ଗତକାଲି ଦିନବେଳା ପିପିଲି ବଳଙ୍ଗାରେ ଚାରି ଜଣଙ୍କୁ ଦଳିଚକଟି ମାରିବା ପରେ ରାତିରେ ଦନ୍ତାହାତୀର ଲେଉଟାଣି ଗତି ଆରମ୍ଭ ହୋଇଥିଲା। ପିପିଲିରୁ ଭାରତୀପୁର ଓ କଣ୍ଟି ବଜାର ଦେଇ ସେ ଜଟଣୀ ଦିଗରେ ଆସୁଥିବାବେଳେ ହଠାତ୍ କଣ୍ଟି ବଜାରଠାରୁ ଅନ୍ତର୍ଧାନ ହୋଇ ଯାଇଥିଲା। କଣ୍ଟି ନିକଟରେ ଦୟା ନଦୀ ପାର୍ ହେବା ପରେ ପିଛା କରୁଥିବା ବନ ବିଭାଗ କମର୍ଚାରୀମାନେ ତା’ର ଟେର୍ ପାଇନଥିଲେ। ଆଜି ସକାଳୁ ପାତ୍ରପଡ଼ାସ୍ଥିତ ଔଷଧୀୟ ବଗିଚା ନିକଟରେ ଗୋଟିଏ ଦନ୍ତା ହାତୀକୁ ଲୋକେ ଦେଖିବାକୁ ପାଇଥିଲେ। ତେବେ ଏହି ଦନ୍ତାଟି ପିପିଲି ନରଘାତକ ବୋଲି ସ୍ପଷ୍ଟ ହୋଇନଥିଲା। କିନ୍ତୁ ସକାଳୁ ଏୟାର୍ ଫିଲ୍ଡ ଥାନା ପଞ୍ଚୁପଲ୍ଲୀ ପଞ୍ଚାୟତର ନୂଆଗାଁରେ ହାତୀମଳ ଓ ପଦଚିହ୍ନ ଦେଖାଯିବା ପରେ ଦନ୍ତାର ଗତି ବାବଦରେ ସ୍ପଷ୍ଟ ସୂଚନା ମିଳିଥିଲା। ଦୟାନଦୀ ପାର୍ ହେବା ପରେ ସେ ପାଞ୍ଚଗାଁ, ଜାମୁକୋଳି ଦେଇ ନୂଆଗାଁରେ ପହଞ୍ଚିଥିବା ଜଣାପଡ଼ିଥିଲା। ସେଠାରୁ ରେତଙ୍ଗ ରେଳଷ୍ଟେସନ ନିକଟରେ ରେଳଧାରଣା ପାର୍ ହୋଇ ପାତ୍ରପଡ଼ା ଗହୀର ଦେଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହୋଇଥିଲା ଓ ଫୁଲେଶ୍ବରୀ ବସ୍ତି ନିକଟ ସ୍ମୃତିବନର ପାଚେରି ଭାଙ୍ଗି ଓୗଷଧୀୟ ବଗିଚାରେ ଛପି ରହିଥିଲା।
ଠ’ ବୁଲିଗଲା ଦନ୍ତା
ବନ ବିଭାଗର ସୂଚନାନୁସାରେ ଉକ୍ତ ଦନ୍ତାଟି ଚନ୍ଦକାରୁ ବରୁଣେଇ ଦେଇ ଡେଲାଙ୍ଗ ବନାଞ୍ଚଳରେ ପ୍ରବେଶ କରିବା ପରେ ବାଟବଣା ହୋଇ ବଳଙ୍ଗା ପିପିଲି ପଳାଇଥିଲା। ସେଠାରେ ଛପିବା ପାଇଁ ଉପଯୁକ୍ତ ସ୍ଥାନ ଅଭାବ କାରଣରୁ ସେ ଲୋକଙ୍କ ହାବୁଡ଼ରେ ପଡ଼ିଲା ଓ ମଣିଷ ମାରିଲା। ସାଧାରଣତଃ ହାତୀ ଯେଉଁ ବାଟରେ ଯାଏ, ସେହି ରାସ୍ତା ଦେଇ ଫେରିବା କଥା। ମାତ୍ର ନରହନ୍ତା ସାଜିବା ପରେ ସେ ଉକ୍ତ ରାସ୍ତାରେ ନ ଫେରି ସେ ପିପିଲିରୁ ପାତ୍ରପଡ଼ା ଦେଇ ଚନ୍ଦକା ଜଙ୍ଗଲକୁ ଫେରିଥିଲା। ତେଣୁ ମାତ୍ର ଦୁଇଟି ଦିନରେ ସେ ଠ’ ବୁଲିଗଲା। ଜଣେ ଅଧିକାରୀଙ୍କ ସୂଚନାନୁସାରେ ଉକ୍ତ ଦନ୍ତା ନିୟମିତ ବ୍ୟବଧାନରେ ଚନ୍ଦକାରୁ ଡେଲାଙ୍ଗ ବନାଞ୍ଚଳକୁ ଆସେ ଓ ଧାନ ଖାଇବା ପରେ ପୁଣି ଚନ୍ଦକା ଫେରିଯାଏ। ମାତ୍ର ଏଥର ଦୁର୍ଭାଗ୍ୟବଶତଃ ସେ ବାଟବଣା ହେଲା।
ଦେଢ଼ଘଣ୍ଟା ରାସ୍ତା ଜାମ୍, ଦୁଇ ଘଣ୍ଟା ଅନ୍ଧାର
ଦନ୍ତାହାତୀଟି ଔଷଧୀୟ ବଗିଚାରୁ ବାହାରି ନୂଆଗାଁ ପର୍ଯ୍ୟନ୍ତ ୩ କିମି ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିଲା। କାରଣ ଦନ୍ତା ଯେତିକି ଆଗକୁ ଯାଉଥିଲା, ତା’ଠାରୁ ଅଧିକ ପୁଣି ପଛକୁ ଫେରୁଥିଲା। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ସେ ପଛକୁ ଫେରୁଥିଲା। ତେଣୁ ଏତିକି ସମୟ କଳିଙ୍ଗନଗର ଘାଟିକିଆ ରାସ୍ତା ଜାମ୍ ରହିଥିଲା। ସେହିଭଳି ହାତୀକୁ ଘଉଡ଼ାଇବାକୁ କଳିଙ୍ଗନଗର ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହୋଇଥିଲା। ପାଖାପାଖି ୨ଘଣ୍ଟା ପର୍ଯ୍ୟନ୍ତ କଳିଙ୍ଗନଗରର ଷ୍ଟ୍ରିଟ୍ ଲାଇଟ୍ ଜଳିନଥିଲା।
ଗତବର୍ଷ ଜୟଦେବ ବାଟିକାରେ ପଶିଥିଲା
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମାଘ ସପ୍ତମୀ କୁମ୍ଭମେଳା ପୂର୍ବରୁ ଏହି ଦନ୍ତାଟି ଖଣ୍ଡଗିରି ପାହାଡ଼ ତଳ ଜୟଦେବ ବାଟିକରେ ପଶିଥିଲା। ପୁରା ଦିନଟିଏ ବାଟିକାରେ ରହିବା ପରେ ରାତିରେ କାହାର କିଛି କ୍ଷତି ନକରି ପୁଣି ଜଙ୍ଗଲକୁ ଫେରି ଯାଇଥିଲା। ତେବେ ବାଟିକାରେ ଦିନ ସାରା ରହିବା ଭିତରେ ସେ ପାଚେରି ଭାଙ୍ଗିବା ସହ ଲୋକଙ୍କୁ ମିଛରେ ମାରି ଗୋଡ଼ାଇ ମଜା କରିଥିଲା।
ଦେଖିବାକୁ ପ୍ରବଳ ଭିଡ଼
ପିପିଲି ନରହନ୍ତା ପାତ୍ରପଡ଼ାରେ ଡେରା ପକାଇଛି ବୋଲି ଖବର ପ୍ରଚାରିତ ହେବା ପରେ ତାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଦିନ ସାରା ଲୋକେ ବନ କର୍ମଚାରୀମାନଙ୍କ ପାଖେପାଖେ ଜଗି ରହିଥିଲେ। ଲୋକଙ୍କୁ ସତର୍କ କରିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲେ ବି ଲୋକେ ମାନିନଥିଲେ। ତେଣୁ ବନ ବିଭାଗର ଚିନ୍ତା ବଢ଼ି ଯାଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ଚାରିଟାବେଳକୁ ଦନ୍ତା ଓୗଷଧୀୟ ବଗିଚାରୁ ବାହାରିଲା। ହାତୀ ବାହାରିବା ଶୁଣିବା ମାତ୍ରେ ଲୋକମାନେ ତା’ ଆଡ଼କୁ ମାଡ଼ି ଚାଲିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ଲୋକଙ୍କୁ ଘଉଡ଼ାଇଥିଲା। ଠିକ୍ ଏହି ସମୟରେ ହାତୀଟି ବାହାରି ନିକଟସ୍ଥ କଲୋନି ଭିତରକୁ ପଶି ଯାଇଥିଲା। ବନ ବିଭାଗ କର୍ମଚାରୀମାନେ ବାଣ ଫୁଟାଇବାରୁ ସେ ଘାଟିକିଆ ଦହଲ ଭିତରକୁ ପଶି ବିପୁଲ୍ ଗାର୍ଡେନ୍ ଦିଗରେ ଚାଲିଥିଲା। ଘାଟିକିଆ ଦହଲରୁ ବାହାରି ସେ ଟାଟା ଆରୢାନ୍ ଆପାର୍ଟମେଣ୍ଟ ପାର୍ଶ୍ବରେ କଳିଙ୍ଗନଗର ଦେଇ ନୂଆଗାଁ ଆଡ଼କୁ ଯାଇଥିଲା ଓ ସେଠାରୁ ମଳିପଡ଼ା ପାଇକରାପୁର ଦେଇ ଅନ୍ଧାରୁଆ ଦାସପୁର ଜଙ୍ଗଲକୁ ପଳାଇଥିଲା।
Follow Us