ତ୍ରିଶୁଳିଆ: ବାରଙ୍ଗ ନିକଟ ମୁଣ୍ଡଳୀ ଓ ବାଆଁରା ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଉଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଏଠାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛି। ଯେତିକି ଖାଇଛି, ତା’ଠୁ ଅଧିକ ଦଳି ଚକଟି ନଷ୍ଟ କରିଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନେ ହାତୀଟିକୁ ଯଥାଶୀଘ୍ର ଏଠାରୁ ଘଉଡ଼ାଇବା ପାଇଁ ବନବିଭାଗକୁ ଦାବି କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ହେଲା, ବର୍ଷତମାମ ହାଡ଼ଭଙ୍ଗା ପରିଶ୍ରମ କରି ସେମାନେ ଧାନ ଫସଲ କରିଥିଲେ। ଆଉ କିଛି ଦିନ ପରେ ଧାନର ଥୋଡ଼ ବାହାରିଥା’ନ୍ତା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ପଶି ସବୁ ଉଜାଡ଼ି ଦେଇଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଆସିଥିବା ଏହି ଗୋଟିକିଆ ଦନ୍ତାଟି ପାଖାପାଖି ୨୦ ଦିନ ହେଲା ଅଞ୍ଚଳରେ ଏମିତି ଉପଦ୍ରବ କରୁଥିଲେ ହେଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ସ୍ଥାନୀୟ ଲୋକେ ନିଆଁହୁଳା ଧରି ହାତୀଟିକୁ ଘଉଡ଼ାଇବାକୁ ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ହାତୀଟି ଜଙ୍ଗଲକୁ ଫେରୁନାହିଁ। ତେଣୁ ହାତୀଟିକୁ ଘଉଡ଼ାଇବା ସହ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ ଆର୍ଥିକ କ୍ଷତିପୂରଣ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।
ଫସଲ ଉଜାଡ଼ିଲା ଦନ୍ତା
Advertisment
Follow Us