ମନ୍ଦିର, ରଥଦାଣ୍ଡରେ ପ୍ରଚାର ଜମିଲା

Advertisment

ବାଲିପାଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ବାଲିପାଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

ମନ୍ଦିର, ରଥଦାଣ୍ଡରେ ପ୍ରଚାର ଜମିଲା

ଭୁବନେଶ୍ବର : ଆଜି ପବିତ୍ର ଅଶୋକାଷ୍ଟମୀ ସହ ରାମନବମୀ। ‌ଅଶୋକାଷ୍ଟମୀରେ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ରଥଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନେ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ଏକାଠି ଏତେ ଲୋକଙ୍କୁ ପାଇଥିବାରୁ ସେମାନଙ୍କ ପ୍ରଚାରର କୌଣସି ସୁଯୋଗ ହାତଛଡ଼ା କରି ନଥିଲେ।

publive-image

ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ରୁକୁଣା ରଥରେ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାର ଦର୍ଶନ କରିବା ସହ ନିଜ ସମର୍ଥକଙ୍କ ଗହଣରେ ପ୍ରଚାର କରିଥିଲେ। ସେହିପରି ଏକାମ୍ରର ବିଜେପି ପ୍ରାର୍ଥୀ ବାବୁ ସିଂହ ଓ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ବି ସେମାନଙ୍କ ସମର୍ଥକଙ୍କ ଗହଣରେ ପ୍ରଚାର କରିଥିଲେ। ରଥଦାଣ୍ଡର ବିଭିନ୍ନ ସ୍ଥାନରେ, ଘର ଉପରେ ଦଳୀୟ ପ୍ରାର୍ଥୀଙ୍କ ହୋର୍ଡିଂ, ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା।

publive-image

ସେହିପରି ରାମନବମୀ ଉପଲକ୍ଷେ ପୂରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଏଥିପାଇଁ ୟୁନିଟ-୩ସ୍ଥିତ ରାମମନ୍ଦିର ସମେତ ରାଜଧାନୀର ସମସ୍ତ ରାମମନ୍ଦିର ଓ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତିନି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ପ୍ରଚାର କରିବା ସମୟରେ ବାଟରେ ଯେଉଁ ମନ୍ଦିର ପଡ଼ୁଥିଲା ସେଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ଭୋଟ୍‌ ଦେବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଥିଲେ। ବିଜେପିର ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସହିଦନଗରରେ ପ୍ରଚାର କରୁଥିବାବେଳେ ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ। ଏହାସହ ସେଠାରେ ଥିବା ଶ୍ରଦ୍ଧାଳୁମାନଙ୍କ ସହ ଆଲୋଚନା କରି ସେମାନଙ୍କ ସହଯୋଗ ଲୋଡ଼ିଥିଲେ। ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବି ପ୍ରଚାର ସମୟରେ ବିଭିନ୍ନ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ।

ବାଲିପାଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର

publive-image

ବାଲିପାଟଣା : ଦୁଇଦିନ ତଳେ ବିଜେଡି ପକ୍ଷରୁ ମେଗା ରୋଡ୍‌ ସୋ ସହ କଲେଜ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଆଜି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଆୟୋଜନ କରାଯାଇଥିଲା। ଅପରାହ୍‌ଣରେ ବାଲିପାଟଣା ଗୋରୁହାଟ ପଡ଼ିଆରେ ଅନୁ‌ଷ୍ଠିତ ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଭୁବନେଶ୍ବର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଓ ଜୟଦେବ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାସ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପ୍ରଧାନ ମୋଦୀ ସରକାରଙ୍କ ସଫଳତା କଥା କହିବା ସହ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ। ବିଜେପି ପ୍ରାର୍ଥୀମାନଙ୍କୁ ଭୋଟଦେଇ କେନ୍ଦ୍ର ଓ ରାଜ୍ୟରେ ଏକ ସ୍ବଚ୍ଛ, ସ୍ଥାୟୀ ସରକାର ଗଢ଼ିବା ପାଇଁ ସେ ଆହ୍ବାନ ଦେଇଥିଲେ। ସଭାରେ ଶ୍ରୀମତୀ ଷଡ଼ଙ୍ଗୀ, ଶ୍ରୀ ନାୟକଙ୍କ ବ୍ୟତୀତ ବସନ୍ତ ନାୟକ, ଦିଲ୍ଲୀପ ସ୍ବାଇଁ, ବାଲିପାଟଣା ବ୍ଲକର ପୂର୍ବତନ ଅଧୢକ୍ଷ ପ୍ରଶାନ୍ତ ଆଦିତ୍ୟଙ୍କ ସମେତ ବହୁ ନେତୃବୃନ୍ଦ ଏହି ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe