ଆମର ନାହିଁ ତ କାହାର ନାହିଁ, ଦିନରେ ତାତି, ରାତିରେ ମଶା

ଘନେଇଲାଣି ବିଜୁଳି ଓ ପାଣି ସଂକଟ, ବଢ଼ୁଛି ଅସନ୍ତୋଷ

New Indian Express

ଖଣ୍ଡଗିରି: ବାତ୍ୟା ଫନିର କ୍ଷୟକ୍ଷତି ଏବେ ଲୋକଙ୍କ ମନରେ ନାହିଁ। ଅଛି କେବଳ ବିଜୁଳି ଚିନ୍ତା। ବିଜୁଳି ଚିନ୍ତାରେ ଲୋକେ କଲବଲ ହୋଇଗଲେଣି। ଦିନରେ ଅସହ୍ୟ ତାତି ସାଙ୍ଗକୁ ରାତିରେ ମଶାଙ୍କ ଉତ୍ପାତ ଲୋକଙ୍କ ନିଦ ହଜାଇ ଦେଲାଣି। କର୍ମଚାରୀ ଅଭାବରୁ ବିଦ୍ୟୁତ୍ ବିଭାଗର ମରାମତି ବିଳମ୍ବ ସାଙ୍ଗକୁ ଲୋକଙ୍କ ‘ଆମର ନାହିଁ ତ କାହାର ନାହିଁ’ ନୀତି ମରାମତି କାମକୁ ଆହୁରି ଅଧିକ ବିଳମ୍ବିତ କରାଉଥିବା ଜଣାପଡ଼ିଛି।

ଫଳରେ ରାଜଧାନୀ ଉପକଣ୍ଠରେ ଲୋକେ ତୁରନ୍ତ ବିଜୁଳି ପାଇବା ନେଇ ଏବେ ବି ଅନିଶ୍ଚିତତାରେ ଅଛନ୍ତି। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଓ କଳିଙ୍ଗନଗର ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରାୟତଃ ସ୍ବାଭାବିକ ହୋଇସାରିଥିଲେ ବି ମେଣ୍ଢାଶାଳ, ଛତାବର, ମଦନପୁର, ଯାଁଳା, ନଁପୁଟ, ଗଙ୍ଗପଡ଼ା, ପଞ୍ଚୁପଲ୍ଲୀ ଓ ଅଙ୍ଗାରପଡ଼ା ଆଦି ଅଞ୍ଚଳ ଏବେ ବି ଅନ୍ଧାରରେ ପଡ଼ିଛି। ସୂଚନାନୁସା‌ରେ, ବହୁ ସ୍ଥ‌ାନରେ ଏବେ ବି ମରାମତି କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ପାରିନି। ଯାଁଳା, ଗଙ୍ଗପଡ଼ା, ମଦନପୁର, ଅଙ୍ଗାରପଡ଼ା, ନଁପୁଟ ଓ ପଞ୍ଚୁପଲ୍ଲୀ ଅଞ୍ଚଳରେ ମରାମତି କାମ ମାତ୍ର ଶତକଡ଼ା ୪୦ ଭାଗ ହୋଇଛି ‌ବୋଲି ଅଭିଯୋଗ ହେଉଛି। ପୁଣି ଏହି ସବୁ ଅଞ୍ଚଳ‌ରେ ୩୩ କେଭି ଲାଇନ୍ ମରାମତି ସରି ନଥିବା ଅଭିଯୋଗ ହେଉଛି। ତେଣୁ ୧୧ କେଭି ଲାଇନ୍ ସହ ଏଲ୍‌ଟି ଲାଇନ୍ ମରାମତି ମଧ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ନଁପୁଟ, ପଞ୍ଚୁପଲ୍ଲୀ ଓ ଗଙ୍ଗପଡ଼ାରେ କିଛି ଟ୍ରାନ୍‌ସଫର୍ମର(ଡିପି ପଏଣ୍ଟ) ମରାମତି କାମ ବି ହୋଇନଥିବା ଅଭିଯୋଗ ହେଉଛି। ତେବେ ଛତାବରରେ ପ୍ରାୟତଃ ସବୁ ମରାମତି କାମ ସରିଛି। କିନ୍ତୁ ମେଣ୍ଢାଶାଳରେ ୧୧କେଭି ଲାଇନ୍‌ର ତ୍ରୁଟି ଧରିବାରେ କର୍ମଚାରୀମାନେ ସକ୍ଷମ ହୋଇ ନପାରିବାରୁ ଉଭୟ ଛତାବର ଓ ମେଣ୍ଢାଶାଳ ଲାଇନ୍ ଦିଆଯାଇପାରୁନାହିଁ। ଏହି ଦୁଇ ପଞ୍ଚାୟତକୁ ଗୋଟିଏ ଗ୍ରିଡ୍‌ରୁ ଲାଇନ୍ ଦିଆଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ବହୁ ସ୍ଥାନରେ ଆମକୁ ନାହିଁ ତ କାହାକୁ ବିଜୁଳି ନାହିଁ ନୀତି ପାଇଁ ମରାମତି କାମ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ମରାମତି କାମ ସରିଥିବା ଅଞ୍ଚଳକୁ ଲାଇନ୍‌ ଦେଲେ ଅନ୍ୟ ଅଞ୍ଚଳର ଲୋକେ ଗଣ୍ଡଗୋଳ କରିବାର ଧମକ ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ବିଭାଗୀୟ ଅଧିକାରୀମ‌ାନେ ୩୩ କେଭି ଲାଇନ୍ ମରାମତି ବିଳମ୍ବ କରି ପ୍ରଥମେ ୧୧ କେଭି ଓ ଏଲ୍‌ଟି ଲାଇନ୍ ମରାମତି କରାଉଛନ୍ତି। ବିଜୁଳି ଅଭାବରୁ ସାଧାରଣ ଜୀବନଯାପନର ସବୁ କ୍ଷେତ୍ରରେ ଏହି ଅଞ୍ଚଳର ଲୋକେ ସମସ୍ୟାରେ ପଡ଼ି ଛଟପଟ ହେଉଛନ୍ତି। ବ୍ୟାଙ୍କ ଓ ‌ଡାକ ସେବା ଏକପ୍ରକାର ଠପ୍ ହୋଇ ଯାଇଛି। ଲୋକେ ଟଙ୍କା ଉଠାଣ ପାଇଁ ରାଜଧାନୀକୁ ଧାଇଁବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ମଶାଙ୍କ ଉତ୍ପାତ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି। ବୟସ୍କ ଲୋକଙ୍କ ସହ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଏଥିସହିତ ମଧୁମେହ ରୋଗୀଙ୍କ ସହ ଉଚ୍ଚ ରକ୍ତଚାପ ରୋଗୀମାନେ ବିଶେଷଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଦିନରେ ଅଧିକ ଗରମ ସାଙ୍ଗକୁ ରାତିରେ ମଶା କାମୁଡ଼ା ଏଭଳି ରୋଗୀଙ୍କ ନିଦ କମ୍ କରୁଥିବାରୁ ସେମାନଙ୍କ ରୋଗ ବଢ଼ି ଯାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe