ଆଇଗିଣିଆ ଶ୍ମଶାନରେ ବିଦ୍ୟୁତ୍ ଚୁଲା: ଅଧାରେ ଲଟକିଛି

Advertisment
ଆଇଗିଣିଆ ଶ୍ମଶାନରେ ବିଦ୍ୟୁତ୍ ଚୁଲା: ଅଧାରେ ଲଟକିଛି

ଖଣ୍ଡଗିରି: ଢଳେଇ ପଡ଼ିଛି। ତା’ ଚାରି ପାଖରେ ଗୋଡ଼ି, ସିମେଣ୍ଟ ଜମା ହୋଇଛି। ପିଲର ଛଡ଼ ଛିଡା ହୋଇଛି, ମାତ୍ର କାମ ଆଗେଇ ପାରୁନି। ଦିନେକି ଦୁଇ ଦିନ ନୁହେଁ ବର୍ଷେ ହେଲାଣି ଆଇଗିଣିଆ ଶ୍ମଶାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସେପଟେ ଶ୍ମଶାନ ଧୀରେ ଧୀରେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବାକୁ ବସିଲାଣି। ଶ୍ମଶାନର ପ୍ରାୟ ୨୦% ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଗୋଟିଏ ପଟେ ଜବରଦଖଲ ସମସ୍ୟା ଆଉ ଆରପଟେ ଜମି ବିବାଦକୁ ନେଇ କୋର୍ଟରେ ମାମଲା ପହଞ୍ଚିଥିବାରୁ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। ଶ୍ମଶାନରେ ଉପଯୁକ୍ତ ସୁବିଧା ସୁଯୋଗ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ପ୍ରାୟ ୫ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ବିଦ୍ୟୁତ ଚୁଲା ନିର୍ମାଣ ଲାଗି ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ଦୁଇଥର ଜବରଦଖଲ ହଟାଇବାକୁ ଉଦ୍ୟମ ହୋଇଛି। ମାତ୍ର ପ୍ରଥମ ବିରୋଧ ଯୋଗୁଁ ବିଏମ୍‌ସି ବାରମ୍ବାର ବିଫଳ ହୋଇଛି। ଏଠାରେ ବିଦ୍ୟୁତ୍ ଚୁଲା ବସାଇବା, ଏଥିପାଇଁ ଘର ନିର୍ମାଣ, ଶ୍ମଶାନ ଚାରିକଡ଼େ ପାଚେରି କରିବା ପାଇଁ ଜଣେ ଉଦ୍ୟୋଗପତି ତାଙ୍କ ସିଏସ୍ଆର୍ ପାଣ୍ଠିରୁ ୬୫ଲକ୍ଷ ଟଙ୍କା ଦେଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ୨୦୨୨ ମେ’ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ କାମର ନାଁ ଗନ୍ଧ ନାହିଁ। ବିଏମ୍‌ସି ମଧ୍ୟ ଏହି କାମ ଲାଗି ସେତେଟା ଆଗ୍ରହ ଦେଖାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ଭିତରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଶ୍ମଶାନ ଜମି ନେଇ କୋର୍ଟର ଦ୍ବାରସ୍ଥ ହୋଇଥିବାରୁ କାମ ଆଗେଇ ପାରୁ ନ ଥିବା ଜଣାପଡ଼ିଛି।

କୋଭିଡ୍‌ ସମୟରେ ସତ୍ୟନଗର ଶ୍ମଶାନରେ କେବଳ କୋଭିଡ୍‌ ଆକ୍ରାନ୍ତଙ୍କର ଶବଦାହ ହେଉଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ମାନବାଧିକାର କମିସନଙ୍କୁ ଭେଟି ଅଭିଯୋଗ କରିବା ପରେ ବିଏମ୍‌ସିର ନିଦ ଭାଙ୍ଗିଥିଲା ଏବଂ ରାଜଧାନୀରେ ଆଉ ଦୁଇଟି ଉନ୍ନତମାନର ଶ୍ମଶାନ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ୨୦୨୦ ଅକ୍ଟୋବର ମାସରେ ପଟିଆରେ ଗ୍ୟାସ୍ ଚୁଲା, ଆଇଗିଣିଆରେ ବିଦ୍ୟୁତ୍ ଚୁଲା ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ସ୍ଥାନରେ ବି ସତ୍ୟନଗର ଭଳି କୋଭିଡ୍ ଆକ୍ରାନ୍ତଙ୍କର ଶବଦାହ ହୋଇଥା’ନ୍ତା। ଅଞ୍ଚଳବାସୀଙ୍କ ସମେତ ନିକଟରେ ଥିବା ମେଡିକାଲର କୋଭିଡ୍‌ ଆକ୍ରାନ୍ତଙ୍କ ଶବଦାହ ଏଠାରେ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଭବିଷ୍ୟତରେ ଲୋକେ ଯେପରି କାଠରେ ଶବଦାହ ନକରି ବିଦ୍ୟୁତ୍ ଓ ଗ୍ୟାସ୍ ଚୁଲାରେ କରିବେ, ସେନେଇ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥାନ୍ତା। ଇତିମଧ୍ୟରେ ଯୋଜନାକୁ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଅଧାରେ ଲଟକିଛି।

ସ୍ଥାନୀୟ ବାସିନ୍ଦା ରଜତ ବାରିକ କହିଛନ୍ତି, ପରିବେଶକୁ ଦୃଷ୍ଟିରେ ରଖି ଅନେକ ବିଦ୍ୟୁତ ଚୁଲାରେ ଶବଦାହ କରିବାକୁ ଚାହୁଥିଲେ ହେଁ ଏଥିପାଇଁ ବ୍ୟବସ୍ଥା ହୋଇ ପାରୁ ନାହିଁ। ଶ୍ମଶାନ ଜାଗା ସହ ଲାଗି କିଛି ଘରୋଇ ସ୍ଥାନ ଥିବାରୁ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଘୋଷଣା ମୁତାବକ, ଶ୍ମଶାନ ମଧ୍ୟରେ ବିଦ୍ୟୁତ ଚୁଲା କରାଯିବା ସହ ଏହାର ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରି ସୌନ୍ଦର୍ଯ୍ୟୀକରଣ କରାଗଲେ ସ୍ଥାନୀୟ ବାସିନ୍ଦା ଉପକୃତ ହୋଇପାରନ୍ତେ। ଏନେଇ ବିଏମ୍‌ସିର ସିଟି ଇଞ୍ଜିନିୟର ଅରୁଣ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ କୋର୍ଟରେ ମମଲା ଥିବାରୁ କାମ ଅଟକିଛି। ଯେତେଶୀଘ୍ର ସମ୍ଭବ ଜମି ମାପଚୁପ କରାଯାଇ ଜାଗା ଚିହ୍ନଟ ହେବା ପରେ କାମ ଆଗେଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe