ଅସୁରକ୍ଷିତ ଅଭୟାରଣ୍ୟ: ମୁଣ୍ଡଳୀରେ ପୁଣି ହାତୀପଲ, ଛୁଆ ଓ ମୁଖିଆକୁ ଖୋଜୁଛନ୍ତି

Advertisment
ଅସୁରକ୍ଷିତ ଅଭୟାରଣ୍ୟ: ମୁଣ୍ଡଳୀରେ ପୁଣି ହାତୀପଲ, ଛୁଆ ଓ ମୁଖିଆକୁ ଖୋଜୁଛନ୍ତି

ବାରଙ୍ଗ : ବ୍ୟାପକ ସହରୀକରଣ ଯୋଗୁଁ ଅସୁରକ୍ଷିତ ହୋଇପଡ଼ିଛି ହସ୍ତୀ ଅଭୟାରଣ୍ୟ। ହାତୀଙ୍କ ବାସସ୍ଥଳୀ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଲାଗିଥିବା ବଡ଼ବଡ଼ ପାହାଡ଼କୁ ଦିନରାତି ଜେସିବି ମେସିନ ଲଗାଇ ତଡ଼ାଯାଉଛି। ଅଭୟାରଣ୍ୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଲାଗି ବିଶାଳକାୟ ଅଟ୍ଟାଳିକା, ପାଚେରି ଓ କାରଖାନା ନିର୍ମାଣ କରାଯାଉଛି। ସେଠାରେ ଲାଗିଥିବା ଉଜ୍ଜ୍ବଳ ଆଲୋକ ଓ ଚାଲୁଥିବା ମେସିନ, କଳକାରଖାନାର ଶବ୍ଦ ହାତୀମାନଙ୍କୁ ଅତିଷ୍ଠ କରି ପକାଉଛି। ସେମାନଙ୍କ ବାସସ୍ଥଳୀରେ ରହିବା ଅସହ୍ୟ ହେଉଥିବାରୁ ହାତୀମାନେ ବାଧ୍ୟ ହୋଇ ଜନବସତି ମୁହାଁ ହେଉଛନ୍ତି। ଏପରିକି ଜଙ୍ଗଲରୁ ପଦାକୁ ବାହାରିବା ବେଳେ ଚିରାଚରିତ ଗତିପଥକୁ ସେମାନେ ସୁରକ୍ଷିତ ମନେ ନକରି ପଥ ବଦଳାଉଥିବା ବନ୍ୟପ୍ରାଣୀ ପ୍ରେମୀ ମହଲରେ ଚର୍ଚ୍ଚା ହେଉଛି।

ଭଗିପୁର ନିକଟ ଦେବୀଦ୍ବାରଠାରୁ କଇଁମୁଣ୍ଡି ମଧ୍ୟରେ ଥିବା ଚିରାଚରିତ ପଥ ଦେଇ ହାତୀମାନେ ମହାନଦୀ ପାଣିରେ ପଶି ଆଠଗଡ଼ ଓ ଡମପଡ଼ାକୁ ଯାଇଥାନ୍ତି। ଏବେ ସେ ଚଲାପଥ ହାତୀମାନଙ୍କ ପାଇଁ ସୁରକ୍ଷିତ ମନେ ହେଉ ନଥିବାରୁ ସେମାନେ ସେ ପଥ ବଦଳାଇ ନୂଆ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଥିବା କୁହାଯାଉଛି।

ଚନ୍ଦକାରେ ଏବେ ୪ ଦନ୍ତା ସମେତ ୨୦ ହାତୀ ଥିବା ସୂଚନା ମିଳିଛି। ହାତୀପଲ ନରାଜ ମହାନଦୀ ଦେଇ ଯିବା ବେଳେ ଗତକାଲି ଗୋଟିଏ ହନ୍ତାହାତୀ ନଦୀର ପ୍ରବଳ ସୁଅରେ ଫସି ଯାଇଥିଲା। ଏହାପରେ ଆଜି ସନ୍ଧ୍ୟା ପରେ ମୁଣ୍ଡଳୀ ପଞ୍ଚାୟତର ଥୋରିଆପାଟଣା ପାଖ କାଳୀକା ପଡ଼ିଆରେ ଆସି ପହଞ୍ଚିଛନ୍ତି ୬ଟି ହାତୀ। ଏହି ପଲରେ ଗୋଟିଏ ଦନ୍ତା ସହିତ ୨ଟି ମାଈ ଓ ୩ଟି ଛୁଆ ହାତୀ ଅଛନ୍ତି। ହାତୀ ଆସିଥିବା ଶୁଣି ମୁଣ୍ଡଳୀ, ତଳଗଡ଼, ଥୋରିଆପାଟଣା ଓ ନରାଜ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଡମପଡ଼ା ବନ ବିଭାଗକୁ ହାତୀ ଆସିବା ସମ୍ପର୍କରେ ସୂଚନା ଦେବାରୁ କର୍ମଚାରୀମାନେ ଆସି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଲୋକଙ୍କୁ ଘରୁ ନବାହାରିବା ନେଇ ସତର୍କ କରିଛନ୍ତି। ହାତୀମାନେ ନରାଜ ଆଡ଼କୁ ଯିବାର ଆଶଙ୍କା ରହିଛି। ଗତ ରାତିରେ ନରାଜ ଗ୍ରମର ସୁଶାନ୍ତ ବେହେରା(୩୬) ନାମକ ମତ୍ସ୍ୟଜୀବୀଙ୍କୁ ଦନ୍ତା ହାତୀ ମାରି ଦେଇଥିଲା। ଲଗାତର ଭାବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବାହାରି ହାତୀ ପଲ ମୁଣ୍ଡଳୀ ଓ ନରାଜ ଆଡ଼କୁ ଆସୁଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ହାତୀପଲ ନରାଜଠାରୁ ମହାନଦୀ ବ୍ରିଜ୍ ଉପରେ ଦେଇ ବିଡାନାସି ଓ ସିଡିଏ ଭିତରକୁ ଏପରିକି କଟକ ସହର ଭିତରକୁ ପଶି କ୍ଷୟକ୍ଷତି କରିବାର ଆଶଙ୍କା ମଧ୍ୟ ରହିଛି। ଗତକାଲି ମହାନଦୀ ପାର ହେବା ବେଳେ ଏକ ଛଅ ମାସର ଛୁଆ ହାତୀ ଓ ମୁଣ୍ଡଳୀ ଆନିକଟ ଠାରେ ଅଟକିଥିବା ଦଳର ମୁଖିଆ ବୟସ୍କ ଦନ୍ତା ହାତୀପଲରୁ ଅଲଗା ହୋଇ ଯାଇଥିଲେ। ନିଖୋଜ ଛୁଆ ଓ ଦନ୍ତାକୁ ହାତୀପଲ ଖୋଜିବାକୁ ମୁଣ୍ଡଳୀ ଓ ନରାଜକୁ ଆସୁଥିବା ଚର୍ଚ୍ଚା ହେଉଛି। ତେବେ ନିଖୋଜ ଥିବା ଛୁଆହାତୀର ମୃତଦେହ ଆଠଗଡ଼ ଅଞ୍ଚଳରୁ ବନ ବିଭାଗ ଉଦ୍ଧାର କରିଛି।

ମହାନଦୀରେ ଫସିଥିବା ଦନ୍ତା ହାତୀର ମୃତ୍ୟୁ ନେଇ ଚର୍ଚ୍ଚା
ମୁଣ୍ଡଳୀଠାରେ ଫସି ରହିଥିବା ଦନ୍ତାହାତୀର ଗତ ରାତିରେ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ରାତିରେ ଦନ୍ତାକୁ ଘଉଡ଼ାଇ କୂଳକୁ ଆଣିବା ଲାଗି କିଛି ଲୋକ ତା’ ଆଗରେ ନିଆଁ ହୁଳା ପକାଇଥିଲେ। ଦନ୍ତା ନିଆଁକୁ ଦେଖି ଡରି ପଛେଇ ଯିବା ବେଳେ ଆନିକଟ ତଳ ମୁଣ୍ଡ ପଛୁଆ ପାଣି ଭିତରକୁ ଟଳି ପଡ଼ିଥିଲା। ପାଣି ସ୍ରୋତ ତାକୁ ଭସେଇ ନେଇଥିଲା। ହାତୀ ଆଉ ଉଠିବା ସମ୍ଭବ ହୋଇ ନଥିଲା। ଯାହା ହାତୀ ମୃତ୍ୟୁର କାରଣ ପାଲଟିଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଶେଷଜ୍ଞଙ୍କର ମତ ଯେ, ହାତୀ ଠିଆ ହୋଇଥିବା ପର୍ଯ୍ୟନ୍ତ ମରେ ନାହିଁ, ପଡ଼ିଲେ ବା ଶୋଇଲେ ମରିଯାଏ। ଗତ ରାତିରେ ହାତୀ ପଛୁଆ ଟଳିପଡ଼ିବାରୁ ପାଣିଭିତରେ ଥିବା ପଥରରେ କଚାଡ଼ି ହେବା ଓ ଉଠି ନପାରିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe