ଏକାମ୍ର କାନନକୁ ଫନି ମାଡ଼, ୫ କୋଟିର ଛାରଖାର

Advertisment
ଏକାମ୍ର କାନନକୁ ଫନି ମାଡ଼, ୫ କୋଟିର ଛାରଖାର

ଭୁବନେଶ୍ବର : ଆଉ ମନ ଟାଣୁନି କାକ୍‌ଟସ ହାଉସ୍‌। ମହକୁନି ଗୋଲାପ ବଗିଚା। ପାଦ ଅଟକାଉନି କୋଳି ବଗିଚା। ଆକୃଷ୍ଟ କରୁନି ଗ୍ରିନ୍‌ ହାଉସ୍‌। ରାଜଧାନୀର ସବୁଜ ବେଲ୍‌ଟର ଆଉ ଏକ ବୃହତ୍ ଅଂଶ ‘ଏକାମ୍ର କାନନ’ ଛାରଖାର୍‌ ହୋଇଯାଇଛି। ଫନିର ୩ ଘଣ୍ଟାର ତାଣ୍ଡବରେ ୨ଶହ ଏକର ପରିମିତ ଅଞ୍ଚଳରେ ଠିଆ ହୋଇଥିବା ଏହି କାନନ ଯେମତି ବୁକୁ ଫଟେଇ କାନ୍ଦୁଛି।

ସମାନ ସ୍ଥିତି ଫେରିବାକୁ ଲାଗିଯିବ ୨୦ ବର୍ଷ

୧୯୯୯ ମସିହା ମହାବାତ୍ୟାକୁ ଭରଣା କରି ଏକାମ୍ର କାନନର ୪୮୭ ଏକର ଜମି ମଧ୍ୟରୁ ୨୦୦ ଏକର ଜମିରେ ବହୁ ଉନ୍ନୟନ ମୂଳକ କାମ ହୋଇଥିଲା। ମାତ୍ର ଏହି ପରିସରରେ ଥିବା ବିଶାଳ ବୃକ୍ଷ ସାଙ୍ଗକୁ, ଫଳ ବଗିଚା, କୋଳି ବଗିଚା, ୨୦୧୨ରୁ ତିଆରି କରାଯାଇଥିବା ସୁବାସିତ ପୁଷ୍ପ ଉଦ୍ୟାନ, ଗୋଲାପ ବଗିଚା, ମନ୍ଦାର ବଗିଚାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୫୦ ପ୍ରତିଶତ ବଡ଼ ଗଛ ଉପୁଡ଼ି ପଡ଼ିଛି। ଅନ୍ୟ ଗଛଗୁଡ଼ିକ ଅଧାରୁ ଭାଙ୍ଗିଯାଇଛି। ୧୯୮୬ ମସିହାରେ ଏହି ପରିସରରେ ରୋପଣ କରାଯାଇଥିବା ବିଶାଳ ଶାଳ ଗଛମାନ ବି ଏଇ ବାତ୍ୟାରେ ଭାଙ୍ଗି ପଡ଼ିଛି। ସ୍ଥିତି ଏମିତି ଯେ, ଏଇଭଳି ସବୁଜିମା ଫେରାଇ ଆଣିବାକୁ ପ୍ରାୟ ୨୦ ବର୍ଷ ଲାଗିଯିବ ବୋଲି ବୈଜ୍ଞାନିକ ପ୍ରତାପ ପଣ୍ଡା କହିଛନ୍ତି।

publive-image

ଆଉ ଉଧେଇବନି ତାଳଜାତୀୟ ବୃକ୍ଷ

କାନନର ଶୋଭା ବଢ଼ାଉଥିଲା ୨୦୦୮ରେ ହୋଇଥିବା ତାଳଜାତୀୟ ବୃକ୍ଷର ବଗିଚା। ଏଠାରେ ୫୯ କିସମର ତାଳ ଜାତୀୟ ବୃକ୍ଷ ଦେଖିବାକୁ ମଳୁଥିଲା। ବାତ୍ୟା ଏହି ପରିସରରେ ଥିବା ଅନେକ ବୃକ୍ଷକୁ ଚେର ସହ ଉପାଡ଼ି ଦେଇଛି। ଅନ୍ୟ ବୃକ୍ଷଗୁଡ଼ିକ ଅଧାରୁ ଭାଙ୍ଗି ଯାଇଛି। ଆର୍‌ପିଆର୍‌ସିର ପ୍ରମୁଖ ବୈଜ୍ଞାନିକ ଶ୍ରୀ ପଣ୍ଡାଙ୍କ ସୂଚନା ମୁତାବକ, ଅନ୍ୟ ବୃକ୍ଷଗୁଡ଼ିକ ଅଧାରୁ ଭାଙ୍ଗିଲେ ମଧ୍ୟ ପୁନଃ ବଞ୍ଚିପାରିବ କିନ୍ତୁ ନଡ଼ିଆ ଓ ତାଳଜାତୀୟ ବୃକ୍ଷର କୌଣସି ଅଂଶ ଥରେ ଭାଙ୍ଗିଲେ ତାହା ଆଉ ବଞ୍ଚିବ ନାହିଁ। ତେଣୁ ତାଳଜାତୀୟ ବଗିଚାକୁ ଆଉ ପୁନରୁଦ୍ଧାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

publive-image

ଭାଙ୍ଗିଲା ଗେଷ୍ଟ୍‌ ହାଉସ୍‌

ପରିସରରେ ଅତିଥିମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଗେଷ୍ଟ୍ ହାଉସ୍‌ ଏବଂ ଫୁଡ୍‌କୋର୍ଟ ଉପରୁ ଟିଣ ସିଟ୍‌ ଛାତ ଉଡ଼ିଯାଇଛି। ଘରର କାନ୍ଥ ମଧ୍ୟ କେତେକାଂଶ ଭାଙ୍ଗିପଡ଼ିଛି। ୬ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ନିର୍ମିତ ୩ଟି ସୋଲାର ପ୍ୟାନେଲ୍‌ ଭାଙ୍ଗି ଗୁଣ୍ଡ ହୋଇଯାଇଛି। ବୋଟିଂ ପାଇଁ ଥିବା ୧୦ଟି ବୋଟ୍‌ ମଧ୍ୟରୁ ୫ଟି ବୋଟ୍‌ ବାତ୍ୟା ସମୟରେ ପରସ୍ପର ସହ ପିଟି ହୋଇ ଭାଙ୍ଗିଯାଇଛି। ୫୦ଟି ସାଇନ୍‌ଏଜ୍‌ ବୋର୍ଡ ଏବଂ ସୋଲାର ଫ୍ୟାନ୍‌ ଭାଙ୍ଗିରୁଜି ଯାଇଛି। ଖତଘର ଛିନ୍‌ଛତର୍‌ ହୋଇ ପଡ଼ିଛି। ଗଛ ପଡ଼ି ଜିଆଇ ତାର ଛିଣ୍ଡି ପଡ଼ିଥିବାରୁ ଚନ୍ଦକାରୁ ଏକାମ୍ର କାନନ ମଧ୍ୟକୁ ହାତୀ ପଶିଆସିବାର ଆଶଙ୍କା ସୃଷ୍ଟି ରହିଛି। ଆର୍‌ପିଆର୍‌ସିର କର୍ମଚାରୀଙ୍କ ସମେତ ୩୦ ଜଣ ଶ୍ରମିକଙ୍କୁ ବାହାରୁ ଆଣି ପରିସରକୁ ସଜଡ଼ା ଚାଲିଛି। କଟର୍‌ ମେସିନ୍‌ ୨ଟି କିଣାଯାଇ ସେଥିରେ ଗଛଗୁଡ଼ିକୁ କଟାଚାଲିଛି।

publive-image

ଉଡ଼ିଗଲା କାକ୍‌ଟସ୍‌ ହାଉସ୍‌ ଛାତ

କୋଟିଏ ଟଙ୍କାରେ ନିର୍ମିତ ପିରାମିଡ୍‌ ସଦୃଶ କାକ୍‌ଟସ ହାଉସ୍‌ ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଇ ନିକଟରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରିନ୍‌ ହାଉସ୍‌ ଭାଙ୍ଗିରୁଜି ଯାଇଛି। ୫ଟି କାକ୍‌ଟସ ହାଉସ୍‌ ଉପରୁ ସିଟ୍‌ ଓ ଟ୍ରାନ୍‌ସପାରେଣ୍ଟ୍‌ ଚଦର ଉଡ଼ିଯାଇଛି। ୩ଟି ଅର୍କିଡ୍‌ ହାଉସ୍‌ ନଷ୍ଟ ହୋଇଯାଇଛି। ୧୦ଟି ହାଇ ଟେନ୍‌ସନ୍‌ ଇଲେକ୍ଟ୍ରି ପୋଲ୍‌, ଗାର୍ଡେନ୍‌ ଲାଇଟ୍‌ ଭାଙ୍ଗି ଗଳିପଡ଼ିଛି। ୨ ହଜାର ଗଛ ମୂଳରୁ ଉପୁଡ଼ି ଯାଇଛି। ୫ଟି ନେଟ୍‌ ସେଡ୍‌ ଭାଙ୍ଗିଯାଇଛି। ୫ଶହ ଫୁଟ ଲମ୍ବର ପାଚେରି ମୂଳରୁ ଭାଙ୍ଗିପଡ଼ିଛି। ଆଞ୍ଚଳିକ ଉଦ୍ଦିଦ ସମ୍ପଦ କେନ୍ଦ୍ର(ଆର୍‌ପିଆର୍‌ସି)ର ପ୍ରମୁଖ ବୈଜ୍ଞାନିକ ପ୍ରତାପ ପଣ୍ଡାଙ୍କ ସୂଚନା ମୁତାବକ, ଗଛଗୁଡ଼ିକର ମୂଲ୍ୟକୁ ବାଦ୍‌ ଦେଲେ ପ୍ରାୟ ୫ କୋଟି ଟଙ୍କାର କ୍ଷତି ହୋଇଛି।
ପଚିଯିବ କାକ୍‌ଟସ!

କାନନ ପରିସରରେ ଥିବା କାକ୍‌ଟସ ଶ୍ରେଣୀୟ ଗଛ ୧୦୫୦ କିସମର ରହିଛି। ମରୁଭୂମିରେ ବଢ଼ୁଥିବା ଏହି ବୃକ୍ଷଗୁଡ଼ିକୁ ଯତ୍ନରେ ସହ ରଖାଯାଉଥିଲା। ମାତ୍ର କାକ୍‌ଟସ ହାଉସ ଭାଙ୍ଗିଯିବା ପରେ ପଚିଯିବାର ଆଶଙ୍କା ଦେଖାଦେଇଛି। ଆଗକୁ ବର୍ଷା ଆସୁଥିବାରୁ ଯଦି ଏହା ଉପରେ ବର୍ଷା ପାଣି ପଡ଼େ ତେବେ ଗଛଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। କାକ୍‌ଟସ ହାଉସ୍‌ଗୁଡ଼ିକୁ ଯଦି ତୁରନ୍ତ ମରାମତି କରା ନଯାଏ ତେବେ ସେଗୁଡ଼ିକ ନଷ୍ଟ ହୋଇଯିବ। ପିରାମିଡ୍‌ କାକ୍‌ଟସ ହାଉସ୍‌ ସମେତ ଆର୍‌ପିଆର୍‌ସି ପରିସରରେ ଥିବା ସମସ୍ତ କାକ୍‌ଟସ ହାଉସରେ ସମାନ ସ୍ଥିତି ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe