ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ: ଜମି ହସ୍ତାନ୍ତର ଉପରେ ସ୍ଥଗିତାଦେଶ ଲଗାଇଲେ ଏନ୍‌ଜିଟି

Advertisment
ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ: ଜମି ହସ୍ତାନ୍ତର ଉପରେ ସ୍ଥଗିତାଦେଶ ଲଗାଇଲେ ଏନ୍‌ଜିଟି

କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ୪ଜଣିଆ କମିଟି
ଜୁନ୍‌ ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : ଏକାମ୍ର କାନନ ଫାର୍ମର ପ୍ରାୟ ୨୦ଏକର ଜମିକୁ ସାଧାରଣ ପ୍ରାଶସନ ବିଭାଗ ଫେରାଇ ନେବାକୁ କରୁଥିବା ଉଦ୍ୟମ ଉପରେ ରୋକ୍‌ ଲାଗିଛି। ମେ ୩୧ ତାରିଖରେ ଏନ୍‌ଜିଟିର କୋଲକାତା ସ୍ଥିତ ପୂର୍ବାଞ୍ଚଳ ବେଞ୍ଚ ମାମଲାର ଶୁଣାଣି କରି ଜମି ହସ୍ତାନ୍ତର ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ସ୍ଥଗିତାଦେଶ ସମୟରେ ଗଛ କଟା ଯାଇପାରିବନି କି ଧ୍ବଂସ କରାଯାଇପାରିବନି ବୋଲି କୋର୍ଟ କହିଛନ୍ତି। ଜୁନ୍‌ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଏହା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି ଏନ୍‌ଜିଟି।

ଜଷ୍ଟିସ୍‌ ବି. ଅମିତ ସ୍ଥାଲେକର ଏବଂ ବିଶେଷଜ୍ଞ ସଦସ୍ୟ ଶୈବାଳ ଦାସଗୁପ୍ତା ମାମଲାର ଶୁଣାଣି କରି କହିଛନ୍ତି ଯେ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ଭୁବନେଶ୍ବରସ୍ଥିତ ଇଣ୍ଟିଗ୍ରେଟେଡ୍ ରିଜିଓନାଲ୍‌ ଅଫିସ୍‌ର ବରିଷ୍ଠ ବୈଜ୍ଞାନିକ, ଖୋର୍ଦ୍ଧା ଜିଲ୍ଲାପାଳ କିମ୍ବା ତାଙ୍କ ପ୍ରତିନିଧି, ଚନ୍ଦକା ଡିଏଫ୍‌ଓ, ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ଏହି କମିଟି ଗଠନ ହେବ। କମିଟି ଏକାମ୍ର କାନନ ଫାର୍ମର ଏହି ଜମିକୁ କ୍ଷେତ୍ର ପରିଦର୍ଶନରେ ଯାଇ ରିପୋର୍ଟ ଦେବେ। ଏଥିରେ ଉକ୍ତ ଜମି ଜଙ୍ଗଲ ବୋଲି ବିବେଚନା କରାଯାଉଛି କି ନାହିଁ, ଏହି ଜମିର କିଛି ଅଞ୍ଚଳ ଜଙ୍ଗଲ କିସମ/ରାଜସ୍ବ ଜଙ୍ଗଲ ଜମିରେ ଯାଉଛି କି? ହସ୍ତାନ୍ତର ହେବାକୁ ଥିବା ଜମିରେ ବହୁ ଗୁରୁତ୍ବପୂର୍ଣ୍ଣ ଫଳ ଗଛ ଏବଂ ଜୈବ ବିଜ୍ଞାନ ଦୃଷ୍ଟିରୁ ଗୁରୁତ୍ବ ଅଛି କି ନାହିଁ, ଏହି ହସ୍ତାନ୍ତର ଜଙ୍ଗଲ ସଂରକ୍ଷଣ ଆଇନ୍, ୧୯୮୦ ଅଧୀନରେ ଯାଉଛି କି ନାହିଁ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି। କମିଟି ଚରି ସପ୍ତାହ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦେଲେ ଜୁନ୍‌ ୩୦‌ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୩ରେ ଉଦ୍ୟାନକୃଷି ନିର୍ଦ୍ଦେଶକ ଏକାମ୍ରକାନନର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏକାମ୍ର କାନନ ଫାର୍ମ‌ରେ ଥିବା ମୋଟ୍‌ ୨୫.୯୬୭ ଏକର ଜମିରୁ ୨୦.୧୯୨ ଏକର ଜମି ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲେ। ଏହାପରେ ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମ ଜମି ହସ୍ତାନ୍ତରକୁ ବିରୋଧ କରି ସ୍ବର ଉଠାଇଥିବାବେଳେ କଂଗ୍ରେସ ଓ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ବି ଏନେଇ ସ୍ପଷ୍ଟୀକରଣ ଦେଇଥିଲା। ହେଲେ ଏହି ସ୍ପଷ୍ଟୀକରଣ ଏହି ବିବାଦକୁ ଏଡ଼ାଇବା ଭଳି ସ୍ପଷ୍ଟ ନଥିଲା। ତେଣୁ ବିବାଦ ବଢ଼ିଥିଲା। ଏହାପରେ ମାମଲା ଏନ୍‌ଜିଟିରେ ପହଞ୍ଚିଥିଲା। ଆବେଦନକାରୀଙ୍କ ପକ୍ଷରୁ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe