ହାତୀ ଟ୍ରେଞ୍ଚ୍‌ ଏବେ ଡ୍ରେନ୍‌

Advertisment
ହାତୀ ଟ୍ରେଞ୍ଚ୍‌ ଏବେ ଡ୍ରେନ୍‌

ଭୁବନେଶ୍ବର: ହାତୀଙ୍କ ଦାଉରୁ ଜନବସତିକୁ ସୁରକ୍ଷା ଦେବାକୁ ଟ୍ରେଞ୍ଚ୍‌ ଖୋଳାଗଲା। ଅଥଚ ଏହି ଟ୍ରେଞ୍ଚ୍‌ର ଅବସ୍ଥାକୁ ତଦାରଖ କରାଗଲା ନାହିଁ କି ଅବ୍ୟବସ୍ଥିତ ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ ହେଲା ନାହିଁ। ଫଳରେ ଟ୍ରେଞ୍ଚ୍‌ ଏକ ଅଘୋଷିତ ନାଳରେ ପରିଣତ ହୋଇଛି। ନାଳ ପାଣି ଛାଡ଼ି ନିୟମକୁ ତ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନାଳରେ ଛଡ଼ା ଯାଇଥିବା ବର୍ଜ୍ୟବସ୍ତୁ ଜମା ହୋଇ ଟ୍ରେଞ୍ଚ୍‌ ପରିପୂର୍ଣ୍ଣ ହୋଇଯାଇଛି। ତେଣୁ ଟ୍ରେଞ୍ଚ୍‌ ଆଉ ଟ୍ରେଞ୍ଚ୍‌ ‌ହୋଇ ରହିନାହିଁ। ଚନ୍ଦକା ହାତୀ ଅଭୟାରଣ୍ୟ ଅଧୀନ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତି ସଂଲଗ୍ନ ଟ୍ରେଞ୍ଚ୍‌ର ଅବସ୍ଥା ଏଭଳି ତଦ୍ରୂପ ସ୍ଥିତିରେ ପହଞ୍ଚିଛି।

ରେଣ୍ଟାଲ୍‌ କଲୋନି ସମେତ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତି ଅଞ୍ଚଳର ମଇଳା ପାଣି ଏହି ନାଳ ମଧ୍ୟକୁ ଛଡ଼ା ଯାଉଛି। ୧୯୭୨ର ବନ୍ୟଜନ୍ତୁ ସଂରକ୍ଷଣ ଆଇନ ମୁତାବକ, ଏହି ଟ୍ରେଞ୍ଚ୍‌ ଖୋଳା ଯାଇଥିଲେ ହେଁ ବନ ବିଭାଗର ଜମିରେ ନାଳ ଖୋଳି ଟ୍ରେଞ୍ଚ୍‌ ମଧ୍ୟକୁ ଛଡ଼ା ଯାଇଛି। ବାସ୍ତବରେ ଦୀର୍ଘ ବର୍ଷ ହେବ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ନାଳ ପାଣି ନିଷ୍କାସନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଫଳରେ ସବୁ ବର୍ଜ୍ୟପାଣି ଟ୍ରେଞ୍ଚ୍‌ ମଧ୍ୟକୁ ଯାଉଛି। ଡିଏଫ୍‌ଓଙ୍କ ନାକ ତଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଟ୍ରେଞ୍ଚ୍‌ଗୁଡ଼ିକ ବର୍ଜ୍ୟପୂର୍ଣ୍ଣ ହୋଇଯାଇଥିବାରୁ ନାଳ ପାଣି ଉପରେ ଚାଲୁଛି। ଜଙ୍ଗଲର ପାଚେରି ନିକଟରେ ଏହି ଟ୍ରେଞ୍ଚ ଯାଇଥିବାରୁ ନାଳ ପାଣି ଉପରେ ଭାସି ବାଉଣ୍ଡରି ୱାଲ୍‌କୁ ଦୁର୍ବଳ କରୁଛି। ଏଣେ ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ବାଉଣ୍ଡାରି କାନ୍ଥକୁ ପଣସ ଗଛ ଲାଗି ଥିବାରୁ ଅନେକ ସମୟରେ ପଣସ ଲୋଭରେ ହାତୀମାନେ ପାଚେରି ଭାଙ୍ଗି ବସ୍ତି ମଧ୍ୟକୁ ପଶି ଆସନ୍ତି। ମାତ୍ର ଏଭଳି ସ୍ଥିତି ସମ୍ପର୍କରେ ଯେତିକି ତଦାରଖ କରାଯିବା କଥା, ତାହା ଏପର୍ଯ୍ୟନ୍ତ କରାଯାଇନାହିଁ।

ରେଣ୍ଟାଲ କଲୋନି କିମ୍ବା ସେଇ ପାଖାପାଖି ଜନବସତିକୁ ହାତୀ ପଶି ଆସିବା ନୂଆ କଥା ନୁହେଁ। ବାରମ୍ବାର ଏପରି ଘଟଣା ଯୋଗୁଁ ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି। ଏନେଇ ପରିବେଶବିତ୍‌ ପ୍ରକାଶ ଜେନା କହିଛନ୍ତି, ନୀଳଗିରି ଭଳି ଚନ୍ଦକା ହାତୀ ଅଭୟାରଣ୍ୟକୁ ବୋଧ ହୁଏ ସେତିକି ଗୁରୁତ୍ବ ଦିଆଯାଉନାହିଁ। ସେଥିପାଇଁ ଟ୍ରେଞ୍ଚ ଖୋଳିବା ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥିଲେ ସୁଦ୍ଧା ସେଗୁଡ଼ିକର ପରିଚାଳନା କିମ୍ବା ମରାମତି ‌କରିବା ପାଇଁ ଆଉ ଅନୁଦାନ ମିଳୁନଥିବାରୁ ଏହି ସମସ୍ୟା ଉପୁଜିଛି। ବର୍ଜ୍ୟବସ୍ତୁ ଟ୍ରେଞ୍ଚ୍‌ ମଧ୍ୟ ଦେଇ ଯାଉଥିବାରୁ ଏହା ଅଭୟାରଣ୍ୟ ମଧ୍ୟରେ ଥିବା ଜଳାଶୟର ପାଣିକୁ ଦୂଷିତ କରୁଥିବ। ଫଳରେ ବନ୍ୟଜନ୍ତୁ ଉକ୍ତ ଜଳାଶୟର ପାଣି ପିଇ ରୋଗାକ୍ରାନ୍ତ ମଧ୍ୟ ହୋଇପାରନ୍ତି। ଏହି କାରଣରୁ ଅଢ଼େଇ ବର୍ଷ ତଳେ ଡିଏଫ୍‌ଓ କେଦାର ସ୍ବାଇଁ ଟ୍ରେଞ୍ଚ୍‌କୁ ସଂଯୋଗ ହୋଇଥିବା ନାଳକୁ ବନ୍ଦ କରିଦେଇଥିଲେ। ଏନେଇ ଏକ ମାମଲା ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତୀ ସମୟରେ ପୁଣି ନାଳ ଟ୍ରେଞ୍ଚ ମଧ୍ୟକୁ ଫିଟାଗଲା। ଦୀର୍ଘବର୍ଷ ଧରି ଏ ସମସ୍ୟା ଲାଗି ରହିଥିଲେ ହେଁ ବିଏମ୍‌ସି ଚେତିଛି ନା ବନ ବିଭାଗ କଡ଼ା ଆଭିମୁଖ୍ୟ ଆପଣାଉଛି। ଏନେଇ ଡିଏଫ୍‌ଓ କେଦାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ ବିଏମ୍‌ସି ନାଳପାଣି ଛାଡ଼ୁଥିବାରୁ ଆମେ କ’ଣ କରିପାରିବୁ? ଏଥିରେ ଆମର କର୍ତୃତ୍ବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe