ବାଲିଅନ୍ତା : ଭୋଟ ଦାନ ତାରିଖ ଯେତିକି ପାଖେଇ ଆସୁଛି, ଗାଁ ଗାଁରେ ରାଜନୈତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ଲାଗି ସବୁ କଳବଳ କୌଶଳ ଖଟାଇବାରେ ଲାଗିଛନ୍ତି। ସେହିଭଳି ପ୍ରାର୍ଥୀମାନଙ୍କ ସମର୍ଥକ ବା ପ୍ରଚାରକମାନେ ବି ବେଶି ସକ୍ରିୟ ହୋଇପଡ଼ିଛନ୍ତି। ତେବେ ଏଥର ବାଲିଅନ୍ତାରେ ରାଜନୈତିକ ପାଣିପାଗକୁ ନେଇ କିଛି ସ୍ପଷ୍ଟ ଆଭାସ ମିଳିପାରୁନାହିଁ। ଏଠାରେ ଘଡ଼ିକେ ଘୋଡ଼ା ଛୁଟୁଛି। ବଡ଼ କଥା ହେଉଛି, ଏଥର ଭୋଟରମାନେ ବି ବେଶ୍ ସତର୍କ ହୋଇପଡ଼ିଛନ୍ତି। ସେମାନଙ୍କୁ କଳିବା କାଠିକର ହୋଇପଡ଼ୁଛି ବୋଲି ପ୍ରଚାର କରୁଥିବା ସମର୍ଥକମାନଙ୍କ ସୂତ୍ରରୁ ଜଣାପଡ଼ୁଛି।
ପୂର୍ବରୁ ଗାଁ ଗାଁରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସରଗରମ ହେଉଥିଲା। ସ୍ବାଭାବିକ ଭାବେ ଏଥର ବାଲିଅନ୍ତାରେ ବି ସେହି ପରିବେଶ ରହିଛି। କିନ୍ତୁ ଏଥର ବଳେଇ ପଡ଼ିଛି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ହେଉଥିବା ନିର୍ବାଚନ। ବିଶେଷକରି ବିଜେଡିର ଗୋଷ୍ଠୀ କନ୍ଦଳ ଗୋଳିଆ ପାଣି ସୃଷ୍ଟି କରିଛି। ବିଜେଡି ନେତା କମଳ ପାତ୍ରଙ୍କ ସମର୍ଥିତ ତଥା ଦଳୀୟ ଟିକେଟ୍ରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ବିରୋଧରେ ଅସନ୍ତୁଷ୍ଟ ବିଜେଡିର ପ୍ରାର୍ଥୀମାନେ ଅଛନ୍ତି। ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀମାନେ ବିଧାୟକ ଅରବିନ୍ଦ ଢାଲିଙ୍କ ସମର୍ଥନରେ ମଇଦାନରେ ଥିବା କୁହାଯାଉଛି। ସେହିଭଳି ବିଜେପି ପ୍ରାର୍ଥୀମାନେ ମଧ୍ୟ ଦଳୀୟ କନ୍ଦଳର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସ ପ୍ରାର୍ଥୀମାନେ ଏଥିରୁ ମୁକ୍ତ ଥିବା ଜଣାପଡ଼ିଛି। କିନ୍ତୁ ସଂଗଠନ ଦୃଷ୍ଟିରୁ କଂଗ୍ରେସ ଅନ୍ୟ ଦୁଇ ଦଳଠାରୁ ସାମାନ୍ୟ ପଛରେ ଥିବା ଚର୍ଚ୍ଚା ହେଉଛି। ତେବେ ଅନ୍ୟ ଦୁଇ ଦଳର ଗୋଷ୍ଠୀ କନ୍ଦଳରୁ କଂଗ୍ରେସ ଫାଇଦା ଉଠାଇବାକୁ ଉଦ୍ୟମ ଜାରି ରଖିଛି। ପ୍ରାର୍ଥୀମାନଙ୍କ ଏଭଳି ଅବସ୍ଥାରେ ଭୋଟରମାନେ ବି ଦୋଦୁଲ୍ୟମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। କିଛି ଭୋଟର ଅଙ୍କ କଷୁଥିବାରୁ ଖୋଲାଖୋଲି ମତ ରଖିବାକୁ ପଛାଇଯାଉଛନ୍ତି। ବଡ଼ କଥା ହେଉଛି, ପ୍ରାୟ ସବୁ ପ୍ରାର୍ଥୀ ପ୍ରଚାର କ୍ଷେତ୍ରରେ ସମକକ୍ଷ ଥିବାରୁ ଭୋଟରମାନେ କିଏ ଜିତିବ ବୋଲି ଆକଳନ କରିପାରୁନାହାନ୍ତି। ଫଳରେ ସେମାନଙ୍କଠାରୁ କୌଣସି ସ୍ପଷ୍ଟ ମତ ମିଳିବା ସମ୍ଭବ ହେଉନାହିଁ। ବିଶେଷକରି ବିଜେଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ଭୋଟରମାନେ ନିରବ ରହୁଥିବା ଦେଖିବାକୁ ମିଳୁଛି। ଦଳୀୟ ଟିକେଟ୍ ପାଇଥିବା ଓ ଅସନ୍ତୁଷ୍ଟ ଭାବେ ସ୍ବାଧୀନ ଭାବେ ଲଢ଼ୁଥିବା ପ୍ରାର୍ଥୀମାନେ ପୂର୍ବରୁ ଗୋଟିଏ ଦଳରେ ଥିବା ଓ ଲୋକଙ୍କ ସହ ଥିବାରୁ ଭୋଟରମାନେ କିଛି ନିର୍ଣ୍ଣୟ କରିପାରୁନାହାନ୍ତି। ବିଜେଡିକୁ ଭୋଟ ଦେବାକୁ ମନ କରିଥିବା ଭୋଟରମାନେ ବଡ଼ ଅଡ଼ୁଆରେ ପଡ଼ିଥିବା କହିଛନ୍ତି। ସେମାନଙ୍କ ପାଇଁ ଦୁଇ ଗୋଷ୍ଠୀର ପ୍ରାର୍ଥୀମାନେ ସମାନ ବୋଲି କିଛି ବିଜେଡି ଭୋଟରଙ୍କ ମତ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ବି ବଡ଼ ଅଡ଼ୁଆରେ ପଡ଼ିଛନ୍ତି। ଭୋଟରଙ୍କ ମତିଗତି ଦେଖି ସେମାନେ କେବଳ ନିଜ କଥା ପ୍ରଚାର କରୁଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ସେମାନେ ଭୋଟରଙ୍କୁ କହି ଅଡ଼ୁଆରେ ପଡ଼ିବାକୁ ଚାହୁନାହାନ୍ତି। କାରଣ କାହା ପାଇଁ କହିଲେ, ନିଜ ଭୋଟ କଟିବା ଆଶଙ୍କା ରହିଛି। ତେଣୁ ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ସେମାନେ ପ୍ରଚାର ବେଳେ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ନେଉନାହାନ୍ତି। ତେବେ ଏବେଠୁ ଭୋଟରଙ୍କ ସହିତ ମୂଲଚାଲ ଆରମ୍ଭ ହୋଇଗଲାଣି। କିଏ କୋଠଘର ଓ ଠାକୁର ଘର ଛାତ ପକାଇବାକୁ ଟଙ୍କା ବାଣ୍ଟୁଛି ତ କିଏ ଗାଁ ଦାଣ୍ଡରେ ବିଜୁଳି ବତି ଲଗାଇଲାଣି। ଭୋଜିଭାତ ତ ପୂର୍ବରୁ ଚାଲିଆସିଛି।
Follow Us