ନିର୍ବାଚନ ବାତିଲ୍ ନେଇ ଉତ୍କଳ ବିଶ୍ବବଦ୍ୟାଳୟରେ ଉତ୍ତେଜନା

Advertisment

କୁଳପତିଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଜଳାପୋଡ଼ା

କୁଳପତିଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଜଳାପୋଡ଼ା

ନିର୍ବାଚନ ବାତିଲ୍ ନେଇ ଉତ୍କଳ ବିଶ୍ବବଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍‌ ନେଇ ଆଜି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଘୋଷଣା ପରେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ କମିଯାଇଛି। ଯାହାକୁ ନେଇ କ୍ୟାମ୍ପସରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଉତ୍ତ୍ୟକ୍ତ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଳାପୋଡ଼ା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା। ଚାପା ଉତ୍ତେଜନା ଲାଗି ରହିଥିବାରୁ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି। ରବିବାର ବିଶ୍ବବିଦ୍ୟାଳୟ ଛୁଟି ଥିବାରୁ ଆସନ୍ତା ସୋମବାର କ୍ୟାମ୍ପସରେ ଛାତ୍ରଛାତ୍ରୀ ବିକ୍ଷୋଭ କରିବା ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ ଶୁକ୍ରବାର ଘୋଷଣା କରିବା ପରେ ରାଜ୍ୟର ମହାବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ନିଜ ନିଜର ପତିଆରା ଜାହିର ପାଇଁ ଲାଗି ପଡ଼ିଥିଲେ। ଶନିବାର କ୍ୟାମ୍ପସଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଥିଲା। ତେବେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଉ ମାତ୍ର ୧୩ ଦିନ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ବାଚନ ବାତିଲ ପାଇଁ କର୍ତୃପକ୍ଷଙ୍କ ଘୋଷଣା ଛାତ୍ରଛାତ୍ରୀଙ୍କୁ ଶକ୍ତ ଧକ୍କା ଦେଇଛି। ବିଭିନ୍ନ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାର୍‌ପିଟ ଯୋଗୁଁ ବର୍ଷତମାମ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିବା, ରାଜନୈତିକ ଦଳଗୁଡ଼ିକର ପରୋକ୍ଷ ହସ୍ତକ୍ଷେପ ଯୋଗୁଁ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିବା, କ୍ୟାମ୍ପସ ଅଶାନ୍ତ ରହୁଥିବାରୁ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ମଧ୍ୟ କ୍ୟାମ୍ପସରେ ଚାପା ଉତ୍ତେଜନା ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା। ତେଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହଁ ବୋଲି ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ରହିଥିଲା। ଏଭଳି ନିଷ୍ପତ୍ତି ପରେ ପୂର୍ବତନ ସଭାପତିମାନେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe