ଏକାମ୍ର ହାଟରେ ବିଦ୍ୟୁତ୍‌, ପାଣି ସଂଯୋଗ କାଟିଦେଲେ; ଅନ୍ଧାରରେ ହାଟ, ଶିଳ୍ପୀ କଲବଲ

Advertisment
ଏକାମ୍ର ହାଟରେ ବିଦ୍ୟୁତ୍‌, ପାଣି ସଂଯୋଗ କାଟିଦେଲେ; ଅନ୍ଧାରରେ ହାଟ, ଶିଳ୍ପୀ କଲବଲ

ଭୁବନେଶ୍ବର: କରୋନା ଯୋଗୁଁ କଳାକୁ ପେସା କରି ଚଳୁଥିବା ଶିଳ୍ପୀକୁଳ ଭାଙ୍ଗି ପଡ଼ିଛନ୍ତି। ବ୍ୟବସାୟ ପାଇଁ ବାଟ ବନ୍ଦ ‌ହୋଇଯାଇଛି। ତେବେ ଇତିମଧ୍ୟରେ ସରକାର କଟକଣା କୋହଳ କରିବାରୁ ଏକାମ୍ର ହାଟକୁ ସାହାରା କରି ପଡ଼ି ରହିଥିବା ଶିଳ୍ପୀକୁଳ ଆଜି ଆସି ବ୍ୟବସାୟ କେନ୍ଦ୍ର ଖୋଲିଥିଲେ। ମାତ୍ର ଦେଖିବା ବେଳକୁ ବିଦ୍ୟୁତ ଓ ପାଣି ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଇଡ୍‌କୋ ହାତରୁ ଏହି ହାଟର ଭାଗ୍ୟ ତଥା ପରିଚାଳନା ଭାର ହସ୍ତଶିଳ୍ପ ବିଭାଗକୁ ହସ୍ତାନ୍ତର ହେବା ପରେ ଏହାର ନବୀକରଣ ନେଇ ପ୍ରୟାସ ଚାଲିଛି। ମାତ୍ର ହାଟରେ ଥିବା ଶିଳ୍ପୀମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରିବାକୁ ବି ବିଭାଗ ଉଚିତ୍‌ ମଣିଲା ନାହିଁ। ଫଳରେ ଏହାକୁ ନେଇ ଆଜି ଏକାମ୍ର ହାଟ ଶିଳ୍ପୀ ସଂଘ ପ୍ରତିବାଦ କରିଛି। ବିଭାଗର ଏହି ନବୀକରଣ କାମକୁ ସ୍ବାଗତ କରୁଥିଲେ ମଧ୍ୟ ହଠାତ୍‌ ଏହି ପଦକ୍ଷେପ ପରେ ଶିଳ୍ପୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହାଟ ପରିସରରେ ୫୨ଟି ବ୍ୟବସାୟ କେନ୍ଦ୍ର ରହିଥିବା ବେଳେ ସ୍ଥାନୀୟ ପାରମ୍ପରିକ ଶିଳ୍ପୀଙ୍କ ବ୍ୟତୀତ ବାହାର ରାଜ୍ୟର କିଛି ଶିଳ୍ପୀ ମଧ୍ୟ ଏହା ପରିସରରେ ନିଜର ପସରା ଖୋଲିଛନ୍ତି। ଏକାମ୍ର ହାଟ ପରିସରରେ ସମଗ୍ର ଦେଶର ପାରମ୍ପରିକ କଳା ସାମଗ୍ରୀ ଉପଲବ୍ଧ ହେବା ନେଇ ଅନ୍ୟ ରାଜ୍ୟ ଶିଳ୍ପୀମାନେ ମଧ୍ୟ ଏଠାରେ ‌ନିଜ ସାମଗ୍ରୀର ବିକ୍ରିବଟା କରୁଛନ୍ତି। ଏଥିସହ ୧୦ଟି ହୋଟେଲ୍‌ ପାରମ୍ପରିକ ଖାଦ୍ୟ ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରିସରରେ ବସବାସ ବି କରୁଛନ୍ତି। ତେଣୁ ପାଣି ଓ ବିଦ୍ୟୁତ ବ୍ୟବସ୍ଥା ବନ୍ଦ କରିଦେବା ପରେ ସେମାନଙ୍କୁ କଲବଲ ହେବାକୁ ପଡ଼ିଛି। ଏକାମ୍ର ହାଟ ଶିଳ୍ପୀ ସଂଘର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକଙ୍କ କହିବା ମୁତାବକ, ଏକାମ୍ର ହାଟର ନବୀକରଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ହାଟର ନବୀକରଣ କାମ ପର୍ଯ୍ୟାୟ କ୍ରମେ କରାଯିବାରେ ସମସ୍ୟା କେଉଁଠି? ଆବଶ୍ୟକ ମୁତାବକ ଗୋଟେ ବ୍ଲକ୍‌ର କାମ ସମାପ୍ତ ହେଲେ ଅନ୍ୟ ବ୍ଲକ୍‌ର କାମ କରାଯାଇପାରିଲେ ବିଦ୍ୟୁତ ଓ ପାଣି ଯୋଗାଣରେ ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଭାଗ କାମ କରିବାକୁ ସେ ନିବେଦନ କରିଛନ୍ତି।

ସଂଘର ସଭାପତି ଦିଲ୍ଲୀପ ହାଲି କହିଛନ୍ତି, କରୋନା ସଙ୍କଟ ଯୋଗୁଁ ହାଟ ବନ୍ଦ ରହିଥିବାରୁ ଭଡ଼ା ଛାଡ଼ କରିବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା। ସରକାର ଲିଖିତ ଭାବେ ନହେଲେ ମଧ୍ୟ ମୌଖିକ ଭାବେ ଏଥିରେ ସମ୍ମତି ଜଣାଇଥିଲେ। ମାତ୍ର ବିନା ସୂଚନାରେ ଲକ୍‌ଡାଉନ୍‌ ଚାଲିଥିବା ସମୟରେ ପରିଚାଳନା କର୍ତୃପକ୍ଷ ହଠାତ୍‌ ପାନୀୟ ଜଳ ଓ ବିଦ୍ୟୁତ ସେବା କାଟିଦେଲେ। ଏଠାରେ ଅନେକ ବୃଦ୍ଧ ଶିଳ୍ପୀ, ବୁଣାକାର ଓ ବାହାର ରାଜ୍ୟର ଶିଳ୍ପୀମାନେ ରହି ଆସୁଛନ୍ତି। ମାତ୍ର ଶୌଚାଳୟରେ ପାଣି ନଥିବାରୁ ଶିଳ୍ପୀ ଓ ପର୍ଯ୍ୟଟକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସମୟରେ ଶିଳ୍ପୀମାନଙ୍କ ପେଟକୁ ନାତ ମାରିବା କି ପ୍ରକାର ପଦ‌କ୍ଷେପ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ପର୍ଯ୍ୟାୟ କ୍ରମେ ନବୀକରଣ କାମ କରିବାକୁ କାର୍ଯ୍ୟକାରୀ ସଭାପତି ଚୈତନ୍ୟ ରାଉତ, ସମ୍ପାଦକ ଚିନ୍ତାମଣି ବିଶ୍ବାଳ, କୋଷାଧ୍ୟକ୍ଷ ବାବୁଲି ପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe