଦ୍ୟାନ ବିଭାଗ ଓ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ମିଳିତ ତଦନ୍ତ କରାଯାଇଥିଲା ଓ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଚାଷୀ ପିଛା ୧୫ ହଜାର ଟଙ୍କାର କ୍ଷତିପୂରଣ ମିଳିବ ବୋଲି କୁହାଯାଇଥିଲା। ତେଣୁ ଘର ପୋଡ଼ିରୁ କୁଟାଖିଅ ପାଇବା ନ୍ୟାୟରେ ବହୁ ଗରିବ ଚାଷୀ ଏହି ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ବସିଲେ। କିଛି ଚାଷୀ ଏହି ସହାୟତା ଲୋଭରେ ଧାର କରଜ ଓ ଋଣ କରି ପାନ ବରଜ ସଜାଡ଼ିବାରେ ଲାଗିଲେ। କିଛି ଚାଷୀ ପୂର୍ବରୁ କରଜରେ ବୁଡ଼ି ରହିଥିବାରୁ ଆଉ ବରଜ ଉଠାଇବାକୁ ସକ୍ଷମ ହେଲେ ନାହିଁ। ବରଂ ସରକାରୀ ସହାୟତା ପାଇବା ପରେ ବରଜକୁ ଫେରିବେ ବୋଲି ଚାହିଁ ବସିଲେ। କିନ୍ତୁ ଫଳ ଶୂନ।

ଏ ପର୍ଯ୍ୟନ୍ତ କୌଣସି ଜଣେ ପାନ ଚାଷୀଙ୍କୁ ବି ସହାୟତା ମିଳିଲା ନାହିଁ। ବାଲିପାଟଣା ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ କହିବା କଥା ଉଭୟ ବାଲିପାଟଣା ଓ ବାଲିଅନ୍ତା ବ୍ଲକରୁ ୩ ହଜାର କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ପରେ ପୁଣି ଥରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଆସିଲା। ତେଣୁ ଦ୍ବିତୀୟ ଥର ସର୍ଭେରେ ୫ ଶହ ଉପଯୁକ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇଛି। ‌ତେବେ କ୍ଷତିପୂରଣ ମିଳିବା ବିଳମ୍ବ ହେଉଥିବା କାରଣ ବାବଦରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ତେବେ ଦ୍ବିତୀୟ ଥର ସର୍ଭେରେ କ୍ଷତିଗ୍ରସ୍ତ ପାନ ଚାଷୀଙ୍କ ସଂଖ୍ୟା କମାଇ ଦିଆଯାଇଥିବାରୁ ଏହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ବିଭାଗୀୟ ପଦସ୍ଥ ଅଧିକାରୀମାନେ ଜାଣିଶୁଣି ସମୟ ଗଡ଼ାଉଥିବା ଅଭିଯୋଗ ହେଉଛି। ତେଣୁ ସ୍ବତନ୍ତ୍ର ରିଲିଫ୍ କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe