ସାହିତ୍ୟରେ ମନୋଜଙ୍କ ସ୍ଥାନ ଅନନ୍ୟ

Advertisment

ଏକାମ୍ର ପୁସ୍ତକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା

ଏକାମ୍ର ପୁସ୍ତକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା

ସାହିତ୍ୟରେ ମନୋଜଙ୍କ ସ୍ଥାନ ଅନନ୍ୟ

ଚନ୍ଦ୍ରଶେଖରପୁର: ସ୍ଥାନ କାଶ୍ମୀର। ମୁସଲମାନ୍‌ ବହୁଳ ଶ୍ରୋତା ଥିବା ଏକ ସଭାରେ ମୁଖ୍ୟ ବକ୍ତା ଥିଲେ ସେ। ଶ୍ରୋତାଙ୍କ ମଧ୍ୟରୁ ଅଧିକାଂଶ ଥିଲେ ମହିଳା। ବିଷୟ ଥିଲା ବେଦ ଉପନିଷଦ ସମ୍ପର୍କରେ ଚର୍ଚ୍ଚା ଆଲୋଚନା। ଅବଧି ଥିଲା ମାତ୍ର ୪୫ ମିନିଟ୍‌। ମାତ୍ର ଦେଢ଼ ଘଣ୍ଟା କହିବା ପରେ ମଧ୍ୟ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ଭାବରେ ଶୁଣି ଚାଲୁଥାନ୍ତି। ଶେଷରେ ଅଭିଭାଷଣକୁ ବିରାମ ଦେଇଥିଲେ ବକ୍ତା ଜଣଙ୍କ। କିନ୍ତୁ ଶ୍ରୋତାମାନେ ଛାଡ଼ିବାକୁ ନାରାଜ। ବେଦ ଉପନିଷଦ ସମ୍ପର୍କରେ ଆହୁରି ଅଧିକ ଶୁଣିବାକୁ ଜିଦ୍‌ କରିଥିଲେ। ଅଗତ୍ୟା ସେହି ଦିନ ସନ୍ଧ୍ୟାରେ ଆଉ ତିନି ଘଣ୍ଟା ବେଦର ଗୂଢ଼ ତତ୍ତ୍ୱ ସମ୍ବନ୍ଧରେ ମୁସଲମାନ୍‌ ଭାଇ ଭଉଣୀମାନଙ୍କୁ ବୁଝାଇଥିଲେ ସେ। ସେ ବକ୍ତା ଆଉ କେହି ନୁହନ୍ତି, ସେ ହେଉଛନ୍ତି ବିଶିଷ୍ଟ ଅଧ୍ୟାତ୍ମବାଦୀ ସାରସ୍ୱତ ସାଧକ ତଥା ଯଶସ୍ୱୀ ଲେଖକ ମନୋଜ ଦାସ। ସପ୍ତମ ଏକାମ୍ର ପୁସ୍ତକ ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ଆୟୋଜିତ ମନୋଜ ପାଠକ ସନ୍ଧ୍ୟାରେ ଏ ସମ୍ପର୍କରେ ଆଲୋକପାତ କରିଥିଲେ ମନୋଜ ଦାସଙ୍କୁ ଶୈଶବରୁ ଜାଣିଥିବା ତାଙ୍କର ସମ୍ପର୍କୀୟ ତଥା ନାଲକୋର ପୂର୍ବତନ ସିଏମ୍‌ଡି ଚିତ୍ତରଞ୍ଜନ ପ୍ରଧାନ।

ମନୋଜ ଦାସଙ୍କ ସମୃଦ୍ଧ ରଚନାରେ ଫୁଟି ଉଠେ ସାଧାରଣ ମଣିଷର ନିୟତି। ସାଧାରଣ ମଣିଷର ବେଦନା ଦେଖି ତାଙ୍କ ହୃଦୟ ବିଗଳିତ ହେଉଥିଲା। ତାଙ୍କ ଲେଖାରେ ବାରି ହୋଇପଡ଼େ ମାନବବାଦର ନିଦର୍ଶନ। ଅତିମାନବୀୟ ଚେତନାକୁ ନେଇ ସାହିତ୍ୟ ରଚନାରେ ତାଙ୍କ ସହିତ ଆଉ କେହି ତୁଳନୀୟ ହେବେ ନାହିଁ। ଶ୍ରୀମା’ ଓ ମହାଯୋଗୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ହୋଇ ପଣ୍ଡିଚେରୀରେ ତାଙ୍କର ଶରଣାଶ୍ରିତ ହୋଇଥିବା ଏହି ମହାନ୍‌ ଲେଖକଙ୍କ ଅନୁପସ୍ଥିତିରେ ଏକାମ୍ର ପୁସ୍ତକ ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ଆୟୋଜିତ ମନୋଜ ପାଠକ ସନ୍ଧ୍ୟାରେ ଏପରି ମତ ଦେଇଥିଲେ ତାଙ୍କର ମୁଗ୍ଧ ପ୍ରଶଂସକ ବିଶିଷ୍ଟ ବ୍ୟକ୍ତିବିଶେଷ। ତାଙ୍କର କାଳଜୟୀ ରଚନା ଉପରେ ହୋଇଥିଲା ବିଶେଷ ଆଲୋଚନା। ପୁସ୍ତକ ମହୋତ୍ସବ କମିଟିର ସଭାପତି ପୀତବାସ ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅନନ୍ୟ ସନ୍ଧ୍ୟାରେ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମମତା ଦାଶ, ଅରୁଣ କୁମାର ସାହୁ, ଡ. ଅଭୟ କୁମାର ନାୟକ, ଭାସ୍କର ଜେନା ପ୍ରମୁଖ ଯୋଗଦେଇ ମନୋଜ ଦାସଙ୍କ ସମୃଦ୍ଧ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe